ବିକଶିତ ଭାରତ ପାଇଁ ‘ଉଚ୍ଚସ୍ତରୀୟ ବ୍ୟାଙ୍କିଂ କମିଟି’ ଗଠନ କଲେ ଭାରତ ସରକାର

ବିକଶିତ ଭାରତ ପାଇଁ ‘ଉଚ୍ଚସ୍ତରୀୟ ବ୍ୟାଙ୍କିଂ କମିଟି’ ଗଠନ କଲେ ଭାରତ ସରକାର l ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ହାସଲ ପାଇଁ ବ୍ୟାଙ୍କିଂ କ୍ଷେତ୍ରରେ ସଂସ୍କାର ସୁପାରିସ କରିବ ଉଚ୍ଚସ୍ତରୀୟ କମିଟି ନୂଆଦିଲ୍ଲୀ: ଭାରତ ସରକାର ଦେଶର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ସମୀକ୍ଷା କରିବା ଏବଂ ‘ବିକଶିତ ଭାରତ, ୨୦୪୭’ ପାଇଁ ଏହାକୁ ବିଶ୍ୱସ୍ତରରେ ପ୍ରତିଯୋଗୀ, ଆର୍ଥିକ ଦୃଷ୍ଟିରୁ ସମାବେଶୀ ଓ ସୁଦୃଢ଼ କରିବା ନିମନ୍ତେ ଆବଶ୍ୟକୀୟ ଗଠନମୂଳକ, ସଂସ୍ଥାଗତ, ନିୟାମକ ଏବଂ ଆଇନଗତ ସଂସ୍କାରର ସୁପାରିସ କରିବା ଉଦ୍ଦେଶ୍ୟରେ ଏକ ବିକଶିତ ଭାରତ ଉଚ୍ଚସ୍ତରୀୟ ବ୍ୟାଙ୍କିଙ୍ଗ୍‌ କମିଟି ଗଠନ କରିଛନ୍ତି। କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ତାଙ୍କର ବଜେଟ୍‌ ୨୦୨୬-୨୭ ଅଭିଭାଷଣ ସମୟରେ ଏହି କମିଟି ଗଠନ ବିଷୟରେ ଘୋଷଣା କରିଥିଲେ।ପୂର୍ବତନ କେନ୍ଦ୍ରୀୟ ଭିଜିଲାନ୍ସ ଆୟୁକ୍ତ ଶ୍ରୀ ସୁରେଶ ଏନ୍‌. ପଟେଲ୍‌ ଏହି କମିଟିର ଅଧ୍ୟକ୍ଷ ହେବେ। ଏହି କମିଟିରେ ତିନିଜଣ ବିଶିଷ୍ଟ ବିଶେଷଜ୍ଞ ସଦସ୍ୟ ଭାବେ କାର୍ଯ୍ୟ କରିବେ। ସେମାନେ ହେଲେ – ଆରବିଆଇ ଡେପୁଟି ଗଭର୍ଣ୍ଣର ଶ୍ରୀ ଶିରୀଷ ଚନ୍ଦ୍ର ମୁର୍ମୁ, ଇଣ୍ଡିଆନ୍‌ ବ୍ୟାଙ୍କର ପୂର୍ବତନ ଏମ୍‌ଡି ଓ ସିଇଓ ଶ୍ରୀମତୀ ପଦ୍ମଜା ଚୁନ୍ଦୁରୁ ଏବଂ ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ଶ୍ରୀ ଏନ୍‌ ଏସ୍‌ ବିଶ୍ୱନାଥନ୍‌ । ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ (ବ୍ୟାଙ୍କିଙ୍ଗ୍‌) ଏହି କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। କମିଟିର କାର୍ଯ୍ୟକାଳ ଛଅ ମାସ ରହିବ।କମିଟିର କାର୍ଯ୍ୟ ସର୍ତ୍ତାବଳୀ ନିମ୍ନମତେ ରହିଛି:୧. ବର୍ତ୍ତମାନର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଓ ନିୟମାବଳୀର ଆକଳନ କରିବା, ବିଶ୍ୱର ସର୍ବୋତ୍ତମ ବ୍ୟବସ୍ଥାଗୁଡ଼ିକୁ ଚିହ୍ନଟ କରିବା ଏବଂ ଭାରତୀୟ ବ୍ୟାଙ୍କିଙ୍ଗ୍‌ ପ୍ରଣାଳୀ ପାଇଁ ସେଗୁଡ଼ିକୁ ଉପଯୁକ୍ତ ଭାବେ ଆପଣାଇବା; ଏହାସହିତ ବିଶ୍ୱସ୍ତରୀୟ ପ୍ରତିଯୋଗୀ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ଏକ ରୋଡ୍‌ମ୍ୟାପ୍‌ (ମାର୍ଗଦର୍ଶିକା) ପ୍ରଦାନ କରିବା। ୨. ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କ ସମେତ ବ୍ୟାଙ୍କଗୁଡ଼ିକ ପାଇଁ ପ୍ରଚଳିତ ନିୟାମକ ଓ ଆଇନଗତ ଢାଞ୍ଚାର ସମୀକ୍ଷା କରିବା ଏବଂ ବିକଶିତ ଭାରତ ପାଇଁ ଦକ୍ଷତା ବୃଦ୍ଧି ଓ ବ୍ୟାଙ୍କିଙ୍ଗ୍‌ କାର୍ଯ୍ୟକୁ ସହଜ କରିବା ନିମନ୍ତେ ସଂସ୍କାରର ପରାମର୍ଶ ଦେବା। ୩. ବିକାଶମୂଳକ ଆର୍ଥିକ ଅନୁଷ୍ଠାନ ଏବଂ ଅଣ-ବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀ ସମେତ ବ୍ୟାଙ୍କଗୁଡ଼ିକର ଦୀର୍ଘକାଳୀନ ପୁଞ୍ଜି ଆବଶ୍ୟକତାର ଆକଳନ କରିବା, ତଥା ଋଣ ଅଭିବୃଦ୍ଧିକୁ ସହାୟତା କରିବା ପାଇଁ ପାଣ୍ଠିର ଉତ୍ସ ଏବଂ ସହାୟକ ବ୍ୟବସ୍ଥା ସମ୍ପର୍କରେ ସୁପାରିସ କରିବା। ୪. ବ୍ୟବସାୟ ପାଇଁ ପୁଞ୍ଜି ଖର୍ଚ୍ଚର ପାର୍ଥକ୍ୟ ପରୀକ୍ଷା କରିବା ଏବଂ ସ୍ଥାୟୀ ବିକାଶ ପାଇଁ ବେସରକାରୀ ନିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ନୀତିଗତ ବିକଳ୍ପର ପରାମର୍ଶ ଦେବା। ୫. ସାଇବର ବିପଦରୁ ସୁରକ୍ଷା ନିଶ୍ଚିତ କରିବା ସହିତ ବ୍ୟାଙ୍କିଙ୍ଗ୍‌ ଅନୁଷ୍ଠାନଗୁଡ଼ିକରେ ଏଆଇ ଏବଂ ଡିଜିଟାଲ୍‌ ନବସୃଜନ ପାଇଁ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବା। ଏହା ବ୍ୟତୀତ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ପାଇଁ ଭବିଷ୍ୟତ-ଉପଯୋଗୀ କାର୍ଯ୍ୟବଳୀ ନିଶ୍ଚିତ କରିବା ହେତୁ ପ୍ରତିଭା ଅଧିଗ୍ରହଣ ଏବଂ ଦକ୍ଷତା ବୃଦ୍ଧି ପାଇଁ କୌଶଳ ସୁପାରିସ କରିବା। ୬. ବିକଶିତ ହେଉଥିବା ଆର୍ଥିକ ପ୍ରାଥମିକତା ଏବଂ ଆର୍ଥିକ ସମାବେଶ ସହିତ ତାଳଦେଇ ଅନ୍ତର୍ଭୁକ୍ତ, ସନ୍ତୁଳିତ ଏବଂ ତଥ୍ୟ-ଆଧାରିତ ଋଣ ପ୍ରଦାନକୁ ପ୍ରୋତ୍ସାହିତ କରିବାରେ ପ୍ରାଥମିକତା କ୍ଷେତ୍ର ଋଣ ଢାଞ୍ଚା ଏବଂ ଲିଡ୍‌ ବ୍ୟାଙ୍କ ଯୋଜନାର ପ୍ରାସଙ୍ଗିକତା, ପ୍ରଭାବଶାଳୀତା ଓ ସମନ୍ୱୟର ସମୀକ୍ଷା କରିବା। ୭. ଭାରତ ସରକାରଙ୍କ ଦ୍ୱାରା କମିଟିକୁ ପଠାଯାଇଥିବା ଅନ୍ୟ କୌଣସି ବିଷୟରେ ସୁପାରିସ ପ୍ରଦାନ କରିବା।

Leave a Reply

Your email address will not be published. Required fields are marked *