ବିବାହ ପୂର୍ବ ସର୍ତ୍ତ ବା ଶପଥ
*ବିବାହ ପୂର୍ବ ସର୍ତ୍ତ ବା ଶପଥ*ପ୍ରସ୍ଥାବନା:-ବିବାହ ଏକ ସାମାଜିକ ଆବଶ୍ୟକତା। ଏହା ସମାଜରେ ପୁରୁଷ ଓ ନାରୀଙ୍କର ସନ୍ତୁଳିତ ସମ୍ପର୍କ ଓ ଭାରସାମ୍ୟକୁ ରକ୍ଷା କରିବାରେ ସହାୟକ ହୁଏ ମାତ୍ର; ଅଧୁନାତନ ସମାଜରେ ବିବାହକୁ ନେଇ ଅନେକ ସମସ୍ୟା ଦେଖାଦେଉଛି । ବିବାହ ପୂର୍ବରୁ ଉପଯୁକ୍ତ ବର/ କନ୍ୟା ଖୋଜିବା ଯେତିକି ଅସହଜ ଲାଗୁଛି ତା’ଠୁ ବେଶି ବିବାହ ପରେ ସେମାନଙ୍କ ସମ୍ପର୍କ ବା ତଦ୍ ଜନିତ ପ୍ରତିକ୍ରିୟାକୁ ନେଇ ସମସ୍ୟା ଦେଖାଯାଉଛି। ତେବେ ସମସ୍ତ ଦମ୍ପତ୍ତିଙ୍କ କ୍ଷେତ୍ରରେ ଏପରି ନ ଦେଖା ଗଲେ ମଧ୍ୟ ଅର୍ଦ୍ଧାଧିକ ଦମ୍ପତ୍ତିଙ୍କ କ୍ଷେତ୍ରରେ ଏହା ଦେଖାଯିବାର ନଜିର୍ ଅଛି।ତେବେ ଏହା ଉପରେ ଏକ ଅନୁଶୀଳନ କରି ଏହାକୁ ଅଧିକାଂଶ କ୍ଷେତ୍ରରେ ସଫଳ ତଥା ଶୃଙ୍ଖଳିତ କରିବା ପାଇଁ କିଛି ବିବାହ ପୂର୍ବ ନିୟମ ବା ସର୍ତ୍ତ ରଖାଗଲେ ଏହି ସମସ୍ୟାର ଅନେକାଂଶରେ ସମାଧାନ ମିଳନ୍ତା ବୋଲି ଆଶା କରାଯାଏ।ବର୍ଣ୍ଣନା:-ବିବାହକୁ ନେଇ ଦେଖାଯାଉଥିବା ଅନେକ ପ୍ରକାରର ସମସ୍ୟାର କାରଣ ତ ଅନେକ ।ତେବେ କିଛି କାରଣକୁ ନେଇ ଆଲୋଚନା କରିବା ଯେପରି ; ଶିକ୍ଷାଗତ ଅସମାନତା,ସମ୍ପତ୍ତିଗତ ଅସମାନତା, ଯୌତୁକ ପ୍ରଥାର କୁପ୍ରଭାବ ବା ଯୌତୁକ ଲୋଭ, ସ୍ୱାମୀ- ସ୍ତ୍ରୀ / ନାର-ପୁରୁଷ ସମ୍ପର୍କ ଜନିତ ହୀନମନ୍ୟତା ,ନାରୀମାନଙ୍କର କର୍ମଜୀବି ହେବା ଇତ୍ୟାଦି ।ଶିକ୍ଷାଗତ ଯୋଗ୍ୟତା:- ଝିଅ ଓ ପୁଅର ଶିକ୍ଷାଗତ ଯୋଗ୍ୟତା ଊଣା/ ଅଧିକେ ସମାନ ହେବା ଆବଶ୍ୟକ। କାରଣ ନିଃସନ୍ଦେହ ଶିକ୍ଷା ବ୍ୟକ୍ତିର ଚିନ୍ତା- ଚେତନାକୁ ପରିବ୍ୟାପ୍ତ କରାଏ ,ସଂକୀର୍ଣ୍ଣ ମାନସିକତାକୁ ଦୂରାଏ ,ନାରୀ ଓ ପୁରୁଷ ଜନିତ ଭେଦଭାବକୁ ମଧ୍ୟ ଅନେକାଂଶରେ ଦୂର କରେ ।ତେଣୁ ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତିଟି ଯଦି ଆଉ ଜଣେ ଅଳ୍ପଶିକ୍ଷିତ ବା ଅର୍ଦ୍ଧ ଶିକ୍ଷିତ ବ୍ୟକ୍ତିକୁ କୌଣସି ପରିସ୍ଥିତିରେ ପଡି ବିବାହ କରୁଛି ତେବେ ସମାନଙ୍କ ମଧ୍ୟରେ ଚିନ୍ତା- ଚେତନାର ଅସମାନତା ସେମାନଙ୍କ ଭିତରେ ଅନେକ ଦ୍ୱନ୍ଦ୍ୱ ବା ସମସ୍ୟା ସୃଷ୍ଟିକରିବାର କାରଣ ହେବାର ଦୃଷ୍ଟାନ୍ତ ରହିଛି ଆମ ସମାଜରେ। ଯଦିଓ ଆମ ଭାରତୀୟ ସମାଜର ସଂସ୍କୃତି,ପରମ୍ପରା ଜନିତ ସଂସ୍କାର ଯୋଗୁଁ ଅଧିକାଂଶ ନାରୀ ଓ କେତେକାଂଶରେ ପୁରୁଷ ମଧ୍ୟ ବୈବାହିକ ସମ୍ପର୍କକୁ ପବିତ୍ର ଓ ମହାନ ଭାବି ଏହାକୁ ଯଥା- ତଥା ସମ୍ଭାଳି ରଖିବାକୁ ପ୍ରୟାସ କରୁଥାନ୍ତି ମାତ୍ର ; ଏହି ସମ୍ପର୍କ ସେମାନଙ୍କ ପାଇଁ ବାଧ୍ୟତାମୂଳକ ବୋଝ ପରି ବହନ କରିବାକୁ ପଡେ। ଯେଉଁ ଥିରେ ଆତ୍ମତୃପ୍ତିର ନ ପାଇପାରୁଥିଲେ ସୁଧା ସମାଜର କଟାକ୍ଷ ବା ନିନ୍ଦା ଓ ସମ୍ମାନ ଡରରେ ବଞ୍ଚେଇ ରଖିବାର ଆଜୀବନ ପ୍ରୟାସ କରୁଥାନ୍ତି।ସମ୍ପତ୍ତିଗତ ଅସମାନତା :- ସମ୍ପତ୍ତିଗତ ଅସମାନତା ବା ଜଣେ ଧନୀ ଓ ଜଣେ ଗରୀବ ମଧ୍ୟରେ ବୈବାହିକ ସମ୍ପର୍କ ସ୍ଥାପନ ଫଳରେ ଧନୀବ୍ୟକ୍ତିଟିଏ ସବୁବେଳେ ତା’ର ବିପକ୍ଷରେ ଥିବା ବ୍ୟକ୍ତିକୁ ହୀନ ବ୍ୟବହାର କରିବାର ଦୃଷ୍ଟାନ୍ତ ମଧ୍ୟ ରହିଛି। ଯେପରିକି ଗୋଟିଏ ଧନୀଘର ଝିଅକୁ ବୋହୂ କଲେ ସେ ସବୁବେଳେ ନିଜ ବାପଘରର ବଡପଣିଆ ସାହସରେ , ସ୍ଵାମୀ ବା ଶାଶୁଘର ଲୋକଙ୍କୁ ତୁଚ୍ଛ ବ୍ୟବହାର କରିବା ।ସେହିପରି ଧନୀଘରେ ଝିଅଟିଏ ଦେଇଥିଲେ ଝିଅଟିକୁ ସବୁବେଳେ ତୁଚ୍ଛ ବ୍ୟବହାର କରି ବିଭିନ୍ନ ଖୁଣ୍ଟଣା ଦିଆଯିବା ସହ ହୀନ ଦୃଷ୍ଟିରେ ଦେଖାଯାଏ । ଯୌତୁକ ପ୍ରଥାର କୁପ୍ରଭାବ ବା ଯୌତୁକ ଲୋଭ:- ଯୌତୁକ ପ୍ରଥାର କୁପ୍ରଭାବ ଫଳରେ କେତେକ ପୁଅର ଅଭିଭାବକମାନଙ୍କ ମନରେ ଯୌତୁକ ଲୋଭ ପୁଅ ବଡହେବା ସହ ବଢିଚାଲିଥାଏ। ତେଣୁ ସେମାନେ କନ୍ୟା ପକ୍ଷରୁ ଯୌତୁକ ନେବାକୁ ଏକ ପ୍ରକାର ହକ୍ ବୋଲି ମାନିନିଅନ୍ତି। କିଛି ଲୋକ ତ ଯୌତୁକ ଲୋଭରେ ବା ଅଧିକ ଯୌତୁକ ଆଶାରେ ବୋହୂ ମାନଙ୍କୁ ନିର୍ଯ୍ୟାତନା ଦେଇ ଘରୁ ତଡିଦେବା ,ହତ୍ୟା କରିବା ବା ଆତ୍ମହତ୍ୟା କରିବାକୁ ବିବଶ କରିଦିଅନ୍ତି। ଏହାର ତ କୁଢ କୁଢ ଉଦାହରଣ ଆମ ଭାରତରେ ରହିଛି ।ଯାହା ଆମେ ପ୍ରତିଦିନ ଖବର କାଗଜରେ ପଢୁଛେ ,ଶୁଣୁଛେ,ଆମ ଚତୁ଼ର୍ପାର୍ଶ୍ୱରେ ସ୍ୱଚକ୍ଷୁରେ ଦେଖୁଛେ ମଧ୍ୟ। ସ୍ଵାମୀ- ସ୍ତ୍ରୀ ବା ନାରୀ- ପୁରୁଷ ସମ୍ପର୍କ ଜନିତ ହୀନମନ୍ୟତା:- ଆମ ଭାରତର ଶାସ୍ତ୍ର- ପରମ୍ପରା ବା ସଂସ୍କୃତି ଆମକୁ ଶିଖାଏ ନାରୀ/ ସ୍ତ୍ରୀ ସବୁବେଳେ ପୁରୁଷ/ ସ୍ଵାମୀର ଅଧସ୍ଥାନସ୍ତମ୍ । ଯଦିଓ ଦୁର୍ଗା,କାଳୀ,ଲକ୍ଷ୍ମୀ ଭଳି ଦେବୀ ମାନଙ୍କୁ ପୂଜା କରାଯାଏ ମାତ୍ର; ନିଜ ପରିବାରର ବା ସମାଜର ନାରୀମାନଙ୍କୁ ତୁଚ୍ଛ ନଜରରେ ଦେଖାଯାଏ। ଏହା ବଂଶଗତ ,ପରମ୍ପରାଗତ ବା ହୀନମାସିକତା ଯୋଗୁଁ ହୋଇଥାଉ ପଛେ । ନିଜ ସଂସାର ଭାର ନିଜେ ସମ୍ଭାଳିବା:- ବିବାହପରେ କୈ।ଣସି ସ୍ଥିତିରେ ନିଜ ସଂସାର( ନିଜ ସ୍ତ୍ରୀ,ପିଲା)ଙ୍କୁ ବୋଝ ବୋଲି ଭାବି ବା ଭାର ବହନ କରି ନପାରି ପରିତ୍ୟାଗ କରିବ ବା ଅନ୍ୟମାନଙ୍କ ଉପରେ ଲଦି ଦେଇ ନିଜେ ଦାୟିତ୍ୱମୁକ୍ତ ହୋଇ ଅନ୍ୟତ୍ର ରହିବା ସର୍ବାଦୈ। ଅନୁଚିତ ।କାରଣ ଆମେ ଯେପରି କେଉଁ ପ୍ରକାର ଖାଦ୍ୟ ଖାଇବୁ ,କେଉଁ ପ୍ରକାର ବସ୍ତ୍ର ପିନ୍ଧିବୁ ତାହା ଆମ ଇଛା ମୁତାବକ ହେବା ଆମକୁ ତୃପ୍ତି ଦିଏ। ସେପରି ନିଜ ସଂସାରକୁ ନିଜ ହିସାବରେ ଗଢିବା ଯେମିତି ନିଜ ପତ୍ନୀଙ୍କ ପାଖେ ରହି ପିଲାଙ୍କୁ ଗୋଟିଏ ଚରିତ୍ରବାନ,ସୁମଣିଷ କରି ଗଢିବାରେ ସାହାଯ୍ୟ କରିବା । ତଥା ସେମାନଙ୍କ ଆବଶ୍ୟକତାକୁ ବୁଝି ସେସବୁ ଯଥାସାଧ୍ୟ ପୂରଣ କରିବା ସହ ସେମାନଙ୍କୁ ଯଥେଷ୍ଟ ସ୍ନେହ,ସମ୍ମାନ ଓ ସମୟ ମଧ୍ୟ ଦେବା ଜରୁରୀ। କାରଣ ଯେ କୈ।ଣସି ସମ୍ପର୍କ ହେଉ ନା କାହିଁକି ଉପଯୁକ୍ତ ସ୍ନେହ,ସମ୍ମାନ,ଯତ୍ନ ,ଶାସନ ଓ ସମୟର ଅଭାବ ଯୋଗୁଁ ନଷ୍ଟ ତଥା କଷ୍ଟଦାୟକ ହୋଇଯାଏ । ପିଲାଙ୍କୁ ଉଭୟ ପିତାମାତାଙ୍କ ସ୍ନେହ ,ଆକଟ ଉପଯୁକ୍ତ ମଣିଷ କରି ଗଢିବାରେ ସହାୟକ ।ଜଣକର ମଧ୍ୟ ଅନୁପସ୍ଥିତି ପିଲାଙ୍କୁ ବିଶୃଙ୍ଖଳ ତଥା ଦୁଃଖି ବା ଅସହାୟ କରିଦିଏ। ତେଣୁ ପତି- ପତ୍ନୀଙ୍କ ଭିତରେ ବୁଝାମଣା,ସ୍ନେହ ,ସମ୍ମାନ ଓ ଏକାଠି ମିଳିମିଶି ଖୁସିରେ ରହିବା ଦ୍ୱାରା ଏହା ପିଲାଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ। ଅଧିକାଂଶ କ୍ଷେତ୍ରରେ ଆଜିର ସମାଜରେ ଦେଖାଯାଏ ଯେ ବାପା ହେବା ପରେ ପୁରୁଷଟିଏ ତ ପୂର୍ବଭଳି ନିଜ କର୍ମକ୍ଷେତ୍ରରେ ବା ରୋଜଗାର ପାଇଁ ବ୍ୟସ୍ତ ରହେ ହେଲେ ନାରୀଟିକୁ ଶାଶୁଘର ଦାୟିତ୍ୱ ସହ ପିଲାମାନଙ୍କ ଦାୟିତ୍ୱ ମଧ୍ୟ ଏକାକୀ ସମ୍ଭାଳିବାକୁ ପଡେ ।ଆଉ ସେଇ ଜଞ୍ଜାଳ ଭିତରେ ନିଜର ସମସ୍ତ ଖୁସିର ତ୍ୟାଗ କରିଦିଅନ୍ତି ଘରର ଚାରି କାନ୍ଥ ଭିତରେ। ଏହା ମଧ୍ୟ ଏକପ୍ରକାର ଅନ୍ୟାୟ ।ପିଲା ଯେହେତୁ ଉଭୟଙ୍କର ,ତେଣୁ ଉଭୟ ମିଳିମିଶି ନିଜ ସନ୍ତାନର ଦାୟିତ୍ୱ ବହନ କରିବା ଉଚିତ୍। ନାରୀମାନଙ୍କ କର୍ମଜୀବି ହେବା:- କର୍ମଜୀବି ନାରୀମାନଙ୍କ କ୍ଷେତ୍ରରେ ମଧ୍ୟ ବିବାହପରେ ଅନେକ ସମସ୍ୟା ଦେଖାଦିଏ ।କାରଣ କର୍ମଜୀବି ମହିଳାମାନଙ୍କୁ ଯେତେବେଳେ ଶାଶୁଘରର କର୍ମ/ କର୍ତ୍ତବ୍ୟ ସହ କର୍ମସଂସ୍ଥାନର ଅଧିକାରୀର କର୍ତ୍ତବ୍ୟ କରିବାକୁ ପଡେ ଆଉ ଏଥିରେ ଯଦି ନାରୀଟିଏ ଭାରସାମ୍ୟ ରକ୍ଷା କରିବାକୁ ଅସମର୍ଥ ହୁଏ ତେବେ ତାକୁ ଶାଶୁଘରୁ ଅନେକ କଟୁକଥା ଶୁଣିବାକୁ ପଡେ ଏହା ସହ ବହୁତ ମାନସିକ ଚାପର ଭାର ବହନ କରିବାକୁ ପଡେ। କେତେକ କ୍ଷେତ୍ରରେ କର୍ମଜୀବି ମହିଳାଟିଏ ମଧ୍ୟ ରୋଜଗାର କରୁଥିବାରୁ ଶାଶୁ- ଶ୍ୱସୁର-ସ୍ଵାମୀ ଓ ପିଲାଙ୍କୁ ଭ୍ରୁକ୍ଷେପ ନକରି ବଧୂର କର୍ତ୍ତବ୍ୟ କରିବାରୁ ନିବୃତ୍ତ ରୁହନ୍ତି।