ଶ୍ରୀଶଙ୍କର ଜିତିଲେ ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩ା୫: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌ଏ)ର ଚୁଲା ଭିଷ୍ଟାଠାରେ ଅନୁଷ୍ଠିତ ଏମ୍‌ଭିଏ ହାଇପରଫର୍ମାନ୍ସ ଆଥ୍‌ଲେଟିକ୍ସ ମିଟ୍‌ରେ ଭାରତୀୟ ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର ୮.୨୯ ମିଟର ଜମ୍ପ୍‌ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ତାଙ୍କ ଗତ ବର୍ଷର ବ୍ୟକ୍ତିଗତ ଶ୍ରେଷ୍ଠ ୮.୩୬ ମିଟରଠାରୁ ୦.୦୭ ମିଟର କମ୍‌ ରହିଛି। ଚଳିତ ସିଜନରେ ଏହା ଥିଲା ତାଙ୍କର ଦ୍ୱିତୀୟ ଇଭେଣ୍ଟ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ସେ ଏକ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ଚାଇନାର ମା ଓ୍ବିଡଙ୍ଗ୍‌ (୭.୯୯ ମିଟର) ନିଜ ଦେଶର ହୁଆଫେଙ୍ଗ୍‌ ହୁଆଙ୍ଗ୍‌ (୭.୬୧ ମିଟର)ଙ୍କଠାରୁ ଆଗରେ ରହି ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ରୌପ୍ୟ ଜିତିଛନ୍ତି। ଆସନ୍ତା ଅଗଷ୍ଟରେ ବୁଦାପେଷ୍ଟଠାରେ ହେବାକୁଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ୨୦୨୩ ପାଇଁ କ୍ୱାଲିଫାଇଂ ଷ୍ଟାଣ୍ଡାର୍ଡ ୮.୨୫ ମିଟର ରହିଛି। ଗତ ମାସ ପ୍ରାରମ୍ଭରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରଁା ପ୍ରିରେ ଶ୍ରୀଶଙ୍କର ୭.୯୪ ମିଟର ଜମ୍ପ କରିଥିଲେ। ପୂର୍ବରୁ ସେ ୮.୩୬ ମିଟର ଜମ୍ପ୍‌ କରି ଜାତୀୟ ରେକର୍ଡ କରିଥିଲେ। କିନ୍ତୁ ମାର୍ଚ୍ଚରେ ଇଣ୍ଡିଆନ ଓପନ ଜମ୍ପ୍ସ ଚାମ୍ପିୟନଶିପ୍‌ରେ ଜେସଓ୍ବିନ ଆଲ୍‌ଡ୍ରିନ୍‌ (୮.୪୨ମିଟର) ତାଙ୍କର ଏହି ରେକର୍ଡକୁ ଭଙ୍ଗ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *