ଚିତାଲାଗି ଅମାବାସ୍ୟା
ଚିତାଲାଗି ଅମାବାସ୍ୟା
( ରାଗ — ଆଷାଢ଼ଶୁକ୍ଳ ବାଣୀ )
🖊️କବିରତ୍ନ ନୂତନ କୁମାର ବେହେରା
ବାର ମାସେ ଛଅ ଋତୁର କ୍ରମେ
ପ୍ରକୃତି ବଦଳେ ତାର ଧରମେ,
ନବ ନବ ଛବି ସୁଷମା ଭରି
ଦର୍ଶକ ପ୍ରାଣକୁ ନିଅଇ ହରି,
ଆନନ୍ଦ ଉଲ୍ଲାସେ
ଦିନ ବିତି ଯାଏ ମନ ହରଷେ।୧।
ନିଦାଘର ଅନ୍ତେ ବରଷା ଆସେ
ବରଷି ବରଷା ଉତ୍ତାପ ନାଶେ,
ଚାଷି ମନ ଦିଏ ତାହାର ଚାଷେ
ଧ୍ୟାନ ରଖି ଥାଏ ଦେଶ ବିକାଶେ,
ଫସଲ ଫଳାଇ
ଖାଦ୍ୟର ଅଭାବ ଦିଏ ଦୂରେଇ।୨।
ଝର ଝର ବର୍ଷା ଯାଏ ବରଷି
ଶୀତଳ ପବନେ ଲାଗଇ ଖୁସି,
ପୁନେଇଁ ପରବ ସମ୍ଭାର ନେଇ
ଶ୍ରାବଣ ଆଗମେ ଧରା ହସଇ,
ସବୁଜିମା ଭରି
ହୃଦୟେ ଦିଅଇ ଆଶା ସଞ୍ଚାରି।୩।
ବରଷାର ଛିଟା ପୁଲକ ଆଣେ
ପରବ ପୁନେଇଁ ହୁଏ ଶ୍ରାବଣେ,
ଚିତାଲାଗି ଅମାବାସ୍ୟା ହୁଅଇ
ପ୍ରଭୁଙ୍କ ମସ୍ତକେ ଚିତା ଲାଗଇ,
କୃଷକ ଗୃହିଣୀ
ଚିତଉ ପିଠାରେ ଲକ୍ଷ୍ମୀ ପୂଜଇ।୪।
ବାର ମାସେ ହୁଏ ତେର ପରବ
ଓଡ଼ିଆ ଜାତିର ଗର୍ବ ଗୌରବ,
ପ୍ରଭୁ ଜଗନ୍ନାଥ ଆରାଧ୍ୟ ଦେବ
କୃପାରେ ତାଙ୍କର ସବୁ ସମ୍ଭବ,
ସେ ବଡ଼ଠାକୁର
ଆଶିଷେ ରଖନ୍ତି ସାରା ସଂସାର।୫।
ଜାତିର ସଂସ୍କୃତି ଅଟେ ମହାନ
ଆଦର୍ଶରେ ତାର ଗଢୁ ଜୀବନ,
ଧରମ ଧାରଣେ ଆଶା ପୂରଣ
କରିବାକୁ କରୁ ପ୍ରଭୁ ଦର୍ଶନ,
ପ୍ରଣମି ଚରଣ
ଦୁଃଖ ଦୂର ହେଉ କରୁ ଜଣାଣ।୬।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ ।
