ପୁରୀ ଜିଲ୍ଲାରେ ହତ୍ୟା ମାମଲାରେ ଦୋଷସିଦ୍ଧି
ପୁରୀ, ତା. ୧୮.୧୧.୨୦୨୬: ପୁରୀ ଜିଲ୍ଲାରେ ଚଳିତ ନଭେମ୍ବର ମାସରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଦୋଷସିଦ୍ଧି ହୋଇଛି। ଡେଲାଙ୍ଗ ଥାନା କେସ୍ ନଂ ୧୩୯/୨୦୧୪, ଏସ୍.ଟି. କେସ୍ ନଂ ୧୧/୩୭/୨୦୧୫ରେ ମାନ୍ୟବର ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ପୁରୀ ଶ୍ରୀ ସାଏକତ ପାତ୍ର ଅଭିଯୁକ୍ତ ତ୍ରିଲୋଚନ ଜେନାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଇପିସି ଧାରା ୩୦୨ ଅନୁଯାୟୀ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧୦,୦୦୦ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ଆଦେଶ ହୋଇଛି। ଏହା ସହିତ ଆଇପିସି ଧାରା ୧୪୭ ଅନୁଯାୟୀ ୬ ମାସ ଏବଂ ଧାରା ୧୪୮ ଅନୁଯାୟୀ ୮ ମାସ ସଶ୍ରମ କାରାଦଣ୍ଡ ମଧ୍ୟ ପ୍ରଦାନ କରାଯାଇଛି।ମାମଲାର ସଂକ୍ଷିପ୍ତ ବିବରଣୀ: ୩୦.୦୭.୨୦୧୪ ତାରିଖ ରାତି ପ୍ରାୟ ୧୧.୩୦ ମିନିଟ୍ ସମୟରେ ଅଭିଯୁକ୍ତ ତ୍ରିଲୋଚନ ଜେନା ଅଭିଯୋଗକାରୀଙ୍କ ଘରେ ପହଞ୍ଚି ତାଙ୍କ ଭଉଣୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ସମୟରେ ତାଙ୍କ ଭାଇ ଘଟଣାସ୍ଥଳକୁ ଆସିବାରୁ ଅଭିଯୁକ୍ତ ତାଙ୍କ ମୁଣ୍ଡକୁ ଫାର୍ସାରେ ଆଘାତ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ଜଟଣୀ, ପରେ ଭୁବନେଶ୍ୱର ଏବଂ ଶେଷରେ କଟକ ଏସ୍.ସି.ବି. ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।ଏହି ମାମଲାରେ ମୋଟ ୨୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଅଦାଲତରେ ଗ୍ରହଣ କରାଯାଇଥିଲା। ଅତିରିକ୍ତ ପବ୍ଲିକ୍ ପ୍ରୋସିକ୍ୟୁଟର ଶ୍ରୀ ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକଙ୍କ ଦକ୍ଷ ଯୁକ୍ତି ଏବଂ ପୋଲିସ ଓ ଅଭିଯୋଜନ ପକ୍ଷର ସମନ୍ୱିତ ପ୍ରୟାସ ଫଳରେ ଏହି ଦୋଷସିଦ୍ଧି ସମ୍ଭବ ହୋଇପାରିଛି।ଏହି ସଫଳତା ପାଇଁ କ୍ୟାଡର ଅତିରିକ୍ତ ପବ୍ଲିକ୍ ପ୍ରୋସିକ୍ୟୁଟର ଶ୍ରୀ ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, ସହଯୋଗୀ ଶ୍ରୀମତୀ ସ୍ୱପ୍ନା ନନ୍ଦ ପଟ୍ଟନାୟକ ଏବଂ ତଦନ୍ତକାରୀ ଅଧିକାରୀ ଶ୍ରୀ ଅସିତ ରଞ୍ଜନ ମହାନ୍ତିଙ୍କୁ ଅଭିନନ୍ଦନ ଜଣାଯାଉଛି।ପୁରୀ ପୋଲିସର ଅଭିଯୋଜନ ଓ ତଦନ୍ତ କ୍ଷେତ୍ରରେ ସମନ୍ୱିତ ପ୍ରୟାସର ଏହା ଆଉ ଏକ ସଫଳତା।
