ଆଗାମୀ ସମୟ ପୂଜା ପାର୍ବଣର

ଆଗାମୀ ସମୟ ପୂଜା ପାର୍ବଣର, ମୂର୍ତ୍ତି ନିର୍ମାଣରେନିମଗ୍ନ କାରିଗରବୁଗୁଡ଼ା:-୨୧/୦୮()ପାର୍ବଣର ଋତୁ ପାଖେଇ ଆସିଲାଣି । ଉତ୍ସବ ମୁଖର ହୋଇ ଉଠିବ ବୁଗୁଡ଼ା ଅଞ୍ଚଳ । ପାର୍ବଣ ପ୍ରସ୍ତୁତିର ପ୍ରଥମ ପର୍ବ ମୂର୍ତ୍ତି ଗଢାରୁ ଆରମ୍ଭ ହୋଇଥାଏ । ସେଥିପାଇଁ ବୁଗୁଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମୂର୍ତ୍ତି ଗଢାରେ ମାତି ଗଲେଣି । ଆଉ କିଛି ଦିନର ବ୍ୟବଧାନ ପରେ ଗଣେଶ ପୂଜା ଓ ବିଶ୍ବକର୍ମା ପୂଜା ପଡୁଥିବାରୁ କାରିଗରମାନେ ମୂର୍ତ୍ତିରେ ନଡା ବିଡା ଠାରୁ ଆରମ୍ଭ କରି ମାଟି ପ୍ରଲେପକାର୍ଯ୍ୟ ଜୋରସୋରରେ ଜାରି ରଖୁଛନ୍ତି । ମୂର୍ତ୍ତି ନିର୍ମାଣରେ ପରିଶ୍ରମ ତୁଳନାରେ ଲାଭ ମିଳୁନଥିଲେ ମଧ୍ୟ କାରିଗରମାନେ ଦେଖାଇ ଚାଲିଛନ୍ତି ନିଜ ହାତର ଯାଦୁଗରୀ । ବୁଗୁଡା ଅଞ୍ଚଳର ବୟୋଜ୍ୟେଷ୍ଠ ତଥା ଅଭିଜ୍ଞ ମୂର୍ତ୍ତି କାରିଗର ଗୋବିନ୍ଦ ବେହେରାଙ୍କ ସମେତ ରବିନ୍ଦ୍ର ବେହେରା,କୈଳାସ ବେହେରା, ଝୁନା ବେହେରା,

ସୋନୁ ବେହେରା,ବିଶ୍ବନାଥ ବେହେରା, ପ୍ରମୋଦ ବେହେରା, ଲିଟୁ ନାୟକ, ଟୁଟୁ ବେହେରା, ଝୁନୁଲତା ବେହେରା, ନିମେଇଁ ଚରଣ ବିଷୋୟୀ, ତାରା ପ୍ରସାଦ ଭୂୟାଁ, ଭଗବାନ ବେହେରା , ବାବୁ ଦୋରା, ଚିତ୍ତ ରଞ୍ଜନ ସାହୁ , କୃଷ୍ଣ ନାୟକ ପ୍ରମୁଖ ନିଜ ନିଜର ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରଖିଛନ୍ତି । ବୁଗୁଡା ଏବଂ ଆଖପାଖ ଅଞ୍ଚଳରେ ସେମାନଙ୍କ ହାତଗଢା ମୂର୍ତ୍ତିର ବେଶ୍ ଚାହିଦା ରହିଛି । ମୂର୍ତ୍ତି ନିମନ୍ତେ ଲୋକଙ୍କ ଶ୍ରଦ୍ଧା ଓ ପ୍ରଶଂସାର ଦୁଇପଦ ଶୁଣିଲେ କାରିଗରମାନେ ନିଜର କଳାକୁ ଅଧିକ ଜୀବନ୍ତ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଲୋକଙ୍କ ଏହି ପ୍ରଶଂସା ଟିକକ ତାଙ୍କ ପରିଶ୍ରମ ଓ କଷ୍ଟକୁ ଦୂରେଇ ଦେଇଥାଏ । ବୁଗୁଡା ଏନଏସିର କୁମ୍ଭାର ସାହି ଏବଂ ବ୍ଲକର ଗୋଲିଆ, ବାଦୁଆ ଓ ପଙ୍କଳବାଡି ଆଦି ଗ୍ରାମରେ ଗଢା ଯାଉଥିବା ମୂର୍ତ୍ତି ବିଭିନ୍ନ ଅଞ୍ଚଳକୁ ପଠାଯାଇଥାଏ । ତେବେ ଏଇ କିଛି ବର୍ଷ ହେଲା ଚିକିଟା ମାଟିର ଅଭାବ ମୂର୍ତ୍ତି ଗଢାରେ ଏକ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଚିକିଟା ମାଟିକୁ ଚିକ୍କଣ କରିବା ପାଇଁ କୌଣସି ମିଶ୍ରଣ ଯନ୍ତ୍ର ବାହାରି ନାହିଁ । ଯନ୍ତ୍ର ବାହାରି ଥିଲେ ଅଳ୍ପ ସମୟ ମଧ୍ୟରେ ଅଧିକ ମୂର୍ତ୍ତି ଗଢାଯାଇ ପାରିବା ସହ ମୂର୍ତ୍ତି ଗୁଡିକ ଅଧିକ ଜୀବନ୍ତ ହୋଇପାରିଥାନ୍ତା ବୋଲି କାରିଗର ଗୋଷ୍ଠୀ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ବିଭିନ୍ନ ପୂଜା ଉତ୍ସବ ମହା ଧୂମଧାମରେ ପାଳିତ ହେବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *