ଶବରଙ୍କ ଠାକୁର ହେଉଛନ୍ତି ମହାପ୍ରଭୁ ।
ଶବରଙ୍କ ଠାକୁର ହେଉଛନ୍ତି ମହାପ୍ରଭୁ ।କାଳିଆ ସାଆନ୍ତ ଜ୍ୱରରେ ପ୍ରକମ୍ପିତ ହେଉଛନ୍ତି ।ଆଉ ଶବର ବା ବିଶ୍ୱାବସୁ ମାନେ ବା ଚୁପ୍ ବସିବେ କେମିତି ।ପାରମ୍ପରିକ ପୋଷାକ ପରିଧାନ କରି ବନଜାତ ସାମଗ୍ରୀ ,ଔଷଧୀୟ ଚେର ମୂଳି ଧରି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ସୁଦୂର ରାୟଗଡ଼ା,କୋରାପୁଟ ଓ ଗଜପତି ଜିଲ୍ଲାର ୧୨୦୦ ଶବର।ବନଜାତ ସାମଗ୍ରୀ ସୁଆଁ, ଘାଣ୍ଟିଆ, ଜହ୍ନା, ମାଣ୍ଡିଆ, କାଙ୍ଗୁ, ଧାନ, ଜାମୁକୋଳି, ହରିଡ଼ା, ବାହାଡା, ସପୁରି, ପିଜୁଳି, ପଣସ, ଖଜୁରୀ, ଆମ୍ବ କଦଳୀ ଧରି ଅତି ଭକ୍ତି ଓ ନିଷ୍ଠାର ସହ ସେମାନେ ଆସିଛନ୍ତି।ପ୍ରଥମ ଥର ପାଇଁ ଶବର ସମାଜ କଲ୍ୟାଣ ସମିତି ତରଫରୁ ଶ୍ରୀ ଜଗନ୍ନାଥଙ୍କ ଅନବସର ସେବା ଓ ସମର୍ପଣ ଯାତ୍ରା ।ବଡ଼ଦାଣ୍ଡରେ ପଟୁଆରରେ ଫଳ,ମୂଳ ସହ ସୋରିଷ,ମହୁ ,ରାଶି ତେଲ , ଝୁଣା,ଚନ୍ଦନ କାଠ, ଧାନ ,ଚାଉଳ,ଇତ୍ୟାଦି ଆଣି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ଶବର କଲ୍ୟାଣ ସମିତିର ହଜାରରୁ ଉର୍ଦ୍ଧ୍ବ ସଦସ୍ୟ।ରାୟଗଡ଼ା,ଗଜପତି, କୋରାପୁଟ ଜିଲ୍ଲାକୁ ନେଇ ଗଠିତ ଶବର ସମାଜ କଲ୍ୟାଣ ସମିତି ତରଫରୁ ଏହି ଭୋଗ ସବୁ କୁ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର ଙ୍କ ଜରିଆରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଛି ।ମହାପ୍ରଭୁ ହେଉଛନ୍ତି ଶବରଙ୍କ ଦେବତା ।କିନ୍ତୁ କ୍ରମେ ଶ୍ରୀମନ୍ଦିର ରେ ବିରାଜିତ ହୋଇ ଛପନ ପଉଟି ଭୋଗ ଖାଉଛନ୍ତି। ତେଣୁ ଏହି ଫଳ ଆଣି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦେଇ ମହାପ୍ରଭୁଙ୍କୁ ନିଜ ଶ୍ରଦ୍ଧା ଅର୍ପଣ କରିଛୁ ବୋଲି ଭାବ ବିହ୍ଵଳ ହୋଇ ପ୍ରତିକ୍ରିୟା ରଖିଛନ୍ତି ସମିତିର ସଭାପତି ।ପ୍ରଥମ କରି ମହାପ୍ରଭୁଙ୍କ ସହ ଏହି ସେବା କରିବାକୁ ଯୋଡ଼ି ହେଇଛୁ,ପରେ ଏ ସେବା ପ୍ରତିବର୍ଷ ଜାରି ରହିବ ବୋଲି ସେ କହିଛନ୍ତି। ସେପଟେ ଏହି ଫଳ ମୂଳ,ଔଷଧି ସବୁ କୁ ଅଣସର ଗୃହକୁ ପଠାଇ ଦିଆଯାଇଛି ।
