ମିନି କୋଣାର୍କ ‌‌ଗଙ୍ଗେଶ୍ୱରୀ ପୀଠ ପର୍ଯ୍ୟଟନ କେନ୍ଦ୍ର ଭାବେ ଘୋଷଣା

ମିନି କୋଣାର୍କ ‌‌ଗଙ୍ଗେଶ୍ୱରୀ ପୀଠ ପର୍ଯ୍ୟଟନ କେନ୍ଦ୍ର ଭାବେ ଘୋଷଣା l ଗୋପ – ଆମ ରାଜ୍ୟର ୪ ସ୍ଥାନକୁ ପର୍ଯ୍ୟଟନ କେନ୍ଦ୍ର ବା ଟୁରିଷ୍ଟ ସେଣ୍ଟର ଭାବେ ଚିହ୍ନଟ କରିଛନ୍ତି ରାଜ୍ୟ ସରକାର। ମିନି କୋଣାର୍କ ଭାବେ ପରିଚିତ ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ବୟାଳିଶି ବାଟି ଠାରେ ଥିବା ଗଙ୍ଗେଶ୍ବରୀ ପୀଠ ଓ ସତ୍ୟବାଦୀ ବ୍ଲକ ସୁଆଣ୍ଡୋ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ସ୍ଥାନକୁ ନୁଆ ପର୍ଯ୍ୟଟନ କେନ୍ଦ୍ର ଭାବେ ସାମିଲ କରାଯାଇଛି। ପର୍ଯ୍ୟଟନସ୍ଥଳର ବିକାଶ ଜରିଆରେ ଅର୍ଥନୀତି ଓ ସାମାଜିକ ଉନ୍ନତି କରିବା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏଥିସହ ପୁରୀ ଜିଲ୍ଲାର ଭକ୍ତ ଦୁଇ ଅଞ୍ଚଳର ବିକାଶ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଚିଠି ଲେଖି ଜଣାଇଛତି ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର। ନୂଆ ପର୍ଯ୍ୟଟନ କେନ୍ଦ୍ର ପୁରୀରେ ଚିହ୍ନଟ ପରେ ଏହା ବୁଦ୍ଧିଜୀବୀ ମହଲରେ ଉତ୍ସାହର ବିଷୟ ହୋଇଛି। ଏହା ସ୍ଥାନୀୟ ଅର୍ଥନୀତିରେ ବିକାଶ ଆଣିବା ସହ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ସମ୍ଭାବନା ସୃଷ୍ଟି କରିଛି। ମିନି କୋଣାର୍କ ନାମରେ ବେଶ ପରିଚିତ ଗୋପ ବଜାର ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ବୟାଳିଶି ବାଟି ଠାରେ ଅବସ୍ଥିତ ଗଙ୍ଗେଶ୍ଵରୀ ମନ୍ଦିର। ଏହା କୋଣାର୍କ ମନ୍ଦିର ଠାରୁ ମଧ୍ୟ ପ୍ରାଚୀନ। ଦେଖିବାକୁ ଠିକ୍ କୋଣାର୍କ ମନ୍ଦିର ଭଳି । କୋଣାର୍କ ମନ୍ଦିର ନିର୍ମାଣ କରିଥିବା କାରିଗରମାନେ ପ୍ରଥମେ ନକଲ ମନ୍ଦିର ଭାବେ ଗଙ୍ଗେଶ୍ଵରୀ ମନ୍ଦିର ନିର୍ମାଣ କରିଥିଲେ। ଏଠାରୁ ଖୋଦେଇ ହୋଇଥିବା ପଥର ଯାଇ କୋଣାର୍କ ମନ୍ଦିରରେ ଲାଗିଥିବା ଲୋକେ କୁହନ୍ତି।

ଏଠାରେ ପୂଜିତ ମା’ ଗଙ୍ଗେଶ୍ଵରୀଙ୍କ ସ୍ୱପ୍ନାଦେଶ କ୍ରମେ କୋଣାର୍କ ମନ୍ଦିର ନିର୍ମାଣର ଅଗ୍ରଗତି ହୋଇଥିବା ମଧ୍ୟ ଲୋକ ବିଶ୍ଵାସ ରହିଛି। ତେବେ ଏହି ପ୍ରାଚୀନ ଐତିହ୍ୟ ସ୍ଥାନ ଅବହେଳିତ ହୋଇପଡ଼ିଛି ।ଆଖିଦୃଶିଆ ଉନ୍ନତିକରଣ ସହ ପର୍ଯ୍ୟଟକଙ୍କ ଚିଭବିନୋଦନ ବ୍ୟବସ୍ଥା ଏଠାରେ ହୋଇପାରିଲେ ଉକ୍ତ ଐତିହ୍ୟ ସ୍ଥଳ ମଧ୍ୟ ସ୍ଥାନୀୟ ଲୋକଙ୍କ ନିମନ୍ତେ ଅର୍ଥନୈତିକ ବିକାଶ ଆଣିପାରିବ। ରକ୍ଷଣାବେକ୍ଷଣ ଅଭାବରୁ କିଛି ବର୍ଷ ପୂର୍ବେ ଏହି ମନ୍ଦିର ଗଛଲତା ରେ ପରିପୂର୍ଣ୍ଣ ସହ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା। ବିଗତ ବର୍ଷରେ ନିକଟ ଅଞ୍ଚଳର ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନେ ଏହାର ସଫେଇ ଓ ପରିଷ୍କାର ପରିଚ୍ଛନ୍ନ କରି ଚଳପ୍ରଚଳ କରାଇଥିଲେ। ପର୍ଯ୍ୟଟନ କେନ୍ଦ୍ର ଭାବେ ଏହାକୁ ସାମିଲ ପରେ ଏହାର ରକ୍ଷଣାବେକ୍ଷଣ ଓ ପର୍ଯ୍ୟଟନ ଆଗମନର ସହାୟକ ହୋଈ ପାରିବ। ଯାହା ନିକଟ ଅଞ୍ଚଳର ଆର୍ଥିକ ସ୍ଥିତି ସହିତ ତ୍ରୟୋଦଶ ଶତାବ୍ଦୀର ଏହି ଅବହେଳିତ କଳାକୃତି ଲୋକଲୋଚନକୁ ଆସି ପାରିବ।

Leave a Reply

Your email address will not be published. Required fields are marked *