ବିଶ୍ଵ ଆତ୍ମା

                     ବିଶ୍ଵ ଆତ୍ମା
                 ( ରାଗ – ଚୋଖି )

  🔹କବିରତ୍ନ ନୂତନ କୁମାର ବେହେରା

ପ୍ରଭୁ ସ୍ଵୟଂ ବିଶ୍ଵ ଆତ୍ମା   ଅପାର ତାଙ୍କ ମହିମା
ଜୀବ ପିଣ୍ଡେ ପ୍ରାଣ ହୋଇ ଅଛନ୍ତି ପୂରି,
ବିଶ୍ଵ ବ୍ରହ୍ମାଣ୍ଡର କେନ୍ଦ୍ର   ସର୍ବଭୂତେ ସୂର୍ଯ୍ୟ ଚନ୍ଦ୍ର
ସଚ୍ଚିଦାନନ୍ଦ ସ୍ଵରୂପେ ଶାଶ୍ଵତ ଶିରୀ,
ବିଧି ବିଧାନେ ସେ ପରମ
ତାଙ୍କରି ଇଙ୍ଗିତେ ଚାଲେ ଏ ଧରାଧାମ/୧/

ପୁରୁଷ ପ୍ରକୃତି ଦୁଇ  ତାଙ୍କ ପାଇଁ ଏକ ହୋଇ
କରୁଛନ୍ତି ଲୀଳା ଖେଳା ଧରି ଜୀବନ,
ସର୍ବୋଚ୍ଚ ଚେତନା ଶକ୍ତି  ହୋଇ ଦେଇଥାନ୍ତି ମୁକ୍ତି
ଅନାଦି ଅନନ୍ତ ସିଏ ଚିର ଅମ୍ଳାନ,
ଏକ ଅଭିନ୍ନ ପରଂବ୍ରହ୍ମ
ଅଦୃଶ୍ୟ ଅସୀମ ସତ୍ତା ମହାମହିମ/୨/

ନିରାକାରରୁ ଆକାର   ନେଇ ଧରନ୍ତି ଶରୀର
ଜଗତ କଲ୍ୟାଣ ଲାଗି ରୁହନ୍ତି ରତ,
ଜୀବର ହୋଇ ଜୀବାତ୍ମା  କରୁଥାନ୍ତି ପରିକ୍ରମା
ବିକାଶେ ପ୍ରକାଶେ ରହିଥାନ୍ତି ଜାଗ୍ରତ,
ଅଖଣ୍ଡ ଅବ୍ୟୟ ଅକ୍ଷୟ
ବିଶ୍ଵ ଆତ୍ମା ସେଇ ଏକା ଭବେ ଚିନ୍ମୟ/୩/

ତାଙ୍କଠାରୁ ହିଁ ଉତ୍ପତ୍ତି  ତାଙ୍କ ଠାରେ ହିଁ ନିଷ୍ପତ୍ତି
ଆରମ୍ଭ ସମାପ୍ତି ସବୁ ତାଙ୍କରି ଲୀଳା,
ରୂପକୁ ସେ ରୂପାନ୍ତର    କରୁଥାନ୍ତି ନିରନ୍ତର
ନିୟତି ନିୟମେ ରଖି ଶାନ୍ତି ଶୃଙ୍ଖଳା,
ଇଚ୍ଛାମୟ ସେ ସନାତନ
ଅସଂଖ୍ୟ ରୂପକୁ ଧରି ନିତ୍ୟ ନୂତନ/୪/

ବିଶ୍ଵ ଆତ୍ମା ବ୍ରହ୍ମମୟ  ଏକ ଓ ଅଦ୍ଵିତୀୟ
ସିନ୍ଧୁକୁ କରନ୍ତି ବିନ୍ଦୁ ବିନ୍ଦୁରେ ଭାଗ,
ଏକରୁ ହୋଇ ଅନେକ ପୁଣି ଅନେକରୁ ଏକ
ବ୍ୟଷ୍ଟିରୁ ସମଷ୍ଟି ସବୁ ତାଙ୍କ ସଂଯୋଗ,
କରି ତାଙ୍କୁ ଭାବେ ଭକତି
ଶ୍ରଦ୍ଧାଳୁ ଭକତ ପାଏ ଶାନ୍ତି ମୁକତି/୫/

ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ ।

Leave a Reply

Your email address will not be published. Required fields are marked *