ଆଇସିସି ବୋଲର ର଼୍ୟାଙ୍କିଙ୍ଗ : ଶୀର୍ଷ ମାନ୍ୟତା ହରାଇଲେ ସିରାଜ୍

ଦୁବାଇ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଆଇସିସିର ସଦ୍ୟ ପ୍ରକାଶିତ ଦିନିକିଆ ବୋଲର ର଼୍ୟାଙ୍କିଙ୍ଗରେ ଶୀର୍ଷ ମାନ୍ୟତା ହରାଇଛନ୍ତି । ବୁଧବାର ଜାରି ଦିନିକିଆ ବୋଲରଙ୍କ ର଼୍ୟାଙ୍କିଙ୍ଗରେ ସିରାଜଙ୍କୁ ହଟାଇ ଅଷ୍ଟ୍ରେଲିଆର ଜୋଶ ହାଜଲେଉଡ୍ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସିରାଜ ଏବେ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି ।

ଅନ୍ୟ ଜଣେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ, ସିରାଜଙ୍କ ସହ ମିଳିତ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି । ଭାରତ ବିପକ୍ଷ ଚଳିତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଦୁଇଟି ଦିନିକିଆରେ ଷ୍ଟାର୍କ ଚମତ୍କାର ପ୍ରଦର୍ଶନ କରିଥିଲେ । ସିରାଜ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ୨୯ ରନ୍ ବିନିମୟରେ ତିନୋଟି ୱିକେଟ୍ ନେଇ ଭାରତର ବିଜୟରେ ଅନ୍ୟତମ ବିନ୍ଧାଣି ସାଜିଥିଲେ । ତେବେ ଦ୍ୱିତୀୟ ମ୍ୟାଚରେ ସେ ଅତ୍ୟଧିକ ମହଙ୍ଗା ସାବ୍ୟସ୍ତ ହେଇଥିଲେ । ସେ ତିନି ଓଭରରେ ୩୭ ରନ୍ ଦେଇଥିଲେ । ଏହି କାରଣରୁ ସେ ଏବେ ଶୀର୍ଷ ମାନ୍ୟତା ହରାଇଛନ୍ତି ।

ବିଶାଖାପାଟଣାରେ ଦ୍ୱିତୀୟ ଦିନିକିଆରେ ମିଚେଲ ମାର୍ଶ ଏବଂ ଟ୍ରାଭିସ୍ ହେଡ୍ ଏହି ଡାହାଣହାତୀ ଦ୍ରୁତ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ଚଳିତ ବର୍ଷ ଜାନୁଆରୀରେ ସିରାଜ ଦିନିକିଆରେ ବିଶ୍ୱର ଏକ ନମ୍ବର ବୋଲର ହୋଇଥିଲେ। ମୁମ୍ବାଇରେ ତିନୋଟି ୱିକେଟ୍ ନେଇଥିବା ଷ୍ଟାର୍କ ବିଶାଖାପାଟଣାରେ ଦ୍ୱିତୀୟ ଦିନିକିଆରେ ୫୩ ରନ୍ ଦେଇ ପାଞ୍ଚ ୱିକେଟ୍ ନେଇଥିବାରୁ ଅଷ୍ଟ୍ରେଲିଆ ୧୦ ୱିକେଟ୍ ବିଜୟ ସହ ପ୍ରତ୍ୟାବର୍ତ୍ତନ କରିଥିଲା। ଆଘାତ କାରଣରୁ ହାଜଲେଉଡ୍ ପୂରା ଭାରତ ଗସ୍ତ (ଚାରି ଟେଷ୍ଟ ଏବଂ ତିନୋଟି ଦିନିକିଆ)ରୁ ବଞ୍ଚିତ ହୋଇଥିଲେ । ତଥାପି ପ୍ରଥମ ଥର ପାଇଁ ଦିନିକିଆରେ ଏକ ନମ୍ବର ବୋଲର ହୋଇଛନ୍ତି ।

Leave a Reply

Your email address will not be published. Required fields are marked *