ରାଜ୍ୟସ୍ତରୀୟ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପାଇଁ ଅସ୍ତରଙ୍ଗ ବ୍ଳକ ପ୍ରଶାସନ ସ୍ତରରେ ପ୍ରସ୍ତୁତି ବୈଠକ

ଅସ୍ତରଙ୍ଗ,୧୦/୦୫:-ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି, ଓଡ଼ିଶା ସରକାରଙ୍କ ସୂଚନା ଲୋକ ସମ୍ପର୍କ ଏବଂ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ଐତିହାସିକ ଲବ ଲବଣ ସତ୍ୟାଗ୍ରହ ସ୍ମୃତି ପୀଠ କୁହୁଡ଼ି ଠାରେ ଆସନ୍ତା ମେ୨୧ ତାରିଖ ଦିନ ୯୬ତମ ରାଜ୍ୟସ୍ତରୀୟ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ଆୟୋଜନ ପାଇଁ ଅସ୍ତରଙ୍ଗ ପଞ୍ଚାୟତ ସମିତି ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ଯକ୍ଷା ଶ୍ରୀମତୀ ଆରତୀ ନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସୃଶ୍ରୀ ସସ୍ମିତା ବେହେରା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲ୍ଲା ଓ ବ୍ଳକ ପ୍ରଶାସନ ତରଫରୁ ସ୍ଥିର କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏଥିପୂର୍ବରୁ ଉକ୍ତ ସମାରୋହ ଆୟୋଜନ ପାଇଁ ଗତ ଏପ୍ରିଲ ୨୮ ତାରିଖ ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକର କାର୍ଯ୍ୟଦେଶ ସମ୍ପର୍କରେ ଶ୍ରୀମତୀ ବେହେରା ସବିଶେଷ ସୂଚନା ଦେଇଥିଲେ। ଏହି ବୈଠକରେ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ସଭାପତି ଶ୍ରୀଯୁକ୍ତ ଅମିୟ କୁମାର ପଟ୍ଟନାୟକ ସରକାର, ଜିଲ୍ଲା ଓ ବ୍ଳକ ପ୍ରଶାସନ, ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ସମନ୍ଵୟରେ ସ୍ଥିର କରାଯାଉଥିବା କାର୍ଯ୍ୟକ୍ରମ ଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ସଠିକ୍ ଭାବରେ କାର୍ଯ୍ୟକାରୀ କରିବାକୁ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କ ସହଯୋଗ ଲୋଡ଼ିବା ସହ ଏହି କାର୍ଯ୍ୟକ୍ରମକୁ କିପରି ସଫଳତାର ସହିତ ଆୟୋଜନ କରାଯାଇପାରିବ ବକ୍ତବ୍ୟ ରଖିଥିଲେ। ବିଶେଷ କରି ଉକ୍ତ ସମାରୋହରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ଆଇନ ମନ୍ତ୍ରୀ ଏବଂ ପ୍ରାଣୀ ଓ ମତ୍ସ୍ୟସମ୍ପଦ, ଅଣୁ, କ୍ଷୁଦ୍ର, ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ, ସ୍ଥାନୀୟ ସାଂସଦ ଓ ବିଧାୟକଙ୍କୁ ଅତିଥି ଭାବରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଇଥିବା କଥା ଉପସ୍ଥାପିତ କରାଯାଇଥିଲା । ବ୍ଳକ ପ୍ରଶାସନ ଏବଂ ସ୍ମୃତି କମିଟିର କର୍ମକର୍ତ୍ତା ଓ ସଦସ୍ୟା ମାନଙ୍କ ସମନ୍ବୟରେ ସ୍ଥିରିକୃତ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଅନୁରୋଧ କରାଗଲା । ଏହି ପ୍ରସ୍ତୁତି ବୈଠକରେ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି, ସ୍ଵାସ୍ଥ୍ୟ ଅଧିକାରୀ ଡା. ସଞ୍ଜୟ କୁମାର ପ୍ରଧାନ, ସି.ଡି.ପି.ଓ. ଲୋଚନା ସେଠୀ, ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ମାମିନୀ ପରିଡ଼ା, ରାସ୍ତା ଓ ଗୃହ ନିର୍ମାଣ କନିଷ୍ଠ ଯନ୍ତ୍ରୀ ଜ୍ୟୋତିଶ୍ରୀ ସୋନାଲି, ଗ୍ରାମ୍ୟ ଉନ୍ନୟନ କନିଷ୍ଠ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ତାଡା, ପାନୀୟଜଳ କନିଷ୍ଠ ଯନ୍ତ୍ରୀ ସତ୍ୟ ଶଙ୍କର ମହାନ୍ତି, ଉଦ୍ୟାନ ଅଧିକାରୀ ଶ୍ରୀ ବାଲା ଓ ଅଗ୍ନିଶମ ବିଭାଗ ପ୍ରମୁଖ ଅନ୍ୟ ଲାଇନ୍ ବିଭାଗର ସମସ୍ତ ପଦାଧିକାରୀ, ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି ଏବଂ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ନିଜ ନିଜର ମତ ରଖୀଥିଲେ ।

Leave a Reply

Your email address will not be published. Required fields are marked *