କରୁଣା କର ହେ ପରମ ବ୍ରହ୍ମ

       କରୁଣା କର ହେ ପରମ ବ୍ରହ୍ମ
 -=- ରାଗ – ଆଷାଢ଼ ଶୁକ୍ଳ ( ବାଣୀ ) -=-

କରୁଣା କର’ ହେ ପରମ ବ୍ରହ୍ମ’
                ତୁମ ଚରଣେ’ କରୁଛି ପ୍ରଣାମ’,
ତୁମେ ଶ୍ରୀହରି’ ଜଗତର ଶିରୀ’
              ଅନାଥେ ତାରି’ ସୁଖ ଦିଅ ଭରି’,
ତୁମେ ଜଗନ୍ନାଥ’
         ଚଳାଇ ନିଅ’ ଦେଖାଇ ସୁପଥ’ /୧/

ସଂସାର କାନନେ ମୁଁ ଏକ କଢ଼
                ତୁମ ଆଶ୍ରା ବିନା ଅଜ୍ଞାନ ମୂଢ଼,
ଜୀବନେ ଆସେ ଯେତେ ସବୁ ଝଡ଼
                  କଷ୍ଟ ଯନ୍ତ୍ରଣା ସହି ହୁଏଁ ଦୃଢ଼,
ରଚି ଏକ ନୀଡ଼
          ଲଙ୍ଘିବି ମୁହିଁ ଦୁଃଖର ପାହାଡ଼ /୨/

ମୋ ଭକତିର ତୁମେ ଶକତି
              ସଦା ସଦୟ ରୁହ ମୋର ପ୍ରତି,
କରୁଛି ବାରେ ତୁମକୁ ମିନତି
           ଦୁଇ ନୟନେ ଦିଅ ଦିବ୍ୟଜ୍ୟୋତି,
ଫୁଲ ପରି ଫୁଟି
      ତୁମ ଶ୍ରୀପାଦେ ମୁଁ ପଡ଼ିବି ଲୋଟି /୩/

ତୁମେ ମୋ ଆତ୍ମା ହେ ପରମ ବ୍ରହ୍ମ
                 ତୁମ ମହିମା ଅନନ୍ତ ଅସୀମ,
ଦେଉଛ ଯାହା କରୁଛି ଗ୍ରହଣ
                  ଅଜ୍ଞାନ ମୁହିଁ ମାଗୁଛି ଶରଣ,
ସବୁ ତୁମ ଦାନ
       ହୃଦୟେ ଘେନି କାଟୁଛି ଜୀବନ /୪/

ଯେଉଁ ଉଦ୍ଦେଶ୍ୟେ ଦେଇଛ ଜନମ
               ତାର ପୂରଣେ କରୁଛି କରମ,
ତ୍ରୁଟି ହୁଏ ଯା’ ଦିଅ ହେ ସୁଧାରି
                 ପଥ କଢ଼ାଇ ନିଅ ହାତ ଧରି,
କରୁଛି ପ୍ରଣାମ
         କରୁଣା କର ହେ ପରମ ବ୍ରହ୍ମ /୫/

 ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ ।

Leave a Reply

Your email address will not be published. Required fields are marked *