ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଲୁହାରଡରେ ମରଣାନ୍ତକ ଆକ୍ରମଣ ଆକ୍ରମଣରେ ସମିତିସଭ୍ୟ ଗୁରୁତର

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ତଥା ବେଲଗାଁ ଥାନା ଦୟାପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।‌ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୟାପଲ୍ଲୀ ପଞ୍ଚାୟତର ସମିତିସଭ୍ୟଙ୍କୁ ସେହି ଗ୍ରାମର ଜଣେ ଯୁବକ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣରେ ସମିତିସଭ୍ୟ ଇପିଲି ରାଜା ରାଓ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ନେଇ ଆହତଙ୍କ ପୁଅ ବେଲଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ବେଲଗାଁ ଥାନା କେସ ନଂ-୧୩୨/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରିବା ସହ ଆକ୍ରମଣକାରୀ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ବେଲଗାଁ ଥାନା ଦୟାପଲ୍ଲୀ ଗ୍ରାମର ଗୋପାଳ ଦାସ (୩୨) । ଗିରଫ ଯୁବକଙ୍କ ଠାରୁ ଆକ୍ରମଣରେ ବ୍ୟବହୃତ ଲୁହାରଡକୁ ପୁଲିସ ଜବତ କରିଛି। ଗିରଫ ପରେ ଆକ୍ରମଣକାରୀ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଏସଆଇ କମଲିନୀ ନାୟକ କହିଛନ୍ତି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଳକ ଦୟାପଲ୍ଲୀ ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଇପିଲି ରାଜାରାଓ ଶୁକ୍ରବାର ସକାଳେ ପଳାସି ଗ୍ରାମରୁ କାମ ସାରି ମୋଟର ସାଇକେଲ ଯୋଗେ ଗ୍ରାମକୁ ଫେରୁଥିଲେ । ଗ୍ରାମ ନିକଟରେ ସେହି ଗ୍ରାମର ଗୋପାଳ ଦାସ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସମିତିସଭ୍ୟ ରାଜାଙ୍କୁ ଅଟକାଇବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ରାଜା ଏହାର ପ୍ରତିବାଦ କରିବାରୁ ଗୋପାଳ ଉତ୍ୟକ୍ତ ହୋଇ ଧରିଥିବା ଏକ ଲୁହାରଡରେ ରାଜା ରାଓଙ୍କ ମୁଣ୍ଡ ଓ ହାତକୁ ଆକ୍ରମଣ କରିଥିଲେ। ଆକ୍ରମଣରେ ରାଜାରାଓ ଗୁରୁତର ଆହତ ହୋଇ ତଳେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହ ଆକ୍ରମଣକାରୀ ଗୋପାଳଙ୍କୁ କାବୁ କରି ବେଲଗାଁ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବେଲଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀ ଯୁବକଙ୍କୁ ଗିରଫ କରିଥିଲା ।‌

Leave a Reply

Your email address will not be published. Required fields are marked *