ପୁରୀ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ
ପୁରୀ ୧/୫ ପ୍ରତ୍ୟେକ ଶ୍ରମିକ ରାଷ୍ଟ୍ର ଗଠନର ବିଶ୍ବକର୍ମା।ସେମାନଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୃତିବଦ୍ଧ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ଆଜି ଅପରାହ୍ନ ରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ନିମାପଡା ଶହୀଦ ଭବନ ଟାଉନ ହଲ ଠାରେ ପୁରୀ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଶ୍ରମିକ ମାନଙ୍କ କଠିନ ପରିଶ୍ରମ ଯୋଗୁଁ ରାଷ୍ଟ୍ର ର ବିକାଶ ଓ ଅର୍ଥନୀତି ଗତିଶୀଳ ହେଉଛି ବୋଲି କହିଥିଲେ।ଶ୍ରମିକ ଟି ପରଦା ପଛର ନାୟକ।ତାଙ୍କ ପାଇଁ ରାସ୍ତା ଘାଟ ନିର୍ମାଣ, ଶିକ୍ଷାନୁଷ୍ଠାନ ନିର୍ମାଣ, କୋଠା ବାଡ଼ି ନିର୍ମାଣ ଇତ୍ୟାଦି ସମସ୍ତ କାର୍ଯ୍ୟ ସମ୍ପନ୍ନ ହୁଏ।ତେଣୁ ପ୍ରଧାନମନ୍ତ୍ରୀ ଙ୍କ ଭାଷାରେ ଶ୍ରମର ଜୟ ହେଉ।ଶ୍ରମିକ ର ସମ୍ମାନ, ସ୍ବାଭିମାନ ଓ ସମର୍ପଣ ପାଇଁ ଆମେ ସମସ୍ତେ ଆଗେଇ ଆସିବାକୁ ଶ୍ରୀମତୀ ପରିଡା ଆହ୍ଵାନ ଦେବା ସହ ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନା କୁ ସେମାନଙ୍କ ନିକଟରେ ପହଞ୍ଚାଇବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ପାଇଁ ସରକାର ବିବିଧ କଲ୍ୟାଣ ମୂଳକ ବ୍ୟବସ୍ଥା କରୁଥିବା ବେଳେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ନିର୍ମାଣ କାରୀ ସଂସ୍ଥା ତରଫରୁ କଲ୍ୟାଣ ବ୍ୟବସ୍ଥା କୁ ସରକାର ସୁନିଶ୍ଚିତ କରିଛନ୍ତି।ବାର୍ଷିକ ଏଥିପାଇଁ ୬୫୩ କୋଟି ଟଙ୍କା ସଂଗୃହିତ ହେଉଛି ବୋଲି ସେ କହିବା ସହ ଶ୍ରମିକ ମାନଙ୍କୁ ହଇରାଣ କରୁଥିବା ବ୍ୟକ୍ତି ବା ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦେଇଥିଲେ। ବୁଦ୍ଧ ପୂର୍ଣ୍ଣିମା ଅବସରରେ ବୁଦ୍ଧ ଙ୍କ ଜୀବନୀ ଆଦର୍ଶ ସମ୍ପର୍କରେ ଶ୍ରୀମତୀ ପରିଡା ଆଲୋକପାତ କରିଥିଲେ।ପୁରୀ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଶ୍ରମିକ ମାନେ ବିକାଶ ର କର୍ଣ୍ଣଧାର।ଶ୍ରମିକ ପାଖରେ ତାହାର ହକ ପହଞ୍ଚାଇବାକୁ ସରକାର ବ୍ୟବସ୍ଥା କରିଛନ୍ତି। ଶ୍ରମିକ ର ଅବଦାନ ଓ ନିଷ୍ଠା ପାଇଁ ସମାଜ ରେ ତାଙ୍କୁ ପୂଜା କରିବାର ଆବଶ୍ୟକତା ରହିଛି।ପଥରକୁ ଦେବତା କରିବାର କ୍ଷମତା କେବଳ ଶ୍ରମିକ ବା ଶିଳ୍ପୀ ର ଅଛି।ଶ୍ରମିକ ମାନଙ୍କୁ ସମ୍ମାନ ଓ ସୁରକ୍ଷା ଦେବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଶ୍ରୀ ମିଶ୍ର କହିଥିଲେ।

ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ କରିଥିଲେ।ଏହି ଅବସରରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫ ରୁ ୬୭୦ ଜଣ ହିତାଧିକାରୀଙ୍କୁ ଙ୍କୁ ଶିକ୍ଷା ସହାୟତା ବାବଦରେ ୬୦ ଲକ୍ଷ ୫୮ ହଜାର ୨ ଶହ ଟଙ୍କା, ବିବାହ ସହାୟତା ପାଇଁ ୧୧୭୩ ଜଣ ଙ୍କୁ ୫ କୋଟି ୮୬ ଲକ୍ଷ ଟଙ୍କା, ପ୍ରସୁତି ସହାୟତା ପାଇଁ ୭ ଜଣ ଙ୍କୁ ୭୦ ହଜାର ଟଙ୍କା, ମୃତ୍ୟୁ କାଳୀନ ସହାୟତା ପାଇଁ ୨୩୦ ଜଣ ଙ୍କୁ ୬ କୋଟି ୭୦ ଲକ୍ଷ ଟଙ୍କା ,ଅନ୍ତେଷ୍ଟି କ୍ରିୟା ପାଇଁ ୨୨୪ ଜଣ ଙ୍କ ପରିବାର କୁ ୧୧ଲକ୍ଷ ୨୨ ହଜାର ଟଙ୍କା (ସର୍ବମୋଟ ୨୩୦୪ ଜଣ ହିତାଧିକାରୀଙ୍କୁ ୧୩କୋଟି ୨୮ ଲକ୍ଷ ୫୦ ହଜାର ୨ଶହ ଟଙ୍କା ର ସହାୟତା ରାଶି) ପ୍ରଦାନ କରିବା ଲାଗି ଘୋଷଣା କରାଗଲା । ଏବଂ ୩୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକରଣ ନିମନ୍ତେ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।ସେହିପରି ଅଣ ସଂଗଠିତ ଶ୍ରମିକ ବୋର୍ଡ ତରଫ ରୁ ୩ ଜଣ ହିତାଧକାରୀଙ୍କ ଦେହାନ୍ତ ପାଇଁ ୬ ଲକ୍ଷ ଟଙ୍କା ତାଙ୍କର ପରିବାର କୁ ପ୍ରଦାନ କରିବା ଲାଗି ଘୋଷଣା କରାଗଲା। ଏଥିସହ ୭୫ ଜଣ ଅଣସଂଗଠିତ ଶ୍ରମିକ ଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା।ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ଜଳସେଚନ ବିଭାଗର ୫ କୋଟି, ୬୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୬ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।ଶେଷରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଚୌଧୁରୀ ସୁବ୍ରତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।ଜିଲ୍ଲା ଶ୍ରମ ଅଧିକାରୀ ପ୍ରଜ୍ଞା ପାରମିତା ସାହୁ ଓ ଶ୍ରମ ବିଭାଗର ଅନ୍ୟ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।
