ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ଦ୍ଵାରା ଦାୟର ଦ୍ୱିତୀୟ ରିଟ୍ ର ଶୁଣାଣି

ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ଦ୍ଵାରା ଦାୟର ଦ୍ୱିତୀୟ ରିଟ୍ ର ଶୁଣାଣି କରି ମିଶ୍ରଣ ନେଇ ଅଦ୍ୟାବଧି କଣ ପଦକ୍ଷେପ ନିଆଯାଇଛି ଜଣେଇବାକୁ ଗଞ୍ଜାମ ଜିଲ୍ଲାପାଳ, ବିଏମସି କମିଶନର, ନଗର ଉନ୍ନୟନ ବିଭାଗ ସଚିବ ଓ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ଉଚ୍ଚ ନ୍ୟାୟାଳୟଙ୍କ ନୋଟିସ ଜାରି।ବ୍ରହ୍ମପୁର ମହାନଗର ନିଗମରେ ସହର ତଳି ଅଞ୍ଚଳ ମିଶ୍ରଣ ନେଇ ହାଇ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ନହେବା ଏବଂ ଏ ସଂକ୍ରାନ୍ତରେ ଅଦାଲତ ଅବମାନନାକୁ ଏଡାଇବାକୁ ଯାଇ ପୂର୍ବ ବିଜେଡି ସରକାର ତରବରିଆ ଭାବରେ ଲୋଚାପଡା ପଞ୍ଚାୟତ, ସାନ କୁଷସ୍ଥଳି, ବ୍ରହ୍ମାପଲ୍ଲି ଓ ଗୋଳାବନ୍ଧ ଆର୍ମି ଏଡି କଲେଜକୁ ମାସେ ମଧ୍ୟରେ ମିଶେଇବାକୁ ସରକାର ବିନିଧିଷ୍ଟ କରିଥିବା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। ମାସେ ମଧ୍ୟରେ ଏଥିଦ୍ୱାରା ପ୍ରଭାବିତ ହେଉଥିବା ଲୋକଙ୍କ ଠାରୁ ଆପତ୍ତି ଓ ପରାମର୍ଶ ଯାହା ଅଛି ଜଣାଇବାକୁ ଆହ୍ବାନ କରିଥିଲେ। କିନ୍ତୁ ତାହା ଉପରେ ତତ୍ ପରବର୍ତ୍ତୀ ପଦକ୍ଷେପ ଓ ପକ୍ରିୟା ଆରମ୍ଭ କରିବା ବଦଳରେ ରହସ୍ୟ ଜନକ ଭାବେ ନବୀନ ସରକାର ଚୁପ୍ ବସି ଯାଇଥିଲେ। ଏହାର ପ୍ରତିବାଦରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ପ୍ରଥମ ଆଦେଶକୁ ଲିଙ୍କ କରି ୨୦୦୮ ଗେଜେଟ ବିଜ୍ଞପ୍ତି ଅନୁଯାୟୀ ୧୮ ଟି ପଞ୍ଚାୟତକୁ ବିଏମସି ରେ ସାମିଲ କରିବା ନେଇ ଆଉ ଗୋଟେ ପୃଥକ୍ ରିଟ୍ ହାଇକୋର୍ଟରେ ଦ୍ୱିତୀୟ ଯାଚିକା ଭାବରେ ଦାୟର କରାଯାଇଥିଲା। ଯେଉଁଥିରେ ପ୍ରଥମ ଆଦେଶ ପରଠାରୁ ଅଦ୍ୟାବଧି ଘଟିଥିବା ଘଟଣାବଳୀ ଓ ପରିବର୍ତ୍ତିତ ପରିସ୍ଥିତି ସମ୍ପର୍କରେ ଉଲ୍ଲେଖ ରହିଛି। ମାନ୍ୟବର ହାଇକୋର୍ଟ ଏହାର ଶୁଣାଣି କରି ବିଭିନ୍ନ ବ୍ୟକ୍ତି ବିଶେଷ ଦ୍ଵାରା ଯାହା ଆପତ୍ତି ଅଭିଯୋଗ ଆସିଥିଲା ତାହାକୁ ଖାରଜ କରିବା ସହ ମିଶ୍ରଣ ନେଇ ଅଦ୍ୟାବଧି କଣ ପଦକ୍ଷେପ ନେଇଛ ଜଣେଇବାକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ, ପୌର ପ୍ରଶାସନ ନିର୍ଦ୍ଦେଶକ, ଗଞ୍ଜାମ ଜିଲ୍ଲାପାଳ ଓ ବିଏମସି ଆୟୁକ୍ତ ପ୍ରମୁଖଙ୍କ ନୋଟିସ ଜାରି କରିବା ସହ ଏହାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୨ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଏଠି ସୂଚନାଯୋଗ୍ୟ ଯେ ଏଥିପୂର୍ବରୁ ମିଶ୍ରଣ ନେଇ ସରକାର ଜାରି କରିଥିବା ବିଜ୍ଞପ୍ତି ଉପରେ ଯେଉଁ ସବୁ ଆପତ୍ତି ଆସିଥିଲା ତାହାକୁ ଉଭୟ ଜିଲ୍ଲା ପ୍ରଶାସନ ଏବଂ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯିବା ସହ ମିଶ୍ରଣ ସପକ୍ଷରେ ସ୍ପଷ୍ଟ ଓ ଦୃଢ଼ ସୁପାରିଶ କରାଯାଇଥିଲା। ଏହା ସ୍ଵତ୍ତେ ତତ୍କାଳିନ ନବୀନ ସରକାର କୌଣସି ଦୁରଭିସଦ୍ଧି ଭାବନାର ଶୀକାର ହୋଇ ଏହା ଉପରେ ପକ୍ରିୟା ଆରମ୍ଭ କରି ବିଦ୍ଧିବଦ୍ଧ ପଦକ୍ଷେପ ଗ୍ରହଣ କରି ମୁଣ୍ଡି ମାରିବା ପରିବର୍ତେ ନୀରବ ରହିବାକୁ ଶ୍ରେୟସ୍କର ମଣିଲେ। ଯାହାର ପ୍ରତିଫଳନ ଗତ ନିର୍ବାଚନରେ ତତ୍କାଳିନ ଶାସକ ବିଜେଡି ଦଳ ଭୋଗିଥିଲା । ତେଣୁ ଏବର ବିଜେପି ନେତୃତ୍ଵାଧୀନ ନୂତନ ସରକାର ପୂର୍ବ ସରକାରର ତ୍ରୁଟି ଓ ଭୁଲକୁ ନ ଦୋହରାଇ ଆଗାମୀ ନଭେମ୍ବର ୧୨ ତାରିଖ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପୂର୍ବରୁ ମିଶ୍ରଣ ନେଇ ସରକାର ନିର୍ଣ୍ଣାୟକ ନିଷ୍ପତ୍ତି ନେଇ ବ୍ରହ୍ମପୁର ପ୍ରତି ନିଜ ଦାୟିତ୍ୱ ଓ ଭୂମିକା ନିର୍ବାହ କରିବେ ବୋଲି ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟିର ଅନୁଷ୍ଠିତ ହୋଇଥିବା କାର୍ଯ୍ୟକାରିଣୀ ବୈଠକରେ ଆଶା ପ୍ରକାଶ କରାଯାଇଥିଲା। ଏ ନେଇ ନିମଖଣ୍ଡି ସ୍ଥିତ ତୋଟା ମଠରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକାରିଣୀ କମିଟିର ଏକ ବୈଠକରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ସୂଚନା ଦେଇଥିଲେ। ବୈଠକରେ ସଭାପତିଙ୍କ ବ୍ୟତୀତ ଦେବୀ ପ୍ରସାଦ ଦାସ, ଶ୍ରୀକାନ୍ତ ପାଢିହାରି , ଟି ସୁଦେଶ ପାତ୍ର, ବି ଭି ସାଗର, ଏମ୍ ଲାବଣ୍ୟ ପାତ୍ର, ଦିଗାମ୍ବର ସାମନ୍ତରାୟ, ଅଜିତ୍ ପଟ୍ଟନାୟକ, କେ ସୁଦାମ ପାତ୍ର, ସୁନିଲ ପାତ୍ର , ସି ଏଚ ରାମ କ୍ରିଷ୍ଣା ଦାସ, ଅନିଲ ଅଧିକାରୀ, ସୁଶାନ୍ତ କୁମାର ସାହୁ, ଲକ୍ଷ୍ମୀ କାନ୍ତ ଜେନା, ଋଷିଦେବ ସାହୁ, ଜିତେନ୍ଦ୍ର କୁମାର ପାଢ଼ୀ, ଶଙ୍କର ବେହେରା, ଅଶ୍ଵିନୀ କୁମାର ସାହୁ, କାହୁଁ ଚରଣ ପତି, ବିଶ୍ଵନାଥ ବେହେରା, ଗୀରିଶ ଚନ୍ଦ୍ର ପାଢ଼ୀ, ରାଜେନ୍ଦ୍ର କୁମାର ଜେନା, ପ୍ରିତିଶ କୁମାର ପାଣିଗ୍ରାହୀ, ପ୍ରବୀଣ କୁମାର ପଟ୍ଟନାୟକ, ଆଦିତ୍ୟ ନାରାୟଣ ରଥ, କୁମାର ସ୍ବାମୀ ପାତ୍ର, ଶରତ ଚନ୍ଦ୍ର ପଟ୍ଟନାୟକ, ଡ କବିରାଜ ରାଉତ, ଦୀପକ ଦୋରା, ପ୍ରଶାନ୍ତ କୁମାର ପଣ୍ଡା ଓ ପ୍ରଭାତ କୁମାର ବେହେରା ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଓ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ।ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି, ବ୍ରହ୍ମପୁର।

Leave a Reply

Your email address will not be published. Required fields are marked *