ମୋ ଜଗା କାଳିଆ ଆସିବ
ମୋ ଜଗା କାଳିଆ ଆସିବ
ଡ. ପ୍ରେମାନନ୍ଦ ବେହେରା
ଆସିବରେ ଆସିବ
ଜଗା କାଳିଆ ଆସିବ,
ଝୁଲି ଝୁଲି ଆସି ହଲି ହଲି ଆସି
ରଥ ଉପରେ ସେ ବସିବ ।।
ଆସିବରେ ଆସିବ
ମୋ ଜଗା କାଳିଆ ଆସିବ ।।
ଆଗରେ ବଳିଆ, ଭାଇ ଯାଉଥିବେ
ତାଳଧ୍ବଜ ରଥେ ବସି,
ଦର୍ପଦଳନରେ, ମଝି ଯାଉଥିବେ
ସୁଭଦ୍ରା ମୁରୁକି ହସି ।
ପଛରେ ଥିବ ମୋ, କାଳିଆ ଠାକୁର
ନନ୍ଦିଘୋଷ ଗଡୁଥିବ ।।
ଭକତେ ଟାଣିବେ, ରଥ ଦଉଡ଼ିକୁ
ଜୟ ଜଗନ୍ନାଥ କହି,
କାହାଳୀ ମୃଦଙ୍ଗ, ଘଣ୍ଟ କରତାଳ
ବାଜୁଥିବ ରହି ରହି ।
ହରିବୋଲ ହୁଳ, ହୁଳି ଶବଦରେ,
ବଡଦାଣ୍ଡ କମ୍ପୁଥିବ ।।
ପତିତ ଜନଙ୍କୁ, ଉଦ୍ଧାରିବା ପାଇଁ
ଏ ଲୀଳା ତୁମ ଗୋସାଇଁ,
ଧନ୍ୟ ହୁଏ ଏହି, ମଣିଷ ଜୀବନ
ରଥ ଦଉଡ଼ିକୁ ଛୁଇଁ ।
କାଳିଆ ରଜାର, ରଥଯାତ ଦେଖି,
ଭକ୍ତ ମନ ନାଚୁଥିବ।।
ପଦ୍ମପୁର, ବରଗଡ଼
