ନିରବିଗଲେ ଐତିହ୍ୟ ଓ ନିର୍ମାଣ ବିଜ୍ଞାନର ଅନନ୍ୟ ଗବେଷକ ଅନିଲ ଦେ

ନିରବିଗଲେ ଐତିହ୍ୟ ଓ ନିର୍ମାଣ ବିଜ୍ଞାନର ଅନନ୍ୟ ଗବେଷକ ଅନିଲ ଦେ l କଟକ – ଓଡ଼ିଶାର ପ୍ରାଚୀନ ମନ୍ଦିର ସ୍ଥାପତ୍ୟ, ଐତିହ୍ୟ ଓ ନିର୍ମାଣ ବିଜ୍ଞାନର ଅନନ୍ୟ ଗବେଷକ ତଥା ବିଶିଷ୍ଟ ଲେଖକ ଅନିଲ ଦେ ଆଉ ନାହାନ୍ତି । ସୋମବାର ସକାଳେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 96 ବର୍ଷ ବୟସ ହୋଇଥିଲା । ଜୀବନର ସାୟାହ୍ନରେ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଗତ କିଛି ଦିନ ହେବ ଅସୁସ୍ଥତା ଯୋଗୁଁ ଚିକିତ୍ସାଧୀନ ଥିଲେ। ସୋମବାର ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶାର ଐତିହ୍ୟ ଗବେଷଣା, ମନ୍ଦିର ସ୍ଥାପତ୍ୟ ଅଧ୍ୟୟନ ଏବଂ ସଂରକ୍ଷଣ କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।ଅନିଲ ଦେ ମନ୍ଦିର ସ୍ଥାପତ୍ୟ, ଐତିହ୍ୟ ଓ ନିର୍ମାଣ ବିଜ୍ଞାନର ଗବେଷଣା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କଳିଙ୍ଗ ହେରିଟେଜ୍ ପ୍ରିଜରଭେସନ୍ ଟ୍ରଷ୍ଟ (KHPT)ର ଅଧ୍ୟକ୍ଷ ଭାବେ ସେ ଓଡ଼ିଶାର ଐତିହ୍ୟ ସଂରକ୍ଷଣ ଏବଂ ମନ୍ଦିର ସ୍ଥାପତ୍ୟର ବୈଜ୍ଞାନିକ ଅଧ୍ୟୟନ ପାଇଁ ନିରନ୍ତର କାର୍ଯ୍ୟ କରିଥିଲେ।ଜଣେ ଦକ୍ଷ ଇଞ୍ଜିନିୟର, ଗବେଷକ ଓ ଲେଖକ ଭାବେ ଅନିଲ ଦେ ଛଅ ଦଶକରୁ ଅଧିକ ସମୟ ଧରି ଓଡ଼ିଶାର ପ୍ରାଚୀନ ମନ୍ଦିର ଓ ଐତିହାସିକ ସ୍ମାରକଗୁଡ଼ିକର ନିର୍ମାଣ ଶୈଳୀ, ଗଠନ ପ୍ରଣାଳୀ ଓ ସଂରଚନାତ୍ମକ ବୈଶିଷ୍ଟ୍ୟ ଉପରେ ଗବେଷଣା କରିଥିଲେ। ପାରମ୍ପରିକ ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନ ସହ ଇଞ୍ଜିନିୟରିଂ ବିଜ୍ଞାନର ସମନ୍ୱୟ ଘଟାଇ ସେ ଐତିହାସିକ ସ୍ଥାପତ୍ୟକୁ ଏକ ନୂତନ ଦୃଷ୍ଟିକୋଣରୁ ବିଶ୍ଳେଷଣ କରିଥିଲେ।ବିଶେଷକରି ଓଡ଼ିଶାର ମନ୍ଦିର ନିର୍ମାଣରେ ବ୍ୟବହୃତ ଇଞ୍ଜିନିୟରିଂ କୌଶଳ, ଗାଣିତିକ ଅନୁପାତ, ଭାର ବହନ କ୍ଷମତା ଏବଂ ନିର୍ମାଣ ପଦ୍ଧତିକୁ ସେ ବୈଜ୍ଞାନିକ ଆଧାରରେ ବିଶ୍ଳେଷଣ କରିଥିଲେ। ପ୍ରାଚୀନ କଳିଙ୍ଗ ସ୍ଥାପତ୍ୟର ଅସାଧାରଣ ବୈଜ୍ଞାନିକ ଦକ୍ଷତାକୁ ଉଜାଗର କରିବାରେ ତାଙ୍କ ଗବେଷଣା ଉଲ୍ଲେଖନୀୟ ଅବଦାନ ରଖିଛି।ସେ ଜଣେ ଲୋକପ୍ରିୟ ଲେଖକ ମଧ୍ୟ । ତାଙ୍କର ଉଲ୍ଲେଖନୀୟ ସୃଷ୍ଟି ହେଉଛି ‘ଅର୍କ କ୍ଷେତ୍ର କୋଣାର୍କ’ ପୁସ୍ତକ। କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥାପତ୍ୟ, ନିର୍ମାଣ ବିଜ୍ଞାନ ଓ ଐତିହାସିକ ଗୁରୁତ୍ୱକୁ ନେଇ ଲିଖିତ ଏହି ଗ୍ରନ୍ଥ ପାଠକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଥିଲା। ବହିଟିର ଏକାଧିକ ସଂସ୍କରଣ ପ୍ରକାଶ ପାଇଥିବାବେଳେ ଏହାର ଇଂରାଜୀ ଓ ବଙ୍ଗଳା ଅନୁବାଦ ମଧ୍ୟ ପ୍ରକାଶିତ ହୋଇଥିଲା। ଗବେଷଣାମୂଳକ ମୂଲ୍ୟକୁ ସ୍ୱୀକୃତି ଦେଇ ଆଇଆଇଟି ମାଡ୍ରାସ ଏହି ପୁସ୍ତକକୁ ନିଜ ପାଠ୍ୟକ୍ରମରେ ସାମିଲ କରିଥିଲା।

Leave a Reply

Your email address will not be published. Required fields are marked *