ଯାହା ବୈବାହିକ ସମ୍ପର୍କରେ ଅସନ୍ତୋଷ ସୃଷ୍ଟି କରେ। ସହଜ,ସରଳ ଭାବରେ ନିଜ ଅନୁଭୂତି/ ଅଭିଜ୍ଞତା କହେ ଯେ ଆମ ସମସ୍ତଙ୍କୁ ଖୁସିରେ ଜୀବନ ବିତାଇବାର ହକ୍ ଅଛି। ଜୀବନକୁ କୌଣସିମତେ ବୁଝାମଣା କରି ବିତାଇଦେବାକୁ ଚେଷ୍ଟା କରିବା ଆଦୌ ସହଜ ନୁହେଁ ବା କରିବା ଅନୁଚିତ୍ ମଧ୍ୟ। ମୃତ୍ୟୁ ପରର ପରଜନ୍ମ କିଏ ବା ଦେଖିଛି ।କିଏ ବା ଜାଣିଛି ଯେ,” ମୁଁ ମୃତ୍ୟୁ ପରେ ପୁଣି ମନୁଷ୍ୟଯୋନି ଲାଭ କରିବି ବା ଗୋଟିଏ ଏହି ଜୀବନଠୁ ଭଲ ଜୀବନଟିଏ ବଞ୍ଚିବାର ସୁଯୋଗ ପାଇବି” ବୋଲି। ତେଣୁ ଏଇ ଜୀବନକୁ ଆମେ କିପରି ସୁନ୍ଦର ଓ ଭଲ କରି ବଞ୍ଚିପାରିବା ସେଥିପାଇଁ ଚେଷ୍ଟା କରିବା ଉଚିତ୍। ମରି ମରି ବଞ୍ଚିବା ଅପେକ୍ଷା କିଛି କ୍ଷଣ ଭଲକରି ଜୀବନଟିଏ ବଞ୍ଚିକି ମରିବା ।ସେଥିପାଇଁ ଆମେ ଯେଉଁ ପ୍ରକାରରେ ଆମର ବା ଆମ ପିଲାମାନଙ୍କର ଜୀବନକୁ ଅଧିକରୁ ଅଧିକ ସହଜ ସୁନ୍ଦର ଓ ଉତ୍କୃଷ୍ଟ ଜୀବନଟିଏ ବଞ୍ଚିବାକୁ ଦେବାପାଇଁ କିଛି ପଦକ୍ଷେପ ନେଇପାରିବା ତାହା କରିବା ଜରୁରୀ। ଅର୍ଥାତ ସମାଜରେ ଶୃଙ୍ଖଳିତ ଜୀବନଟିଏ ବଞ୍ଚିବା ପାଇଁ ନବେ ପ୍ରତିଶତ ବ୍ୟକ୍ତି ବୀବାହ ବନ୍ଧନରେ ବାନ୍ଧି ହୁଅନ୍ତି। ତେଣୁ ଏହି ବନ୍ଧନ ଯଦି ସମ୍ଭଭତଃ ସମସ୍ତଙ୍କର ବା ଅଧିକାଂଶ ଦମ୍ପତ୍ତିଙ୍କର ସଫଳ ପ୍ରମାଣିତ ହେବ ତେବେ ସତରେ ସମାଜ ଶୃଙ୍ଖଳିତ ଓ ସୁନ୍ଦର ହୋଇପାରିବ। କାରଣ ବ୍ୟକ୍ତି ପରିବାରକୁ ନେଇ ତୃପ୍ତ ଥିଲେ ସନ୍ତୁଳିତ ମାନସିକତାରେ ସମାଜ ତଥା ଦେଶ ପାଇଁ ମଧ୍ୟ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ କର୍ମ,କର୍ତ୍ତବ୍ୟ ବା ଚିନ୍ତା କରିପାରି ସେସବୁକୁ ସଫଳ ରୂପାୟନ କରିପାରିବ। ଆମେ ଅନେକ ‘ଟିଭି-ସୋ’ରେ ଦେଖିଥିବା ଯେ କେହି କୁହନ୍ତି ମୋ ସ୍ଵାମୀଙ୍କ ଯୋଗୁଁ ମୁଁ ଆଜି ସଫଳତା ପାଇପାରିଛି ବା କେହି ପୁରୂଷ କୁହନ୍ତି ମୁଁ ମୋ ମା ବା ପତ୍ନୀଙ୍କ ସହଯୋଗ ଓ ପ୍ରେରଣାରେ ସଫଳ ହୋଇପାରିଛି। ତେଣୁ ଏଥିରୁ ପ୍ରମାଣିତ ଯେ ସଫଳ ବ୍ୟକ୍ତିତ୍ୱଙ୍କ ପଛରେ ନିଃସନ୍ଦେହ ପାରିବାରିକ ପ୍ରେରଣା ବା ସହଯୋଗିତା ଥାଏ। ତେଣୁ ପରିବାର ସନ୍ତୁଳିତ ହେବାକୁ ଆମେ ଯଥା ସମ୍ଭବ ପ୍ରୟାସ କରିବା ଉଚିତ୍। ତେବେ ଯଦି ଉପରୋକ୍ତ କାରଣଗୁଡିକୁ ନଜର ରଖି ବିବାହ କରାଯାଏ ତେବେ ହୁଏତ କିଛି ମାତ୍ରାରେ ବିବାହ ଜନିତ ସମସ୍ୟାର ପରିମାଣ କମିଯାଆନ୍ତା। ଆଉ ଏସବୁ ଦିଗ ପ୍ରତି ସତର୍କ ରହି ବିବାହ କରିବା ପରେ ମଧ୍ୟ ଯଦି ଜଣେ ଦମ୍ପତ୍ତିଙ୍କ ଭିତରେ ଅସନ୍ତୋଷ ଦେଖାଦେଉଛି ତେବେ ଏହାର ସମାଧାନ ପାଇଁ କିଛି ନିୟମ ମଧ୍ୟ ହେବା ଆବଶ୍ୟକ କରିବା ଉଚିତ୍। ଯେପରି ଜଣେ ନାରୀ ଯଦି ଶାଶୁଘର ବା ସ୍ଵାମୀଙ୍କୁ ନିଜ ସେବା -କର୍ତ୍ତବ୍ୟ ଦ୍ୱାରା ସନ୍ତୁଷ୍ଟ କରିବାକୁ ଅକ୍ଷମ ତେବେ ସେ ନାରୀ ପ୍ରତି ଅଯଥା ନିର୍ଯ୍ୟାତନା ନ ଦେଇ ତା’ର ଅଯୋଗ୍ୟତାର ପ୍ରମାଣ ସହ ବାପଘର ଲୋକଙ୍କୁ ହସ୍ତାନ୍ତରଣ କରିବା ଉଚିତ୍ । ସେହି ପରିତ୍ୟକ୍ତା ନାରୀକୁ ମଧ୍ୟ ଅନ୍ୟତ୍ର ବିବାହ ଅଥବା ଅନ୍ୟ କୌଣସି ପ୍ରକାରର ଥଇଥାନ କରାଇବାର ନିୟମ ରହିବା ଆବଶ୍ୟକ। କାରଣ ପୁରୁଷଟିଏ ବିବାହ କରିବାର ତ ସ୍ଵୀକୃତି ଅଛି ଆମ ସମାଜରେ ମାତ୍ର ; ନାରୀ ପାଇଁ ବିଭିନ୍ନ ପ୍ରଶ୍ନ ଉଠେ। ସେହିପରି ବନ୍ଧୁ ସର୍ବଦା ସମାସ୍କନ୍ଧ ବ୍ୟକ୍ତି ସହ ବାନ୍ଧିବା ଉଚିତ୍ ।