ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି।

ସମୀକ୍ଷା କଲେ ଜିଲ୍ଲାପାଳ ।

ହେଡକ୍ବାଟର ନ ଛାଡିବାକୁ କଡା ନିର୍ଦ୍ଦେଶ।

ପୁରୀ ୨୪/୧୦ ସମ୍ଭାବ୍ୟ ବାତ୍ୟା ର ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କୁ ଜୋରଦାର କରିଛି।ଆଜି ସଂଧ୍ୟା ରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭାଗୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ମାନଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି।ବାତ୍ୟା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ଓ ସରକାର ଙ୍କ ପକ୍ଷରୁ ସତର୍କ ସୂଚନା ମିଳିବା ପରେ ଆମକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ କହିଥିଲେ।ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ପ୍ରସ୍ତୁତ ରଖିବା, ପରିଷ୍କାର ପରିଛନ୍ନ କରିବା, ବିଦ୍ୟୁତ ଯୋଗାଣ ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟ ଇତ୍ୟାଦି ବ୍ୟବସ୍ଥା ଗୁଡିକ ର ସ୍ଥିତି ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟକ୍ଷମ ଅବସ୍ଥାରେ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଅତ୍ୟାବଶ୍ୟକ ସାମଗ୍ରୀ ମହଯୁଦ ରଖିବା, କେଉଁଠାରେ ଗଛ, ଡାଳ, ବିଦ୍ୟୁତ ଖୁଣ୍ଟ ଇତ୍ୟାଦି ରାସ୍ତା ଅବରୋଧ କରି ପଡୁଥିଲେ ତାହାକୁ ଯଥା ଶିଘ୍ର ଅପସାରଣ କରି ପୁନଃକ୍ଷମ କରିବାକୁ ବ୍ୟବସ୍ଥା କରିବା, ଆବଶ୍ୟକୀୟ ଔଷଧ, ଓଆରଏସ, ସାପ କାମୁଡା ଆଣ୍ଟିଭେନମ ଇତ୍ୟାଦି ମହଜୁଦ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ସ୍ଥାନୀୟ ଜନ ପ୍ରତିନିଧି, ସ୍ବେଛାସେବୀ ମାନଙ୍କ ସହଯୋଗ ନେବା, ଲୋକ ମାନଙ୍କୁ ପରିସ୍ଥିତି ସମ୍ପର୍କରେ ସଚେତନ କରାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଅଧିକାରୀ,କର୍ମଚାରୀ ମାନଙ୍କ ଛୁଟି ବାତିଲ କରାଯାଇଥିବାରୁ କେହି ଛୁଟିରେ ନ ଯିବାକୁ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଥିଲେ।ଏହି ଆଭାସୀ ବୈଠକରେ ସମସ୍ତ ପୁରୀ ମହାନଗର ନିଗମର କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା,ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ନିଳମାଧବ ଭୋଇ, ସୁଶାନ୍ତ କୁମାର ପତି, ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଜରୁରୀ ବିଭାଗ ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟ ଅଧିକାରୀ, ବିଡ଼ିଓ, ତହସିଲଦାର, ଏନଏସି ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
ସୂଚନା ଯୋଗ୍ୟ ଯେ ଜିଲ୍ଲାରେ ୧୭୯ ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳ ରହିଥିବା ବେଳେ, ଅପରପକ୍ଷରେ ୩୭୨ ଗୋଟି ବିକଳ୍ପ ଆଶ୍ରୟ ସ୍ଥଳ ଚିହ୍ନଟ କରାଯାଇ ପ୍ରସ୍ତୁତ ରଖାଯାଇଛି।ସେହିପରି ଏସଆରସି ର 26 ଗୋଟି ବୋଟ ରହିଛି।
ଏତଦ ବ୍ୟତୀତ ସୁରକ୍ଷା କୁ ଦୃଷ୍ଟି ରେ ରଖି ତୁରନ୍ତ ଦୁର୍ଗା ପୂଜା ମେଢ଼ ଓ ଅସୁରକ୍ଷିତ ଵିଜ୍ଞାପନ ହୋର୍ଡିଙ୍ଗକୁ ବାହାର କରିବାକୁ ବି ନିର୍ଦେଶ କରାଯାଇଛି l ସ୍ଥିତି ଅନୁଧ୍ୟାନ କରି ବିଦ୍ୟାଲୟ ଓ ଅଙ୍ଗନବାଡି ବନ୍ଦ ନିଷ୍ପତି ନିଆଯିବ lପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜ଼ିଲ୍ଲାର ସମସ୍ତ ତଟବର୍ତ୍ତୀ ଜଳାଶୟ ରେ ନୌକା ସେବାକୁ ୨୬ ସନ୍ଧ୍ୟା ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ପାଇଁ ଆଦେଶ ଦିଆଯାଇଛି

Leave a Reply

Your email address will not be published. Required fields are marked *