ଅମ୍ଳୀୟ ମାଟିର ପରିଚାଳନା ଓ ଡିଏପି ସାରର ବ୍ୟବହାର ହ୍ରାସ ପାଇଁ ICAR-CRRI ଓ JSW JFE Steel ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷ
ରକଟକ, ଓଡ଼ିଶା | ୩୦ ଅକ୍ଟୋବର ୨୦୨୬ଶିଳ୍ପ କାରଖାନାରୁ ବାହାରୁଥିବା ଉପ-ଉତ୍ପାଦ (ଷ୍ଟିଲ୍ ସ୍ଲାଗ୍)ର କୃଷି କ୍ଷେତ୍ରରେ ସୁବିନିଯୋଗ କରିବା ଉଦ୍ଦେଶ୍ୟରେ ଭାରତୀୟ କୃଷି ଗବେଷଣା ପରିଷଦ ଅଧୀନସ୍ଥ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ (ICAR-CRRI), କଟକ ଏବଂ JSW JFE Steel Limited ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ICAR-CRRI ଦ୍ୱାରା ବିକଶିତ ଅଭିନବ ଉତ୍ପାଦ ‘EcoLime⁺’ ମାଧ୍ୟମରେ ଅମ୍ଳୀୟ ମାଟିର ଉନ୍ନତି ଓ ମୃତ୍ତିକା ସ୍ୱାସ୍ଥ୍ୟର ସୁରକ୍ଷା ଏହି ସହଯୋଗର ମୁଖ୍ୟ ଉଦ୍ଦେଶ୍ୟ। ଏହି ପଦକ୍ଷେପ ଦ୍ୱାରା ଶିଳ୍ପ ଓ ଗବେଷଣା କ୍ଷେତ୍ର ମଧ୍ୟରେ ସହଯୋଗ ବୃଦ୍ଧି ସହିତ ଶିଳ୍ପ ବର୍ଜ୍ୟବସ୍ତୁର ସୁବିନିଯୋଗ ଏବଂ ସ୍ଥାୟୀ କୃଷିର ବିକାଶକୁ ପ୍ରୋତ୍ସାହନ ମିଳିବ।ଏହି ବୁଝାମଣାପତ୍ରରେ ICAR-CRRIର ନିର୍ଦ୍ଦେଶକ ଡ. ଜି. ଏ. କେ. କୁମାର ଏବଂ JSW JFE Steel Limitedର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଉମେଶ ରାୟ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ICAR-CRRIର ଫସଲ ଉତ୍ପାଦନ ବିଭାଗର ମୁଖ୍ୟ ତଥା ପ୍ରଧାନ ବୈଜ୍ଞାନିକ ଡ. ପ୍ରତାପ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ। ଏଥିସହ JSW JFE Steel Limitedର COO ଶ୍ରୀ ପ୍ରକାଶ ସାପ୍ପା, ଉପସଭାପତି ତଥା ଜୋନାଲ୍ ମୁଖ୍ୟ ଶ୍ରୀ ମନୋଜ ପଟୱାରୀ, ପରିବେଶ ବିଭାଗର DGM ଶ୍ରୀ ସନ୍ତୋଷ କୁମାର ପଟ୍ଟଯୋଶୀ ଏବଂ ଅନ୍ୟାନ୍ୟ ଜୋନାଲ୍ ମୁଖ୍ୟ ଓ ପରିବେଶ ବିଭାଗର ସଦସ୍ୟମାନେ ଯୋଗ ଦେଇଥିଲେ।‘EcoLime⁺’ ହେଉଛି ICAR-CRRI ଦ୍ୱାରା ବିକଶିତ ଏକ ମୂଲ୍ୟଯୁକ୍ତ ଉତ୍ପାଦ। ଏହା ଷ୍ଟିଲ୍ ସ୍ଲାଗ୍ ଓ ଫ୍ଲାଏ ଆସ୍ ପରି ଶିଳ୍ପ ଉପ-ଉତ୍ପାଦ ସହିତ କମ୍ପୋଷ୍ଟ ମିଶାଇ ପ୍ରସ୍ତୁତ କରାଯାଇଛି। ଏଥିରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍, ସିଲିକନ୍, ପୋଟାସିୟମ୍ ଓ ଜିଙ୍କ୍ ପରି ଉଦ୍ଭିଦ ପାଇଁ ଆବଶ୍ୟକ ଓ ଉପକାରୀ ପୋଷକତତ୍ତ୍ୱ ରହିଛି। ଏହି ଉତ୍ପାଦ ମାଟିର ଉର୍ବରତା ବୃଦ୍ଧି, ଫସଲର ଉତ୍ତମ ବୃଦ୍ଧି ଏବଂ ସାରର ଦକ୍ଷ ବ୍ୟବହାରରେ ସହାୟକ ହୋଇଥାଏ।ଏହି ଉତ୍ପାଦର ଏକ ପ୍ରମୁଖ ବିଶେଷତ୍ୱ ହେଉଛି, ଅମ୍ଳୀୟ ମାଟିରେ ଫସଫରସ୍ର ଉପଲବ୍ଧତା ଓ ପୋଷକତତ୍ତ୍ୱର ଉପଯୋଗ ଦକ୍ଷତା ବୃଦ୍ଧି କରି ଡିଏପି (DAP) ସାରର ଆବଶ୍ୟକତାକୁ ପ୍ରାୟ ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ କମାଇବାର ସମ୍ଭାବନା ରହିଛି। ICAR-CRRIର ଫସଲ ଉତ୍ପାଦନ ବିଭାଗର ମୁଖ୍ୟ ତଥା ପ୍ରଧାନ ବୈଜ୍ଞାନିକ ଏବଂ ‘EcoLime⁺’ର ମୁଖ୍ୟ ଉଦ୍ଭାବକ ଡ. ପ୍ରତାପ ଭଟ୍ଟାଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି।ଏହି ସହଯୋଗ ଜଳବାୟୁ ସହନଶୀଳ, ସମ୍ବଳର ସୁଦକ୍ଷ ବ୍ୟବହାର ଆଧାରିତ ଏବଂ କୃଷକଙ୍କ ପାଇଁ ଉପଯୋଗୀ କୃଷି ପ୍ରଯୁକ୍ତିର ବିକାଶ ଦିଗରେ ICAR-CRRIର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବ। ଏଥିସହ ଶିଳ୍ପ ବର୍ଜ୍ୟବସ୍ତୁକୁ କୃଷିରେ ଉପଯୋଗୀ ସମ୍ପଦରେ ପରିଣତ କରିବା, ପ୍ରାକୃତିକ ସମ୍ପଦର ସଂରକ୍ଷଣ ଏବଂ ପରିବେଶ ଅନୁକୂଳ ସ୍ଥାୟୀ କୃଷିର ପ୍ରସାରରେ ଶିଳ୍ପ ଓ ଗବେଷଣା ସଂସ୍ଥାର ମିଳିତ ପ୍ରୟାସର ଗୁରୁତ୍ୱକୁ ଏହା ପ୍ରତିଫଳିତ କରୁଛି।
