ସର୍ବତ୍ର ଦିଶନ୍ତି
ସର୍ବତ୍ର ଦିଶନ୍ତି
(ପ୍ରଭାତ ରଞ୍ଜନ ମହାପାତ୍ର)
ବିକ୍ଷିପ୍ତ ଚିତ୍ତକୁ ବାବୁ ଏକଭୂତ କରି,
ପଦ୍ମାସନେ ବସି ଭଜ ନୀଳାଦ୍ରି ବିହାରୀ,,
ବସିଛନ୍ତି ମହାପ୍ରଭୁ ସ୍ନାନ ମଣ୍ଡପରେ,
ଦର୍ଶନ କର ତାହାଙ୍କୁ ଆନନ୍ଦ ମନରେ,,
ସେ କଳାବଦନ କାନ୍ତି ଦିଶେ କି ସୁନ୍ଦର,
ନୁହନ୍ତି ସେ ନିରାକାର ଅଥବା ସାକାର,,
ଅପୂର୍ବ ସୌନ୍ଦର୍ଯ୍ୟମୟ କିମାକାର ମୂର୍ତ୍ତି,
କରୁଣା କରନ୍ତି ସଦା ଭକ୍ତ ଜନ ପ୍ରତି,,
ମହାନୀଳ ନଭ ସ୍ଥଳ ଦିଶଇ ଉର୍ଦ୍ଧ୍ୱରେ,
ପତିତ ପାବନ ବାନା ନୀଳ ଚକ୍ର ଚୂଳେ,,
ପ୍ରଭୁଙ୍କର କି ଅଦ୍ଭୁତ ଆକର୍ଷଣ ଶକ୍ତି,
ଭକ୍ତ ଜନେ ଟାଣି ହୋଇ ଶ୍ରୀକ୍ଷେତ୍ରେ ଆସନ୍ତି,,
ଲାଗିଛି ଜନ ଗହଳି ସେ ବଡ଼ ଦାଣ୍ଡରେ,
ଦିଶୁ ଅଛି ମାଳ ମାଳ ମୁଣ୍ଡ ସବୁ ଆଡେ,,
ଆକାଶରେ ମେଘମାଳ ପାଉ ଅଛି ଶୋଭା,
କି ସୁନ୍ଦର ପରିବେଶ ଅତି ମନ ଲୋଭା,,
ଛାଡି ଆସିବାକୁ କେବେ ହୁଏ ନାହିଁ ମନ,
ଭକତ ମନରେ କେତେ ମାନ ଅଭିମାନ,,
ଦର୍ଶନ ମାତ୍ରକେ ବାବୁ ସବୁ ଯାଏ ତୁଟି,
ସଂସାର ମାୟା ବନ୍ଧନ ଆପେ ଯାଏ କଟି,,
ମନ ବୁଦ୍ଧି ପ୍ରାଣ ସବୁ ହୁଏ ଅଭିଭୂତ,
ଜୀବ ବ୍ରହ୍ମ ଏକାକାର ଉପାଧିରହିତ,,
କିଛି ଭେଦଭାବ ବାବୁ ଜଣା ପଡେ ନାହିଁ,
ସର୍ବତ୍ର ଦିଶନ୍ତି ପ୍ରଭୁ ଜଗତ ଗୋସାଇଁ,,
ମହା ମହିମାରେ ମହାପ୍ରଭୁ ବିରାଜନ୍ତି,
ଧ୍ୟାନ କଲେ ହୃଦୟରେ ଦର୍ଶନ ଦିଅନ୍ତି,,
(ସ୍ନାନ ମଣ୍ଡପ ଦର୍ଶନ )
ଚୈତନ୍ୟ ବିହାର, ପୁରୀ, ,
