ମାକ୍ରୋୱେବ ଟେକ୍ନୋଲୋଜି ତରଫରୁ ଗୁରୁ ବାଦଲ ସିକଦାର୍ ଙ୍କ ‘ ଅଭିନନ୍ଦନିକା ‘ ପୁସ୍ତକ ଉନ୍ମୋଚନ

ଭଦ୍ରକ,୩୧/୦୫ଭଦ୍ରକର ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷା ସଂସ୍ଥା ” ମାକ୍ରୋୱେବ ଟେକ୍ନୋଲୋଜି ” ପକ୍ଷରୁ ଆୟୋଜିତ ‘ ପୂଜ୍ୟ ପୂଜା ଆସର ‘ ତଥା ” ଅଭିନନ୍ଦନିକା ” ଲୋକାର୍ପଣ ଉତ୍ସବରେ ‘ ମୋଗଲ ତାମସା ‘ କୁ ଭଦ୍ରକରୁ ଆର୍ନ୍ତଜାତୀୟ ସ୍ତରରେ ପହଞ୍ଚାଇଥିବା ଗୁରୁ ବାଦଲ ସିକଦାର୍ ଙ୍କୁ ଉଚ୍ଛ୍ୱାସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ଘନ ଅନ୍ଧକାରର ଅତଳ ଗହ୍ୱରରୁ ନିଜକୁ ନାଟକୀୟ ଭଙ୍ଗୀରେ ଉଜ୍ଜୀବିତ କରି ‘ ମୋଗଲ ତାମସା ‘ ଭଳି ଲୋକନାଟ୍ୟକୁ ଆନ୍ତର୍ଜାତୀୟ ସ୍ତରରେ ସ୍ଥାନ ଦେଇଛନ୍ତି ଗୁରୁ ବାଦଲ ସିକଦାର୍ । ଅନେକ ବାଧାବିଘ୍ନ ଓ ସଂଘର୍ଷକୁ ଅତିକ୍ରମ କରି ସେ ନିଜ ପ୍ରତିଭା ବଳରେ ସଫଳତାର ଶିଖରକୁ ପହଞ୍ଚିପାରିଛନ୍ତି। ତାଙ୍କ ଜୀବନ ଆଜି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ସାଜିଛି।ବୟସର ସାୟାହ୍ନରେ ପହଞ୍ଚି ମଧ୍ୟ ନାଟକ,କଳା – ସାହିତ୍ୟକୁ ନିଜ ଜୀବନ ଭାବି ଆଜିବି ଚଳଚଞ୍ଚଳ ହୋଇଉଠିଛନ୍ତି ଶ୍ରୀଯୁକ୍ତ ସିକଦାର୍। ଏହି ମହାନ୍ ପ୍ରତିଭାଙ୍କ ନାଟ୍ୟ ଶୈଳୀ ଓ ସାହିତ୍ୟିକ ଭଙ୍ଗୀ ଆଜିର ସମାଜକୁ ଏକ ନୂତନ ଦିଗ ଉନ୍ମୋଚନ କରିବାରେ ସହାୟକ ହୋଇଛି। ଆଧୁନିକ ଭାରତୀୟ ନାଟ୍ୟଧାରାର ପୁରୋଧା ଭାବେ ଶ୍ରୀଯୁକ୍ତ ସିକଦାର୍ ନିଜର ଅଭିନବ ନାଟ୍ୟଚିନ୍ତା ଓ ସମାଜମୁଖୀ ଦୃଷ୍ଟିଭଙ୍ଗୀରେ ସ୍ମରଣୀୟ ହୋଇ ରହିଛନ୍ତି। ଏହିଭଳି ଜଣେ ମହାନ୍ ବ୍ୟକ୍ତିତ୍ୱଙ୍କ ସମ୍ବର୍ଦ୍ଧନା ଉତ୍ସବରେ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ମନୋଜ ପଟ୍ଟନାୟକ,ବିଶିଷ୍ଟ ସାହିତ୍ୟିକ ବ୍ରଜମୋହନ ମିଶ୍ର,ବିଶିଷ୍ଟ ସାହିତ୍ୟିକ ଡ. ଶଶଧର ଦାସ,ନାଟ୍ୟକାର ତଥା ନିର୍ଦ୍ଦେଶକ ଡ.ଦୀନବନ୍ଧୁ ଦାସ ,ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ୱିବେଦୀ,ଚର୍ଚ୍ଚିତ ନାଟ୍ୟକାର ଡ.ସୁଧାଂଶୁ ନାୟକ,ରୋଟରୀୟାନ ତଥା ସାମ୍ବାଦିକ ଅତୀଶ ବେହେରା ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକାର ଅଟଳ ବିହାରୀ ନାୟକ,କବି ବିଜୟ ବହଳି,ପ୍ରାଧ୍ୟାପକ କମଳାକାନ୍ତ ସ୍ୱାଇଁ, ଅଧ୍ୟାପକ ଶ୍ରୀଧର ସାହୁ ପ୍ରମୁଖ ନାଟକ,ନାଟ୍ୟସାହିତ୍ୟ ଓ କଳା ଉପରେ ବିଶେଷ ଚର୍ଚ୍ଚା କରିବା ସହ ଉତ୍ତର ଓଡ଼ିଶାରେ ପ୍ରଥମ ଉପେନ୍ଦ୍ର ଭଞ୍ଜ ସମ୍ମାନ ଲାଭ କରିଥିବା ଶ୍ରୀଯୁକ୍ତ ସିକଦାର୍ ଙ୍କ ନାଟ୍ୟପ୍ରଜ୍ଞା,ଜୀବନ ସଂଘର୍ଷ,ଉଜ୍ଜ୍ୱଳ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ନାଟ୍ୟସାହିତ୍ୟ ପ୍ରେମୀ ଶତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ତଥା ‘ମାକ୍ରୋୱେବ ଟେକ୍ନୋଲୋଜି’ ସଂସ୍ଥା ଦ୍ୱାରା ଭବ୍ୟ ଆୟୋଜିତ ଏହି ଆସର ମଧ୍ୟରେ ଶ୍ରୀଯୁକ୍ତ ସିକଦାର୍ ଙ୍କ ଜୀବନୀ ଉପରେ ଆଧାରିତ ତଥା ବହୁ ବାଦଲ – ପ୍ରେମୀଙ୍କ ହସ୍ତଲେଖାରେ ସମ୍ପନ୍ନ ପୁସ୍ତିକା ‘ ଅଭିନନ୍ଦନିକା ‘ ଲୋକାର୍ପିତ ହୋଇଥିଲା। ଉତ୍ସବର ମୁଖ୍ୟ ପରିଚାଳନା କମ୍ପ୍ୟୁଟର ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ରାୟ ଓ ସଂସ୍ଥାର ସମସ୍ତ ପ୍ରତିନିଧିଙ୍କ ଦ୍ୱାରା ସମ୍ପନ୍ନ ହୋଇଥିବାବେଳେ ସଭାରେ ସ୍ୱାଗତ ଭାଷଣ ସାହିତ୍ୟିକ ଗିରୀଶ ବିହାରୀ ମିଶ୍ର ଦେଇଥିବାବେଳେ ଶ୍ରୀଯୁକ୍ତ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା, ଶ୍ରୀଯୁକ୍ତ ଜଗନ୍ନାଥ କର ପ୍ରମୁଖ ସଭା ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ।

Leave a Reply

Your email address will not be published. Required fields are marked *