ପିପିଲି ନିର୍ବାଚନ ସଂପର୍କିତ ବୈଠକ ଅନୁଷ୍ଠିତ
ପୁରୀ- ତା.୦୬.୦୯.୨୦୨୧- ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ଯକ୍ଷତାରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଗତ ୪ ତାରିଖରୁ ପିପିଲି ଉପ ନିର୍ବାଚନ ନେଇ ପୁନଃ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତୁରନ୍ତ ଆଦର୍ଶ ଆଚରଣ ବିଧି ଜାରି ହୋଇଥିବା ବେଳେ ଆସନ୍ତା ୩୦ ତାରିଖରେ ମତଦାନ ହୋଇ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ ଏବଂ ୫ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ବିଜ୍ଞପ୍ତି ଅନୁସାରେ ଆସନ୍ତା ୨୦ ତାରିଖରୁ ୨୮ ତାରିଖ ସନ୍ଧ୍ୟା ୬ ଘଟିକା ସୁଦ୍ଧା ଶେଷ ହେବ । ଆଗାମୀ ନିର୍ବାଚନ ପ୍ରଚାରରେ କୌଣସି ବାଇକ୍ କିମ୍ବା ସାଇକେଲ ଶୋଭାଯାତ୍ରା ହୋଇପାରିବ ନାହିଁ। ଦଳୀୟ ପ୍ରଚାର ବୈଠକରେ ସର୍ବାଧିକ ୨୦୦ଲୋକ କିମ୍ବା ବସିବା କ୍ଷମତାର ୩୦ପ୍ରତିଶତ ସାମିଲ ହୋଇପାରିବେ। ଷ୍ଟାର ପ୍ରଚାରକଙ୍କ ସହ ଏକ ହଜାର ଲୋକ କିମ୍ବା ବସିବା କ୍ଷମତାର ସର୍ବାଧିକ ପଚାଶ ପ୍ରତିଶତ ଲୋକ ଯୋଗ ଦେଇପାରିବେ। ଜାତୀୟ ଓ ଆଞ୍ଚଳିକ ଦଳ ପାଇଁ ତାରକା ପ୍ରଚାରକ ୨୦ଜଣ ଓ ଅଣ ପଞ୍ଜିକୃତ ଦଳ ପାଇଁ ୧୦ ଜଣ ରହି ପାରିବେ । ଘରକୁ ଘର ବୁଲି ପ୍ରଚାର ବେଳେ ସର୍ବାଧିକ ୫ ଜଣ ସାମିଲ ହୋଇପାରିବେ । ଆଦର୍ଶ ଆଚରଣ ବିଧି ଉଲଂଘନ ପାଇଁ ଜାରି ହୋଇଛି ଏକ ଟୋଲଫ୍ରୀ ନମ୍ବର। ୧୯୫୦କୁ ଫୋନ କରି ଅଭିଯୋଗ କରିପାରିବେ। ସେପଟେ ଉପନିର୍ବାଚନ ପାଇଁ ଦଶଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୨ଲକ୍ଷ ୨୯ ହଜାର ୯୯୮ଭୋଟର ମତଦାନ କରିବେ। ୩୨୧ ଜଣ ସର୍ଭିସ ଭୋଟର ମଧ୍ୟ ମତଦାନ ସାବ୍ୟସ୍ତ କରିବେ । ମୋଟ ୩୪୮ଟି ବୁଥ ଥିବା ବେଳେ ୧୫ଟି ମଡେଲ ବୁଥ କରାଯାଇଛି । ପିପିଲି ନିର୍ବାଚନ ମଣ୍ଡଳିରେ ମୋଟ ୧୦୨ଟି ଅତି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ୭୩ଟି ସମ୍ବେଦନଶୀଳ ବୁଥ ରହିଥିବା ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରତି ବୁଥରେ ଦିବ୍ୟାଙ୍ଗ ମାନଙ୍କ ପାଇଃ ବ୍ୟବସ୍ଥା କରାଯାଇଛି । କୋଭିଡ ନୀୟମକୁ କଡାକଡି କରାଯିବା ସହ ପ୍ରତି ବୁଥରେ ସାନିଟାଇଜର ଏବଂ ହ୍ୟାଣ୍ତ ଗ୍ଲୋଭ୍ସ ରହିବ । ପ୍ରତି ବୁଥ ପାଇଁ କୋଭିଡ ନୋଡାଲ ଅଧିକାରୀ ନିଯୁକ୍ତ ହେବେ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ଡେପୁଟି କଲେକ୍ଟର ଶ୍ରୀ ସୁମନ୍ତ କର, ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ପଞ୍ଚାୟତ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
