ମହାପ୍ରଭୁଙ୍କ ଦର୍ଶନ କରି ସାନ୍ନିଦ୍ଧ ଲାଭ କଲେ..ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଓ ଛତିଶଗଡ ସମ୍ପର୍କ ବହୁ ପ୍ରାଚୀନ। ଉଭୟ ରାଜ୍ୟ ମଧ୍ୟରେ ସାଂସ୍କୃତିକ ,ସାମାଜିକ ଓ ଭାବଗତ ସମ୍ପର୍କ ରହିଆସିଛି।ଛତିଶଗଡର ଏକ ଜିଲ୍ଲାରୁ ମହାପ୍ରଭୁଙ୍କ ପାଇଁ ଚାଉଳ ଆସୁଛି ଓ ସେହି ଅନୁସାରେ ସେହି ଗାଁର ନାମକରଣ ମଧ୍ୟ ହୋଇଛି।ଛତିଶଗଡରେ ଅନେକ ଜଗନ୍ନାଥ ମନ୍ଦିର ରହିଛି। ତେବେ ଦୀର୍ଘବର୍ଷ ଧରି ଓଡ଼ିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦ ଲାଗି ରହିଛି। ଉଭୟ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ଖୁବଶୀଘ୍ର ଏହି ଜଳ ବିବାଦ ସମସ୍ୟାର ସମାଧାନ ହେବ। ଏଥିପାଇଁ ନିକଟରେ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। କେନ୍ଦ୍ରୀୟ ଜଳ କମିଶନ ଉଭୟ ରାଜ୍ୟର ସ୍ୱାର୍ଥ ଓ ସୁବିଧାକୁ ଦୃଷ୍ଟିରେ ରଖି ଉଚିତ୍ ନିଷ୍ପତ୍ତି ନେଇ ଏହାର ସମାଧାନ କରିବେ । ଯଦିଓ ମହାନଦୀ ଜଳ ବିବାଦ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଛି କିନ୍ତୁ ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ଶାସନରେ ଥିବା ବେଳେ କେନ୍ଦ୍ରରେ ମଧ୍ୟ ବିଜେପି କ୍ଷମତାରେ ରହିଛି।ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ଓ ବୁଝାମଣା ଭିତ୍ତିରେ ଏହାର ଶୀଘ୍ର ସମାଧାନ ହେବ ବୋଲି ପୁରୀ ଗ୍ରସ୍ତ ସମୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ କହିଛନ୍ତି | ଭୁବନେଶ୍ୱର କର୍ଯ୍ୟକ୍ରମ ସାରି ଗତକାଲି ସେ ପୁରୀରେ ପହଞ୍ଚିଥିଲେ। ନିଜ ଧର୍ମପତ୍ନୀ ଓ ପରିବାର ସଦସ୍ୟଙ୍କ ସମେତ ରାୟପୁର ବିଧାୟକ ,ଛତିଶଗଡ ବିଜେପି ନେତାଙ୍କ ସହ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ,ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ସେ ଅରୁଣସ୍ତମ୍ଭ ନିକଟରେ ପ୍ରଣିପାତ କରିବା ପରେ କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ଏଥିସହ ସେ ମା ବିମଳା ,ମା ମହାଲକ୍ଷ୍ମୀ ଓ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରି ଆନନ୍ଦ ବଜାର ଯାଇଥିଲେ।
