ଆଧ୍ୟାତ୍ମିକ ପୁସ୍ତକ “ଜୀବନ ଅମୃତ ଅନୁଚିନ୍ତା” ଉନ୍ମୋଚିତ

ଆଧ୍ୟାତ୍ମିକ ପୁସ୍ତକ “ଜୀବନ ଅମୃତ ଅନୁଚିନ୍ତା” ଉନ୍ମୋଚିତ l ବିଶିଷ୍ଟ ଆଧ୍ୟାତ୍ମିକ ଲେଖକ ଡ. ପ୍ରଦୀପ ଚୌଧୁରୀଙ୍କ ପୁସ୍ତକ “ଜୀବନ ଅମୃତ ଅନୁଚିନ୍ତା” ରବୀନ୍ଦ୍ର ମଣ୍ଡପ ଠାରେ ସାଂସ୍କୃତିକ ଅନୁଷ୍ଠାନ ‘ଚିନ୍ତା ଓ ଚେତନା’ ଦ୍ୱାରା ଆୟୋଜିତ ‘ବର୍ଷା’ କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଜୀବନର ମୂଲ୍ୟବାନ ୫୫୪ଟି ଅନୁଚିନ୍ତାକୁ ନେଇ ଲେଖକ ଶ୍ରୀ ଚୌଧୁରୀ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଏକ ଦ୍ୱିଭାଷୀ ପୁସ୍ତକ “ଜୀବନ ଅମୃତ ଅନୁଚିନ୍ତା – ୨” “Golden Thoughts of Life -2” ରଚନା କରିଛନ୍ତି । ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମକୁ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ଶ୍ରୀଯୁକ୍ତ ରାମ ନାରାୟଣ ଦାସ ମହାରାଜ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟଅତିଥି ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ, ବିଶିଷ୍ଟ ଅତିଥି ବିଧାନ ସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଉପସ୍ଥିତ ରହି ଏହି ଆଧ୍ୟାତ୍ମିକ ପୁସ୍ତକର ଜୀବନ ସହିତ ରହିଥିବା ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ । ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ପ୍ରାକ୍ତନ ଶାସନ ସଚିବ ଶ୍ରୀ ସହଦେବ ସାହୁ ଓ ଓଡ଼ିଶୀ ନୃତ୍ୟଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର ଏବଂ ‘ଚିନ୍ତା ଓ ଚେତନା’ ଅନୁଷ୍ଠାନର ମହାସଚିବ ଶ୍ରୀ ସୁରେନ୍ଦ୍ର ଦାସ ଉପସ୍ଥିତ ଥିଲେ ।ଲେଖକ ଡ. ଚୌଧୁରୀ ବର୍ତ୍ତମାନ ସୁଦ୍ଧା ୮୦ ଖଣ୍ଡରୁ ଊର୍ଦ୍ଧ୍ୱ ଗବେଷଣା ମୂଳକ, ତତ୍ତ୍ୱ ଭିତ୍ତିକ , ଧର୍ମ, ଦର୍ଶନ, ଜ୍ୟୋତିଷ, ଆଧ୍ୟାତ୍ମିକ, ବାସ୍ତୁ ଶାସ୍ତ୍ର ସମ୍ବନ୍ଧୀୟ ପୁସ୍ତକ, ଭକ୍ତି ସଙ୍ଗୀତ ଓ କବିତା ପୁସ୍ତକ ରଚନା କରି ଆଧ୍ୟାତ୍ମିକ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ଜ୍ୟୋତିର୍ବିଦ୍ୟା ଓ ଆଧ୍ୟାତ୍ମିକ ସାହିତ୍ୟ କ୍ଷେତ୍ରରେ ସ୍ୱତନ୍ତ୍ର ଅବଦାନ ନିମନ୍ତେ ସେ ଦେଶର ଅନେକ ଅଗ୍ରଗଣ୍ୟ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି । ତାଙ୍କ ରଚିତ ଅନେକ ପାଠକ ଆଦୃତ ପୁସ୍ତକ ଇଂରାଜୀ, ହିନ୍ଦୀ , ବଙ୍ଗଳା ଓ ତେଲୁଗୁ ଭାଷାରେ ଅନୁଦିତ ହୋଇ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *