ଶ୍ରୀମନ୍ଦିରରେ ନକଲି ଗୁମାସ୍ତା ସାଜି ଯାତ୍ରୀଙ୍କୁ ଦର୍ଶନ

ଶ୍ରୀମନ୍ଦିରରେ ନକଲି ଗୁମାସ୍ତା ସାଜି ଯାତ୍ରୀଙ୍କୁ ଦର୍ଶନ କରାଇବାକୁ ଉଦ୍ୟମ କରୁଥିବା ଜଣେ ଯୁବକ ଆଜି ସେବାୟତଙ୍କ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଜଣକ ନିଜକୁ ଜଣେ ମହିଳା ହୋମଗାର୍ଡଙ୍କ ପୁଅ ବୋଲି ପରିଚୟ ଦେଇଛନ୍ତି। ଏହି ଘଟଣାର ଭିଡିଓ ଜଣେ ସେବାୟତ ଉତ୍ତୋଳନ କରି ପଠାଇଛନ୍ତି । ଆଜି ସକାଳ ସମୟରେ ଯୁବକ ଜଣକ ଗୁମାସ୍ତା ଭଳି ପୋଷାକ ପିନ୍ଧି କିଛି ଯାତ୍ରୀଙ୍କୁ ନେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିଲେ। ସେହି ସମୟରେ ସେବାୟତମାନେ ସନ୍ଦେହ କରି ତାଙ୍କୁ ଅଟକାଇ ପଚରାଉଚରା କରିଥିଲେ। ପଚରାଉଚରା ବେଳେ ଯୁବକ ଜଣକ କହିଥିଲେ, “ମୋ ମା ପୁଲିସ। ସେ କହିବାରୁ ମୁଁ ଏହି ଲୁଗା ପିନ୍ଧି ଆସିଛି। ଖବର ପାଇ କିଛି ସମୟ ପରେ ଜଣେ ମହିଳା ହୋମଗାର୍ଡ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ନିଜକୁ ଅଭିଯୁକ୍ତ ଯୁବକଙ୍କ ମା’ ବୋଲି ଦାବି କରି ସେବାୟତମାନଙ୍କ ସହ ଯୁକ୍ତିତର୍କ କରିଥିଲେ। ଶ୍ରୀମନ୍ଦିର ପରି ସମ୍ବେଦନଶୀଳ ସ୍ଥାନରେ ଏଭଳି ନକଲି ଗୁମାସ୍ତା ଚିହ୍ନଟ ହେବା ପରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଜଣେ ହୋମଗାର୍ଡଙ୍କ ପୁଅ କିପରି ଏଭଳି ପୋଷାକ ପିନ୍ଧି ମନ୍ଦିର ଭିତରକୁ ଯାଉଥିଲେ ତାହାର ତଦନ୍ତ କରିବାକୁ ସେବାୟତ ଓ ଭକ୍ତମାନେ ଦାବି କରିଛନ୍ତି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ପୋଲିସ ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ।

Leave a Reply

Your email address will not be published. Required fields are marked *