କଲ୍ୟାଣୀରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଭାତୃତ୍ବ ଦିବସ ପାଳିତ…
ରାଉରକେଲା: ସ୍ଥାନୀୟ ହମିରପୁର ସ୍ଥିତ କଲ୍ୟାଣୀ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଅଧ୍ୟାପକ ମଞ୍ଚ ‘ମନ୍ଥନ’ର ମିଳିତ ଆନୁକୂଲ୍ୟରେ ବିଶ୍ବ ଭାତୃତ୍ବ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଡ. ରେଣୁବାଳା ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ନୀଳଶୈଳ ମହାବିଦ୍ୟାଳୟ, ଜଗଦାର ପ୍ରାକ୍ତନ ଅଧ୍ୟକ୍ଷ ତଥା ଅର୍ଥଶାସ୍ତ୍ର ପ୍ରାଧ୍ୟାପକ ଗଜେନ୍ଦ୍ର ନାଥ ଦାଶ ବିଷୟ ବିଶେଷଜ୍ଞ ଭାବରେ ଯୋଗଦେଇଥିଲେ। ସେହିପରି ଇତିହାସ ବିଭାଗର ଅଧ୍ୟାପିକା ଡଃ ରାଜଶ୍ରୀ ନାୟକ ମଞ୍ଚାସୀନ ଥିଲେ।ଅଧ୍ୟକ୍ଷା ଶ୍ରୀମତୀ ସ୍ବାଇଁ ସଭାପତିତ୍ବ ଅଭିଭାଷଣ ପ୍ରଦାନ କରି ଆଲୋଚନା ଚକ୍ରର ମୁଖ୍ୟ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ବିଷୟ ବିଶେଷଜ୍ଞ ଡ. ଦାଶ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆଜିର ଏହି ପବିତ୍ର ଦିବସରେ ସ୍ବାମୀ ବିବେକାନନ୍ଦ ଆମେରିକାର ଚିକାଗୋ ଧର୍ମ ସମ୍ମିଳନୀରେ ଭାରତୀୟ ଧର୍ମ, ସଂସ୍କୃତି ଓ ସଂସ୍କାରର ଜୟଘୋଷ କରିବା ସହ ‘ବସୁଧୈବ କୁଟୁମ୍ବକମ୍’ ଭାବନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିଥିଲେ। ବର୍ତ୍ତମାନ ସମୟରେ ସେହି ମହାନ ଭାରତୀୟ ସଂସ୍କୃତିର ପୁନଃ ପ୍ରତିଷ୍ଠା ଏବଂ ବିଶ୍ୱ କଲ୍ୟାଣର ମୂଳ ମନ୍ତ୍ର ହେଉଛି ଭାତୃତ୍ବ ଭାବ। ଏଥିସହ ଛାତ୍ରଛାତ୍ରୀମାନେ ନିଜ ଜୀବନରେ ଏହି ନୀତିକୁ ଆପଣେଇ କିପରି ଜଣେ ଜଣେ ଉତ୍ତମ ନାଗରିକ ହୋଇପାରିବେ, ସେ ସମ୍ପର୍କରେ ପ୍ରେରଣା ଦେଇଥିଲେ।ଅଧ୍ୟାପିକା ଡଃ ନାୟକ ଭାରତୀୟ ଇତିହାସର ସ୍ବର୍ଣ୍ଣିମ ଅଧ୍ୟାୟ ତଥା ବିବେକାନନ୍ଦଙ୍କ ଆଦର୍ଶ ଚିନ୍ତାଧାରା ବିଷୟରେ ପିଲାମାନଙ୍କୁ ବହୁ ଶିକ୍ଷଣୀୟ କଥା କହିଥିଲେ। ଛାତ୍ରୀ ଶ୍ରଦ୍ଧାଞ୍ଜଳି ମହାପାତ୍ର ବିଶ୍ବ ଭାତୃତ୍ବ ଦିବସ ଅବସରରେ ମତ ରଖି କହିଥିଲେ ଯେ, ଆଜିର ଅମୃତ ପିଢ଼ୀର ମୁଖ୍ୟ ଆଦର୍ଶ ସ୍ୱାମୀ ବିବେକାନନ୍ଦ ହେବା ଏକାନ୍ତ ଆବଶ୍ୟକ ଏବଂ ଏହା ହିଁ ସମୟର ମୁଖ୍ୟ ଆହ୍ବାନ।କଲେଜର ଅଧ୍ୟାପକ ତଥା ମନ୍ଥନର କାର୍ଯ୍ୟକର୍ତ୍ତା ସମୀର କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମଟିକୁ ସଂଯୋଜନା ଓ ପରିଚାଳନା କରିଥିଲେ। ଶେଷରେ ଓଡ଼ିଆ ବିଭାଗ ଅଧ୍ୟାପିକା ଡଃ ରୀନା ମହାନ୍ତି ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। ଏହି ଉତ୍ସବରେ ଡଃ ଜୁଲି ଦାସ, ଅନୁପମା କାଣ୍ଡୁଲନା ,ସ୍ୱସ୍ତି ସୁଚରିତା ବେହେରା,ପଦ୍ମନାଭ ପାଣିଗ୍ରାହୀ, ରଙ୍ଗାଧର ଦାସ , ତପସ୍ଵିନୀ ସାହୁ, କୁମାରି ବିଟା ବଣ୍ଣାଳି ସାହୁ, ଅଙ୍କିତା ପ୍ରାଣିଗ୍ରାହୀ, କେଶବ ସମା଼ ପ୍ରମୁଖ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କଲେଜ କର୍ମଚାରୀବୃନ୍ଦ ସୁଶ୍ରୀ ଅର୍ଣ୍ଣପୁର୍ଣ୍ଣା ସାହୁ,ପ୍ରଦିପ୍ ସେନାପତି, ବାବୁଲି ବାରିକ, ମଞ୍ଜୁଲତା ମହାପାତ୍ର, ଲକ୍ଷ୍ମଣ ରଜାକ୍, ସୁମନ୍ତ ଜେନା, ଦିଲିପ୍ କୁମ୍ଭାର , ଶ୍ରୀମତୀ ଫ୍ରାନ଼ସିସ୍କା ତଥା ଶହ ଶହ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
