ଗୋବିନ୍ଦ
ଡ. ପ୍ରେମାନନ୍ଦ ବେହେରା

ଗୋବିନ୍ଦ….
ନାମଟି ଉଚ୍ଚାରିଲେ
ମନରେ ଶୁଣାଯାଏ ବଂଶୀର ସୁର
ବୃନ୍ଦାବନର ପବନେ ଖେଳିଯାଏ
ଅନନ୍ତ ପ୍ରେମର ଗୀତ ।।

ଗୋପୀମାନଙ୍କ ଆଖି ଅଶ୍ରୁରେ
ଚନ୍ଦ୍ରକିରଣ ହସିଯାଏ
ସେଇ ତୁମେ …
ହୃଦୟର ଚିରସାଥୀ,
ମାୟାର ମଧୁର ମୂର୍ତ୍ତି  ।।

ଗୋବର୍ଦ୍ଧନ ଉଠାଇଥିବା ସେହି ହାତ
ଆଜି ଜଗତର ଦୁଃଖର ଭାର ବୋହୁଛି
ମୁଁ ଡାକିଲେ ନିରବତାରେ
ତୁମେ ଆସି ଛୁଇଁଯାଅ ଆତ୍ମାକୁ  ।।

ହେ ନୀଳମଣି…
ତୁମର ନାମ ହେଉଛି ମୋର ଆଶ୍ରୟ
ଜଗତର କୋଳାହଳ ମଧ୍ୟରେ
ଶାନ୍ତିର ଏକମାତ୍ର ଦୀପଶିଖା ।।

ଜଗନ୍ନାଥ ରୂପେ ପୁରୀଧାମରେ
ତୁମେ ରଥରେ ବିହାର କର
ଭକ୍ତର ଆଶାର ଦୋଳାରେ
ପ୍ରେମର ଦୃଢ଼ ସ୍ତମ୍ଭ ହୋଇ ରହ ।।

ଗୋବିନ୍ଦ….
ମୋ ଜୀବନ ପଥରେ
ଯେତେ ଅନ୍ଧକାର ଆସୁ
ତୁମ ବଂଶୀର ଏକ ମଧୁର ମୂର୍ଚ୍ଛନା
ହେଉ ମୋର ଦିଗଦର୍ଶନ ।।

ତୁମ ପାଦପଦ୍ମରେ ଶିର ନୁଆଁଇ
ମୁଁ କେବଳ ଏତିକି ମାଗେ…
ପ୍ରେମ ଦିଅ, ଭକ୍ତି ଦିଅ
ତୁମ ନାମରେ ମୋର ଶ୍ୱାସ ଚାଲୁଥାଉ
ସେ ପର୍ଯ୍ୟନ୍ତ..…
ଏ ଜୀବନ ଥିବାଯାଏଁ ।।

ପଦ୍ମପୁର, ବରଗଡ଼
9438292313

Leave a Reply

Your email address will not be published. Required fields are marked *