ଓଡ଼ିଆ ନବବର୍ଷ ମହାବିଷୁବ ସଂକ୍ରାନ୍ତି

     ଓଡ଼ିଆ ନବବର୍ଷ ମହାବିଷୁବ ସଂକ୍ରାନ୍ତି
             ( ରାଗ–ରସକୁଲ୍ୟା )

🖊କବିରତ୍ନ ନୂତନ କୁମାର ବେହେରା

        ସଂସ୍କୃତି ପରମ୍ପରା ସବୁ ମାନି
       ବାରମାସରେ ତେର ପର୍ବ ଜାଣି,
      ପାଳୁ ଆମେ ବତ୍ର ଘେନି ଏ ତିଥି
      ନବ ବରଷ “ବିଷୁବ ସଂକ୍ରାନ୍ତି” ସେ,
          ଆସଇ ବସନ୍ତ ଅନ୍ତେ ଯେ,
     କରି ମନ ଖୁସି ପାଳୁ ହସି ହସି,
       ଗାଁରୁ ସହର ପରିଯନ୍ତେ ଯେ।୧।

        ବୈଶାଖ ମାସର ପହିଲି ଦିନ
       ତୁଳସୀ ଚଉରା ମୂଳରେ ଧ୍ୟାନ,
        ବସୁନ୍ଧରା ଟାଙ୍ଗି କରୁ ପୂଜନ,
      ଝୁଲା ଠେକିର ସରୁ ରନ୍ଧ୍ରୁ ଝରି ସେ
         ଜଳ ପଡେ ଗଛ ତଳେ ଯେ,
     ଦହି ଗୁଡ଼ ଦିଆ କଦଳୀ ଛତୁଆ
       ପୂଜା ହୁଏ ତା’ର ମୂଳେ ଯେ।୨।

       ଶୁଭ ମନାସୀ ଏ ନବ ବରଷେ
     ପୂଜୁ ଦେବାଦେବୀ ମନ ହରଷେ,
      ରହିବାକୁ ଭଲ ତାଙ୍କ ଆଶିଷେ
      ନୂଆ ଓଡି଼ଆ ପଞ୍ଜିକା ଗଣନା ସେ,
           ଏହି ଦିନୁ ହୁଏ ଶୁଭ ଯେ,
      ବରଷ ଯାକର ଦିବସ ବିଚାର 
       କରି ପାଇ ଥାଉଁ ଲାଭ ଯେ ।୩।

       ପ୍ରଚଣ୍ଡ ରୌଦ୍ର ତାପ ଯାଏ ବଢି
       ଚାଲୁ ଜୀବନ ଯାତ୍ରାକୁ ସଜାଡି,
        ସତର୍କରେ ରହୁ ଧରି ଜୀବନ
       ପଣା ସରବତ ଜଳ କରି ପାନ ସେ,
           ଶରୀର ରଖୁ ସତେଜ ଯେ,
        ପଥିକର ଲାଗି ଜଳଛତ୍ର ଜଗି
         ତୃଷାର୍ତ୍ତେ କରୁ ସାହାଯ୍ୟ ଯେ।୪।

         ମହାବିଷୁବ ସଂକ୍ରାନ୍ତି ପରବ
       ଘରେ ଘରେ ପାଳିଥାଉ ଉତ୍ସବ,
        ବନ୍ଧୁ ମିଳନେ ପରସ୍ପର ଭାବ
      ବିନିମୟେ ତା’ ଘୁଞ୍ଚାଉ ଅଭାବ ସେ,
         ଝାମୁ ଜାତ ହୁଏ ସଂଜେ ଯେ,
     ପାଟୁଆ ଭକତ ଅଗ୍ନିରେ ଚାଲି ତ
        ରୁହଇ ବିନା ଦରଜେ।୫।

      ଶିବ ମନ୍ଦିରେ ଘଟ ଉତ୍ତୋଳନ
     ପୁଷ୍କରଣୀରୁ ଆସେ ଏଇ ଦିନ,
    ଢୋଲ ନାଗରା ବାଦ୍ୟେ କମ୍ପମାନ
    ହର ଗୌରୀ ବିବାହ ଲଗନ ସେ,
        ହୁଏ ବୈଦିକ ବିଧାନେ ଯେ,
    ପତିପତ୍ନୀ ବେନି ଭକ୍ତା ଗଣେ ଘେନି
      ନାଚି ଆସୁଥାନ୍ତି ଗହଣେ ଯେ।୬।

       ଓଡି଼ଶାର ବିଭିନ୍ନ ସ୍ଥାନେ ନୃତ୍ୟ
        ସାଂକୃତିକ କାର୍ଯ୍ୟେ ଥାଆନ୍ତି ରତ,
       ଦଣ୍ଡ ଛଉ ନାଚ ତା’ ଶୋଭାକାନ୍ତି
       ବିଷୁବ ସଂକ୍ରାନ୍ତି ଜଳ ସଂକ୍ରାନ୍ତି ସେ,
            ନାମେ ହୁଅଇ କଥିତ ଯେ,
      ଚଡକ ପରବ ନାମରେ ଗୌରବ
        ଆମ ରାଇଜେ ବିଖ୍ୟାତ ଯେ।୭।

        ଓଡି଼ଆ ନବ ବର୍ଷ ପାଳନରେ
        ମହାବିଷୁବ ସଂକ୍ରାନ୍ତି ଉର୍ଦ୍ଧରେ,
         ପ୍ରଚାର କରେ ମହତ୍ଵ ଗୁରୁତ୍ଵ
       ବହୁ ତାତ୍ତ୍ଵିକ ଶାସ୍ତୀୟ ସିଦ୍ଧାନ୍ତ ସେ,
           ସାଥେ ହୋଇଛି ଜଡି଼ତ ଯେ,
          ରଖଇ ଅକ୍ଷୁର୍ଣ୍ଣ ଓଡି଼ଆଙ୍କ ମାନ
          ଆମ ଜାତିର ମହତ ଯେ ।୮।
          
 ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *