ଅଷ୍ଟମ ପୁନର୍ବାସ ଓ ପାରିପାଶ୍ବିର୍କ ଉନ୍ନୟନ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ
**ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ଏହାର ପାରିପାର୍ଶ୍ଵିକ ଅଞ୍ଚଳର ସ୍ଥିତି ସମୀକ୍ଷା ପାଇଁ ଆଜି ଅଷ୍ଟମ ପୁନର୍ବାସ ଓ ପାରିପାଶ୍ବିର୍କ ଉନ୍ନୟନ ଉପଦେଷ୍ଟା କମିଟି ବା ଆର ପି ଡି ଏ ସି ବୈଠକ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ଆଠ ବର୍ଷ ପରେ ଏହି ବୈଠକ ଯାଜପୁର ରୋଡ ସ୍ଥିତ ସେଲିବ୍ରେସନ ମଣ୍ଡପ ପରିସରରେ ବସିଥିଲା l ଯାହାକି ପ୍ରତି ତିନି ମାସରେ ଥରେ ବସିବା କଥା l ଏହି ବୈଠକ ରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ବି. ପରମେଶ୍ଵରନ ଅଧକ୍ଷତା କରିଥିଲେ l ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ପି. ଅନ୍ୱେଷା ରେଡି, ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ , ଉପ ଜିଲ୍ଲାପାଳ ଅଂଶୁମାନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ବୈଠକରେ ଉପସ୍ଥିତ ଥିବା ବିଭିନ୍ନ କାରଖାନାର ବିସ୍ଥାପିତ ନେତୃବୃନ୍ଦ ନିଯୁକ୍ତି, ଥଇଥାନ, ପ୍ରଦୂଷଣ, ପାନୀୟ ଜଳ , ଗମନାଗମନ ଆଦି ପ୍ରସଙ୍ଗ ଉତ୍ଥାପନ କରିଥିଲେ l ବିଶେଷ କରି ବିସ୍ଥାପିତମାନେ ନିଯୁକ୍ତି ପ୍ରସଂଗକୁ ନେଇ ବୈଠକରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଥିଲେ l

ତତସହିତ କାରଖାନା ବିସ୍ଥାପିତ ମାନେ ବସବାସ କରୁଥିବା ପୁନର୍ବାସ କଲୋନୀ ଗୁଡିକରେ ପାଣି ଓ ଗମନାଗମନ ସମସ୍ୟା ବର୍ଷ ବର୍ଷ ଧରି ସମାଧାନ ହେଉ ନଥିବାରୁ ପାଟି ତୁଣ୍ଡ କରିଥିଲେ l ବୈଠକ ବାହାରେ କିଛି ବିସ୍ଥାପିତ ଉତରାଧିକାରୀ ସୂତ୍ରରେ ସେମାନଙ୍କ ପିଲାମାନଙ୍କୁ କାରଖାନାରେ ନିଯୁକ୍ତି ଦେବାପାଇଁ ଦାବି କରି ଧାରଣାରେ ବସିଥିଲେ l ସେମାନଙ୍କ ଯୁକ୍ତି ଥିଲା, ଜମିବାଡ଼ି ହରାଇବା ପରେ କାରଖାନାରେ ନିଯୁକ୍ତି ବିନା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡିଛି l ପରିବାର ରେ କେବଳ ଜଣକୁ ଚାକିରି ନଦେଇ ଅନ୍ୟ ମାନଙ୍କୁ କାରଖାନା କତୃପକ୍ଷ ଚାକିରୀ ଦିଅନ୍ତୁ ବୋଲି ବିସ୍ଥାପିତ ମାନେ ଦାବି କରିଥିଲେ l ଦୀର୍ଘ ୫ ଘଣ୍ଟା ଯାଏ ଚାଲିଥିବା ଏହି ବୈଠକରେ କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ବିଭିନ୍ନ କମ୍ପାନୀର ପ୍ରତିନିଧି , ପ୍ରଦୂଷଣ ବୋର୍ଡ ର ଆଧିକାରୀଙ୍କ ସହ ସରକାରଙ୍କ ଅଧୀନସ୍ଥ ରାସ୍ତା, ଜଙ୍ଗଲ, ପାନୀୟ ଜଳ, ବିଦ୍ୟୁତ, ଆଦି ବିଭାଗର ବରିଷ୍ଠ ଅଧିକାରୀ ଗଣ ଉପସ୍ଥିତ ଥିଲେ । ରାଜ୍ୟ ଜିଲ୍ଲା ସମବାୟ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଓ ଯାଜପୁର ସାଂସଦ ରବି ନାରାୟଣ ବେହେରା ମଧ୍ୟ ଏହି ବୈଠକରେ ଉପସ୍ଥିତ ରହି ଲୋକଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ତତ୍ପର ଅଛନ୍ତି ବୋଲି କହିଥିଲେ
