ଚନ୍ଦ୍ରଭାଗା ଓ ରାମଚଣ୍ଡୀ ରେ ବୋଟିଂ କେତେ ସୁରକ୍ଷିତ ?
କୋଣାର୍କ,୦୩/୦୫: ମଧ୍ୟପ୍ରଦେଶ ଜବଲପୁର ବର୍ଗି ଡ୍ୟାମ ଦୁର୍ଘଟଣା ପରେ କୋଣାର୍କର ରାମଚଣ୍ଡୀ ନଦୀ ଓ ଚନ୍ଦ୍ରଭାଗା ସମୁଦ୍ରରେ ବୋଟିଂ ପର୍ଯ୍ୟଟକଙ୍କ ପାଇଁ କେତେ ସୁରକ୍ଷିତ? ଏନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁରୀ-କୋଣାର୍କ ବେଳାମାର୍ଗ ମାରାମଚଣ୍ଡୀ ମନ୍ଦିର ପରିଦର୍ଶନରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। କୁଶଭଦ୍ରା ନଦୀ ଓ ସମୁଦ୍ରର ମିଳନସ୍ଥଳ, ଘଞ୍ଚ ଝାଉଁ ଜଙ୍ଗଲ ଓ ସ୍ବର୍ଣ୍ଣାଭ ସମୁଦ୍ର ବେଳାଭୂମି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ରାମଚଣ୍ଡୀ ମୁହାଣ କୁଶଭଦ୍ରା ନଦୀ ଓ ଚନ୍ଦ୍ରଭାଗା ସମୁଦ୍ରରେ ବୋଟିଂର ଏକ ଅନନ୍ୟ ଅନୁଭୂତି ରହିଛି। ଅଧିକାଂଶ ପର୍ଯ୍ୟଟକ ନଦୀରେ ବୋଟିଂର ମଜା ଉଠାଇବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ରାମଚଣ୍ଡୀ ମୁହାଣରେ ୮୦ରୁ ଅଧିକ ବୋଟ୍ ଓ ୩୦ରୁ ଅଧିକ ଜେଟ ସ୍କି ଚଳାଚଳ କରୁଛି। ହେଲେ ଏହା କେତେ ସୁରକ୍ଷିତ? କାରଣ ଅଧିକାଂଶ ବୋଟର ଫିଟନେସ, ଲାଇସେନ୍ସ ନଥିବା ବେଳେ ଏହାକୁ ଚଳାଉଥିବା ଚାଳକ ତାଲିମପ୍ରାପ୍ତ ନୁହନ୍ତି । ପର୍ଯ୍ୟଟକଙ୍କ ଆଗ୍ରହକୁ ଲକ୍ଷ ରଖି ବୋଟ୍ ଚାଳକ ମନ ଇଛା ଭଡ଼ା ଧାର୍ଯ୍ୟ କରିଥାନ୍ତି। ତେଣୁ ପ୍ରତି ବୋଟରେ ଧାର୍ଯ୍ୟ ଠାରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ଏଥିସହ ଅନେକ ସମୟରେ ପର୍ଯ୍ୟଟକମାନଙ୍କୁ ଲାଇଫ ଜ୍ୟାକେଟ ପିନ୍ଧିବା ପାଇଁ ମଧ୍ୟ ବାଧ୍ୟ କରା ଯାଉନାହିଁ । ଯଦି ବୋଟ୍ ଦୁର୍ଘଟଣାରେ ସମ୍ମୁଖୀନ ହୁଏ ତେବେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଦାୟୀ କିଏ ରହିବ। ତେଣୁ ଏଠାରେ ସୁରକ୍ଷିତ ଓ ଶୃଙ୍ଖଳିତ ବୋଟିଂ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
