କାମ ଅର୍ଥ ଧର୍ମ ମୋକ୍ଷ
କାମ ଅର୍ଥ ଧର୍ମ ମୋକ୍ଷ
( ରାଗ – ଚିନ୍ତାଦେଶାକ୍ଷ )
🔹କବିରତ୍ନ ନୂତନ କୁମାର ବେହେରା
କାମ ( କାମନା )
ଇନ୍ଦ୍ରିୟ ବଶରେ ମନ’ ରଖି ଲାଳସା’
ସୁଖ ଉପଭୋଗ ଲାଗି’ ବଢ଼ାଏ ଆଶା’ ।
ପ୍ରାଣର ସୁରକ୍ଷା ଭୁଲି ହୁଏ ବିହ୍ବଳ,
ପରିଣାମ ଚିନ୍ତେ ନାହିଁ ରହେ ଚଞ୍ଚଳ ।
ଆବଶ୍ୟକତାରୁ ବେଶି କଇଇ ଇଚ୍ଛା ,
ଛାଡ଼େନାହିଁ କେବେ ହେଲେ ସ୍ଵାର୍ଥର ପିଛା ।
କାମିନୀ କାଞ୍ଚନେ ସଦା ବଳାଏ ମନ,
ଆଗ ପଛକୁ ବିଚାରି ରଖେନା ଧ୍ୟାନ ।
ଏଇ ତ ଅଟେ କାମନା ନାହିଁ ତା’ ଶେଷ,
ଜୀବନ ଯାକର ଶ୍ରମେ ପାଏନା ତୋଷ ।
ଅର୍ଥ ( ଧନ ସମ୍ପତ୍ତି )
ସଂସାରେ ବଞ୍ଚିବା ପାଇଁ ଲୋଡ଼ା ଯେ ଅର୍ଥ,
ତାର ବିହୁନେ ଜୀବନ ହୁଇଇ ବ୍ୟର୍ଥ ।
ନିଷ୍ଠାପର ଭାବେ କରି ଧନ ଅର୍ଜନ,
କରିଥାଏ ପରିବାର ପ୍ରତିପୋଷଣ ।
ବ୍ୟତିରେକେ ହୁଏ ଯେତେ ସବୁ ଅନର୍ଥ,
ତାହାର ମୂଳ କାରଣ ଅଟଇ ସ୍ଵାର୍ଥ ।
ଅର୍ଥର ସୁବିନିଯୋଗେ ହୁଏ ଯେ ଉନ୍ନତି,
ବଦଖର୍ଚ୍ଚ କରୁଥିଲେ ବଢ଼ଇ ଦୁର୍ଗତି ।
ଅର୍ଥର ମୂଲ୍ୟକୁ ବୁଝି କରେ ଯେ ବ୍ୟୟ,
ସମାଜେ ତା’ ସ୍ଥିତି ରହେ ହୁଏନା କ୍ଷୟ ।
ଧର୍ମ
କର୍ମର ଧାରଣେ ଧର୍ମ ପାଳିଲେ ପୁଣ୍ୟ
ପ୍ରଭୁ ଭକ୍ତିରେ ମାନବ ହୁଅଇ ଧନ୍ୟ ।
ସତ୍ୟ ସଂରକ୍ଷଣେ ମାୟା ମିଛକୁ ନାଶି
ଆତ୍ମାର ଉଦ୍ଧାର ଲାଗି ଥାଏ ପ୍ରୟାସୀ ।
ଏକ ବ୍ରହ୍ମ ସାରା ବିଶ୍ଵେ ରହିଛି ପୂରି,
ତାର ଜ୍ଞାନ ଅନୁଭବେ ରଖଇ ଶିରୀ ।
ଭେଦାଭେଦ ଅହଙ୍କାର ନ ରଖି ମନେ
ସାତ୍ତ୍ୱିକ ଭାବରେ ରହେ ସୂକ୍ଷ୍ମ ଦର୍ଶନେ ।
ଧର୍ମର ମାର୍ଗେ ସଦ୍ଦିଚ୍ଛା କରେ ପୂରଣ,
ଅର୍ଥର ନ ହୋଇ ଦାସ ରହେ ସ୍ଵାଧୀନ ।
ମୋକ୍ଷ
ମୋହ ହୁଏ ଯେବେ କ୍ଷୟ ମିଳଇ ମୋକ୍ଷ,
ଆତ୍ମଜ୍ଞାନ ଲଭି ଜଣେ ହୁଏ ସୁଦକ୍ଷ ।
ସବୁରି କଲ୍ୟାଣେ ରହି କରେନା ପାପ,
ଆସେନା ମୃତ୍ୟୁର ଭୟ ଦେଖେ ସ୍ବରୂପ ।
ଆସକ୍ତି ଆସେନା ଆଉ ଆତ୍ମାକୁ ଜାଣି,
ସାଧନାର ସିଦ୍ଧିରେ କହେ ଅମୃତ ବାଣୀ ।
ଅନ୍ତର୍ମୁଖୀ ହୋଇ ଧ୍ୟାନେ ରହେ ମଗନ,
ଲୋଭରେ ପଡ଼େନା ସିଏ ହୁଏ ନିର୍ବିଘ୍ନ ।
ନିର୍ବିକାର ନିରାମୟ ଏ ପରମାର୍ଥ,
ମାନବ ଜନ୍ମକୁ କରିଥାଏ ଯଥାର୍ଥ ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି, ବାରିପଦା, ମୟୂରଭଞ୍ଜ।