ବିଶେଷକରି କନ୍ୟାପକ୍ଷରେ। କାରଣ ଝିଅଟିକୁ ଧନୀଘରକୁ ବୋହୂ କରି ଖୁସି ହେବା ବଦଳରେ ଚିନ୍ତା କରିବା ଉଚିତ୍ ସେଠାରେ ଝିଅ ପ୍ରତି ଯଥେଷ୍ଟ ସମ୍ମାନ ରହିବ କି ନାହିଁ। ଏହା ବ୍ୟତୀତ କନ୍ୟା ପକ୍ଷ ଯୌତୁକ ଦେବା ପ୍ରଥାର ଉଚ୍ଛେଦ କରିବା ସହ କନ୍ୟାର ସୁରକ୍ଷା ପାଇଁ ଯେଉଁ ବାପାମାଆ କିଛି ଦେବାକୁ ଚାହାନ୍ତି ଝିଅ ନାମରେ କିଛି ସମ୍ପତ୍ତି ବା ଟଙ୍କା ଜମା କରି ରଖିବା ଉଚିତ୍ । ଯାହାଫଳରେ କନ୍ୟାର ମଧ୍ୟ କିଛି ଦମ୍ଭ ଶାଶୁଘରେ ରହିପାରିବ ଓ ସେ ଅସୁବିଧା ସମୟରେ ଏହା ନିଜ ପାଇଁ ଖର୍ଚ୍ଚ କରିପାରିବ। ନାରୀଠୁ ପୁରୁଷ ବଡ ବୋଲି ଥିବା ହୀନମନ୍ୟତାକୁ ନେଇ ବିବାହ ପୂର୍ବରୁ ହିଁ କୈ।ଣସି ସର୍ତ୍ତ ବା ଶପଥ ଦ୍ୱାରା ଦୂର କରିବା ଉଚିତ୍। ଯାହା ଫଳରେ ପୁରୁଷମାନେ ବିବାହ ପରେ ନାରୀକୁ ଗୋଟିଏ ଭୋଗ୍ୟ ବସ୍ତୁ,ସେବିକା ବା ଜଡବସ୍ତୁ ସମ ବୋଲି ମନରେ ଭାବନା ରଖିବେ ନାହିଁ।ଉପସଂହାର- ଏ ସମାଜରେ ଅବହେଳିତ ,ନିର୍ଯ୍ୟାତିତ ହେଉଥିବା ମହିଳାମାନଙ୍କ ମଧ୍ୟରେ ଆନୁମାନିକ ବିବାହିତା ନାରୀ ହିଁ ଅଧିକ ହେବେ। ବିବାହପରେ ପ୍ରାୟ ସମସ୍ତନାରୀ ଜୀବନ ବଦଳେ ନିଶ୍ଚୟ କିନ୍ତୁ କଷ୍ଟଦାୟକ ,ଅସହାୟ ନ ହେଉ ସେଥିପ୍ରତି ଆମେ ସମସ୍ତେ ସଚେତନ ଆବଶ୍ୟକ। ସର୍ବୋପରି ନାରୀମାନେ ପୁରୁଷ ଭଳି ଏକ ସାମାଜିକ ପ୍ରାଣୀ ଆଉ ପୁରୁଷଠାରୁ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଆଗରେ ଅଥବା ସମତୁଲ୍ୟ ବୋଲି କହିବାରେ କୌଣସି ଦ୍ୱିଧା ନାହିଁ। ତେଣୁ ସହଜ ,ସୁନ୍ଦର,ସ୍ଵାଧୀନ ଜୀବନ ବିତାଇବାରେ ନାରୀ ମାନେ ମଧ୍ୟ ନିର୍ଭୟା, ଦ୍ଵିଧାହୀନ ହେବା ଜରୁରୀ। ଆଉ ତାହା ହୋଇପାରିବ ଯେତେବେଳେ ନାରୀ ନିଜକୁ ଆପଣାର ଲୋକ ବା ଜୀବନ ସାଥି ନିକଟରେ ସୁରକ୍ଷିତ,ସ୍ୱତନ୍ତ୍ର,ନିର୍ଭୟ ଓ ନିଶ୍ଚିତ ଅନୁଭବ କରିବ। ✍️ଚିନ୍ମୟୀ ସାହୁ।ମୂଳିସିଂ,ସହର।ଜଗତସିଂହପୁର।
