ଗ୍ରୀନ୍ ସ୍କୁଲ୍ ୨.୦

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ‘ଗ୍ରୀନ୍ ସ୍କୁଲ୍ ୨.୦’ ଅଧୀନରେ ଶିକ୍ଷକମାନଙ୍କୁ ପାଣିପାଗ, ଜଳବାୟୁ ଏବଂ ବିପର୍ଯ୍ୟୟ ମୁକାବିଲା ତାଲିମ ପ୍ରଦାନ

କଳିଙ୍ଗନଗର, ଅଗଷ୍ଟ ୨୧,୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ) ଏବଂ ଦ ଏନର୍ଜି ଆଣ୍ଡ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ୍ (ଟିଇଆରଆଇ) ର ମିଳିତ ପଦକ୍ଷେପ ‘ଗ୍ରୀନ୍ ସ୍କୁଲ୍ ୨.୦’ ଆନୁକୂଲ୍ୟରେ ଯାଜପୁର ଜିଲ୍ଲା ଦାନଗଦୀସ୍ଥିତ ମଲ୍ଟି-ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟରରେ ଏକ ଦୁଇ ଦିନିଆ ଶିକ୍ଷକ ତାଲିମ କର୍ମଶାଳା ଗୁରୁବାର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଏହି କର୍ମଶାଳାରେ କଳିଙ୍ଗନଗର, ସୁକିନ୍ଦା, ବ୍ରାହ୍ମଣୀପାଳ, ବାଲେଶ୍ୱର ଏବଂ ମେରାମଣ୍ଡଳୀ ଅଞ୍ଚଳର ଗ୍ରୀନ୍ ସ୍କୁଲ୍ ସଂଯୋଜକ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପାଣିପାଗ ଏବଂ ଜଳବାୟୁ ସଚେତନତା, ପରିବେଶ ସ୍ଥିରତା, ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ତଥା ବିଦ୍ୟାଳୟ ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ସୁଦୃଢ଼ କରିବା।

କର୍ମଶାଳାର ପ୍ରଥମ ଦିବସରେ “ପୂର୍ବାନୁମାନ, ପ୍ରସ୍ତୁତି ଏବଂ ସୁରକ୍ଷା: ପାଣିପାଗ ଓ ଜଳବାୟୁର ବୁଝାମଣା” ବିଷୟବସ୍ତୁ ଉପରେ ଆଧାରିତ ଥିଲା। ଭାରତୀୟ ପାଣିପାଗ ବିଭାଗ, ଓଡ଼ିଶାର ବରିଷ୍ଠ ବୈଜ୍ଞାନିକ ତଥା ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି “ରିଡିଙ୍ଗ୍ ଦ ସ୍କାଏ: ଅଣ୍ଡରଷ୍ଟାଣ୍ଡିଂ ଏସେନସିଆଲ୍ସ ଅଫ୍ ୱେଦର ମନିଟରିଂ” ଶୀର୍ଷକ ଏକ ଅଧିବେଶନ ପରିଚାଳନା କରିଥିଲେ। ଏଥିରେ ସେ ପାଣିପାଗର ମୁଖ୍ୟ ମାନଦଣ୍ଡ, ନିରୀକ୍ଷଣ ଯନ୍ତ୍ରପାତି, ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ଏବଂ ସ୍ଥାନୀୟଲୋକଙ୍କ ସହଭାଗିତା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହିଅବସରରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ସତ୍ୟଜିତ ମହତାବ “ତଥ୍ୟରୁ ନିଷ୍ପତ୍ତି: ଜଳବାୟୁ ସଚେତନତା ପାଇଁ ପାଣିପାଗ ତଥ୍ୟର ବ୍ୟବହାର” ଶୀର୍ଷକ ଅଧିବେଶନରେ ଯୋଗଦେଇ ପାଣିପାଗ ତଥ୍ୟ କିପରି ସଠିକ୍ ପରିବେଶ ନିଷ୍ପତ୍ତି ନେବାରେ ସାହାଯ୍ୟ କରେ, ତାହା ଶିକ୍ଷକମାନଙ୍କୁ ବୁଝାଇଥିଲେ। କର୍ମଶାଳାରେ ଶିକ୍ଷକମାନେ ନିଜେ ବିଦ୍ୟାଳୟ ପାଇଁ ପାଣିପାଗ କେନ୍ଦ୍ର ଡିଜାଇନ୍ କରିବା, ବର୍ଷା ମାପକ ଯନ୍ତ୍ର ତିଆରି କରିବା ଏବଂ “ଇକୋକ୍ୱେଷ୍ଟ: ଦ ଗ୍ରୀନ୍ ଚ୍ୟାଲେଞ୍ଜ” ରେ ଅଂଶଗ୍ରହଣ କରି ପ୍ରାୟୋଗିକ ଅଭିଜ୍ଞତା ହାସଲ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଟେରୀର ଶୁଭମ୍ ରାୟ ଏବଂ ଶରଦ ଚନ୍ଦ୍ରକାନ୍ତ ପରିଚାଳନା କରିଥିଲେ।

ଦ୍ୱିତୀୟ ଦିନରେ ବିପର୍ଯ୍ୟୟ ବିପଦ ପ୍ରସ୍ତୁତି ଏବଂ ବିଦ୍ୟାଳୟ ବିପର୍ଯ୍ୟୟ ପରିଚାଳନା ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ବିପଦ ଚିହ୍ନଟ, ପୂର୍ବ ସତର୍କତା ବ୍ୟବସ୍ଥା ଏବଂ ଜରୁରୀକାଳୀନ ଯୋଗାଯୋଗ ବିଷୟରେ ବିଶେଷଜ୍ଞ ତ୍ରିପୁରା ମୋହିନୀ ଶତପଥୀ ଏବଂ ମନୋରଞ୍ଜନ ବିଶ୍ୱାଳ ପ୍ରଶିକ୍ଷଣ ଦେଇଥିଲେ। ଶ୍ରୀ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ମକ୍ ଡ୍ରିଲ୍ ମାଧ୍ୟମରେ ଶିକ୍ଷକମାନଙ୍କୁ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା କୌଶଳ ପ୍ରଶିକ୍ଷଣ ଦିଆଯାଇଥିଲା। ‘ଗ୍ରୀନ୍ ସ୍କୁଲ୍ ୨.୦’ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକୁ ସ୍ଥିରତା ଏବଂ ପରିବେଶ କାର୍ଯ୍ୟକଳାପର ମୁଖ୍ୟ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏବଂ ଦ ଏନର୍ଜି ଆଣ୍ଡ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ୍ ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *