ଅକ୍ଷୟପାତ୍ର ଫାଉଣ୍ଡେସନର ପୁରୀ ରୋଷଶାଳାକୁ ପାଣି ଯୋଗାଣ ଓ ବର୍ଜ୍ୟଜଳ ନିଷ୍କାସନ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ
ଅକ୍ଷୟପାତ୍ର ଫାଉଣ୍ଡେସନର ପୁରୀ ରୋଷଶାଳାକୁ ପାଣି ଯୋଗାଣ ଓ ବର୍ଜ୍ୟଜଳ ନିଷ୍କାସନ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଆମ୍ ଆଦ୍ମୀ ପାର୍ଟି* ପ୍ରାୟ *୭୧ ହଜାର ଛାତ୍ରଛାତ୍ରୀଙ୍କ* ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ଅକ୍ଷୟପାତ୍ର ଫାଉଣ୍ଡେସନର ପୁରୀସ୍ଥିତ ରୋଷଶାଳାକୁ କେଉଁ ଉତ୍ସରୁ ପାଣି ଯୋଗାଣ କରାଯାଉଛି, ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ। ସୂଚନା ଅଧିକାର କର୍ମୀ ଶ୍ରୀ *ସନ୍ତୋଷ ମହାନ୍ତି* ସୂଚନା ଅଧିକାର ଆଇନ ବଳରେ ବାରମ୍ବାର ତଥ୍ୟ ମାଗିଥିଲେ ମଧ୍ୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଏପର୍ଯ୍ୟନ୍ତ ଆବଶ୍ୟକ ସୂଚନା ପ୍ରଦାନ କରିନାହାନ୍ତି।ଏହା ସହିତ ଅଭିଯୋଗ ହୋଇଛି ଯେ, ମଙ୍ଗଳା ନଦୀର ସ୍ୱଚ୍ଛତା ଓ ସୁରକ୍ଷା ପାଇଁ ସରକାରୀ ପାଣ୍ଠିରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ, ଅକ୍ଷୟପାତ୍ର ଫାଉଣ୍ଡେସନର ବର୍ଜ୍ୟଜଳକୁ ଆବଶ୍ୟକ ଟ୍ରିଟମେଣ୍ଟ ବିନା ସିଧାସଳଖ ମଙ୍ଗଳା ନଦୀକୁ ନିଷ୍କାସନ କରାଯାଉଛି। ଏହି ଅଭିଯୋଗ ସମର୍ଥନରେ ଫଟୋ ଓ ଭିଡିଓ ଜାରି କରିଛନ୍ତି ଆମ୍ ଆଦ୍ମୀ ପାର୍ଟିର ପୁରୀ ଜିଲ୍ଲା ସଭାପତି ଶ୍ରୀ ସଞ୍ଜୀବ କୁମାର ମହାନ୍ତି।ହଜାର ହଜାର ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟ କରନ୍ତୁ ଯେ ଅକ୍ଷୟପାତ୍ର ଫାଉଣ୍ଡେସନକୁ କେଉଁ ଉତ୍ସରୁ ପାଣି ଯୋଗାଇ ଦିଆଯାଉଛି। ସେହିପରି ବର୍ଜ୍ୟଜଳ ନିଷ୍କାସନ ଘଟଣାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ, ଯଦି ବିନା ଟ୍ରିଟମେଣ୍ଟରେ ମଙ୍ଗଳା ନଦୀକୁ ବର୍ଜ୍ୟଜଳ

ଛଡ଼ାଯାଉଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ସଂସ୍ଥା ଓ ଦାୟୀ ଅଧିକାରୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆମ୍ ଆଦ୍ମୀ ପାର୍ଟି ଦାବି କରିଛି।ଆମ୍ ଆଦ୍ମୀ ପାର୍ଟିର ପୁରୀ ଜିଲ୍ଲା ସଭାପତି ଶ୍ରୀ ସଞ୍ଜୀବ କୁମାର ମହାନ୍ତି କହିଛନ୍ତି ଯେ, ଜନସ୍ୱାର୍ଥ ଏବଂ ହଜାର ହଜାର ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ ଏହି ଗୁରୁତର ପ୍ରସଙ୍ଗରେ ସରକାର ଯଦି ଶୀଘ୍ର ପଦକ୍ଷେପ ନ ନିଅନ୍ତି, ତେବେ ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ଆଗାମୀ ଦିନରେ ବ୍ୟାପକ ଗଣଆନ୍ଦୋଳନ କରାଯିବ।ଆଜି ଆମ୍ ଆଦ୍ମୀ ପାର୍ଟିର ପୁରୀ ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ପ୍ରେସ ସମ୍ମିଳନୀରେ ସୂଚନା ଅଧିକାର କର୍ମୀ ଶ୍ରୀ ସନ୍ତୋଷ ମହାନ୍ତି, ପୁରୀ ଜିଲ୍ଲା ସଭାପତି ଶ୍ରୀ ସଞ୍ଜୀବ କୁମାର ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ସତ୍ୟଜିତ୍ ମହାନ୍ତି, ନଗର ସଭାପତି ଶ୍ରୀ ରମାକାନ୍ତ ସ୍ୱାଇଁ ଏବଂ ଯୁବ ନେତା ଶ୍ରୀ ଲିପୁନ୍ ନାୟକ ଉପସ୍ଥିତ ଥିଲେ।
