୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ମହାମହିମ,ସଜ୍ଜନମଣ୍ଡଳୀ,ନମସ୍କାର!ଭାରତରେ ଆପଣ ସମସ୍ତଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି।ଭାରତର ବ୍ରିକ୍ସ ଅଧ୍ୟକ୍ଷତା ‘ଲୋକ-କୈନ୍ଦ୍ରିକ’ ଏବଂ ‘ମାନବତା ପ୍ରଥମ’ ଆଭିମୁଖ୍ୟ ଉପରେ ଆଧାରିତ। ସହନଶୀଳତା, ନବସୃଜନ, ସହଯୋଗ ଏବଂ ସ୍ଥିରତା ଆମର ପ୍ରାଥମିକତା ହୋଇରହିଛି। ଏହି ପ୍ରାଥମିକତାଗୁଡ଼ିକ ସହିତ, ଆମେ ବ୍ରିକ୍ସ ସହଯୋଗକୁ ସାଧାରଣ ଜନତାଙ୍କ ସହ ଯୋଡ଼ିବା ଉପରେ ବିଶେଷ ଗୁରୁତ୍ୱ ଦେଇଛୁ।ଏହି ଚିନ୍ତାଧାରାକୁ ଆଧାରକରି ସାଢ଼େ ତିନି ଶହରୁ ଅଧିକ ବୈଠକ ଆୟୋଜନ କରାଯାଇଛି। ପ୍ରାୟ ତିରିଶଟି ସହରରେ ଆପଣମାନଙ୍କ ଟିମ୍ଙ୍କୁ ସ୍ୱାଗତ କରିବାର ସୁଯୋଗ ଆମକୁ ମିଳିଛି। ଭାରତର ବ୍ରିକ୍ସ ଅଧ୍ୟକ୍ଷତାକୁ ସଫଳ କରିବାରେ ସକ୍ରିୟ ଯୋଗଦାନ ଏବଂ ସମର୍ଥନ ପାଇଁ ମୁଁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି।ବନ୍ଧୁଗଣ,ଏହି ବର୍ଷର ବ୍ରିକ୍ସ ସମ୍ମିଳନୀ ଏକ ଐତିହାସିକ ମାଇଲଖୁଣ୍ଟ। ଆମେ ବ୍ରିକ୍ସର ବିଂଶତମ ବାର୍ଷିକୀ ପାଳନ କରୁଛୁ। ମାନବ ଜୀବନରେ କୋଡ଼ିଏ ବର୍ଷ ବୟସ, ପରିପକ୍ୱତା ଏବଂ ଦାୟିତ୍ୱବୋଧର ଏକ ନୂତନ ପର୍ଯ୍ୟାୟର ପରିଚୟ ଦିଏ। ଏହା ସେହି ଅବସ୍ଥା, ଯେତେବେଳେ ସ୍ୱପ୍ନ ସହିତ ଦାୟିତ୍ୱ ଯୋଡ଼ି ହୁଏ ଏବଂ ଦକ୍ଷତାକୁ ଏକ ନୂତନ ଦିଗ ମିଳେ।ଆଜି ବ୍ରିକ୍ସ ମଧ୍ୟ ତା’ର ପରିପକ୍ୱତା ମୁହୂର୍ତ୍ତରେ ଅବତୀର୍ଣ୍ଣ। ବିଗତ କୋଡ଼ିଏ ବର୍ଷ ମଧ୍ୟରେ ବ୍ରିକ୍ସ ବିଶ୍ୱ ମଞ୍ଚରେ ତା’ର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆମେ ପରସ୍ପରର ଦୃଷ୍ଟିକୋଣକୁ ସମ୍ମାନ କରୁ ଏବଂ ସର୍ବସମ୍ମତି ସହିତ ଆଗକୁ ବଢ଼ୁ। ଆମେ କାହା ବିରୋଧରେ ନୁହେଁ, ବରଂ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ଚିନ୍ତାଧାରା ସହିତ ଅଗ୍ରସର ହେବାକୁ ଚେଷ୍ଟା କରୁ।ବର୍ତ୍ତମାନ ସମୟ ଆସିଛି ଯେ ଆମେ ବ୍ରିକ୍ସରେ ଆମର ଏକତା ଏବଂ ସହମତିକୁ ବିଶ୍ୱ ମଞ୍ଚରେ ନିର୍ଦ୍ଦିଷ୍ଟ ପରିଣାମରେ ପରିଣତ କରିବା। ଆଗାମୀ କୋଡ଼ିଏ ବର୍ଷ ପାଇଁ ଆମକୁ ଏକ ନୂତନ ଏବଂ ଆକାଂକ୍ଷୀ ଆଜେଣ୍ଡାକୁ ଭିତ୍ତିକରି କାମ କରିବାକୁ ହେବ। ଆମକୁ ଆମର ନିଜସ୍ୱ କାର୍ଯ୍ୟପ୍ରଣାଳୀରୁ ଏହାର ଶୁଭାରମ୍ଭ କରିବାକୁ ପଡ଼ିବ।ବ୍ରିକ୍ସର ଅଧ୍ୟକ୍ଷତା ପ୍ରତିବର୍ଷ ବଦଳିଥାଏ, କିନ୍ତୁ ଏହା ଯୋଗୁଁ ଆମର ଆନୁଷ୍ଠାନିକ ନିରନ୍ତରତା ଅଟକିବା ଉଚିତ ନୁହେଁ। ମୁଁ ବ୍ରିକ୍ସ ନିରନ୍ତରତା ଓ ରୂପାୟନ ବ୍ୟବସ୍ଥାର ପ୍ରସ୍ତାବ ରଖୁଛି। ଏହା ଅଧୀନରେ ଟ୍ରୟକା (Troika) ମାଧ୍ୟମରେ ସମସ୍ତ ପଦକ୍ଷେପ (initiatives) ଏବଂ ଫଳାଫଳ (outcomes) ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ (follow up) ହୋଇପାରିବ।ଆମେ ଏକ ସୁରକ୍ଷିତ ଡିଜିଟାଲ୍ ରେପୋଜିଟରୀ ତିଆରି କରିପାରିବା। ଏଥିରେ ପ୍ରତ୍ୟେକ ନିଷ୍ପତ୍ତି ସହିତ ନୋଡାଲ୍ ପଏଣ୍ଟ, ସମୟସୀମା ଏବଂ କାର୍ଯ୍ୟକାରିତା ସ୍ଥିତି ଲିପିବଦ୍ଧ କରାଯାଇପାରିବ।ବନ୍ଧୁଗଣ,ବ୍ରିକ୍ସକୁ ମଜବୁତ୍ କରିବା ସହିତ ଆମକୁ ବିଶ୍ୱସ୍ତରୀୟ ସଂସ୍କାରର ଦିଗ ମଧ୍ୟ ସ୍ଥିର କରିବାକୁ ହେବ। ବୈଶ୍ୱିକ ଶାସନର ସାମ୍ପ୍ରତିକ ଢାଞ୍ଚା, ଏକ ପିରାମିଡ୍ ପରି ଦେଖାଯାଉଛି। ଏହାର ଉପରି ଭାଗରେ କ୍ଷମତା ଏବଂ ନିଷ୍ପତ୍ତି ନେବା ପ୍ରକ୍ରିୟା କେନ୍ଦ୍ରୀଭୂତ ଏବଂ ନିମ୍ନ ଭାଗରେ ସେହି ଦେଶଗୁଡ଼ିକ ଅଛନ୍ତି ଯେଉଁମାନେ ଏହି ନିଷ୍ପତ୍ତିଗୁଡ଼ିକ ଦ୍ୱାରା ପ୍ରଭାବିତ ତ ହୁଅନ୍ତି, କିନ୍ତୁ ସେଗୁଡ଼ିକୁ ରୂପରେଖ ଦେଇପାରନ୍ତି ନାହିଁ।ଗ୍ଲୋବାଲ ସାଉଥ ଆଜି ବିଶ୍ୱ ସଙ୍କଟର ସମ୍ମୁଖ ଭାଗରେ ଥିଲେ ବି ନିଷ୍ପତ୍ତି ନେବାର ପଛ ଧାଡ଼ିରେ ଅବସ୍ଥିତ। ଆମକୁ ଏହି “ବିଶେଷାଧିକାରର ପିରାମିଡ୍”କୁ “ସହଭାଗିତାର ମଞ୍ଚ”ରେ ପରିଣତ କରିବାକୁ ହେବ, ଯେଉଁଠାରେ ପ୍ରତ୍ୟେକ ଦେଶର ସ୍ୱର ଥିବ, ପ୍ରତ୍ୟେକ ସଦସ୍ୟଙ୍କର ଭାଗିଦାରୀ ଥିବ ଏବଂ ପ୍ରତ୍ୟେକ ପ୍ରଚେଷ୍ଟାର କେନ୍ଦ୍ରରେ ମାନବତାର ବିକାଶ ଅନ୍ତର୍ନିହିତ ଥିବ।ଏହି ଉଦ୍ଦେଶ୍ୟରେ ମୁଁ ପ୍ରସ୍ତାବ ରଖୁଛି ଯେ ଆମେ ମିଳିମିଶି ବୈଶ୍ୱିକ ଶାସନ ସଂସ୍କାରର ଦଶଟି ପ୍ରସ୍ତାବ ପ୍ରସ୍ତୁତ କରିବା, ଯାହାକୁ ଆମେ ଆଗାମୀ ଶିଖର ସମ୍ମିଳନୀ ସୁଦ୍ଧା ଏକ ବ୍ରିକ୍ସ ସଂସ୍କାର ମାର୍ଗଦର୍ଶିକା ଭାବେ ରୂପ ଦେବାକୁ ଚେଷ୍ଟା କରିପାରିବା।ଏହି ରୋଡ୍ମ୍ୟାପ୍ ତିଆରି କରିବାରେ ଆମକୁ ତିନୋଟି ମୁଖ୍ୟ ଦିଗ, ଯଥା- ପ୍ରତିନିଧିତ୍ୱ, ପ୍ରତିକ୍ରିୟାଶୀଳତା ଏବଂ ନିୟମ ପ୍ରଣୟନ ଉପରେ ଧ୍ୟାନ ଦେବାକୁ ହେବ।ପ୍ରଥମ, ପ୍ରତିନିଧିତ୍ୱ ସମ୍ବନ୍ଧରେ ମୁଁ କହିବାକୁ ଚାହେଁ ଯେ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାରକୁ ଆଉ ଆଗକୁ ଟାଳି ଦିଆଯାଇପାରିବ ନାହିଁ। ଏହି ବିଷୟରେ ପାଠ୍ୟ-ଆଧାରିତ ଆଲୋଚନାକୁ ନିର୍ଦ୍ଦିଷ୍ଟ ସମୟସୀମା ଏବଂ ସ୍ପଷ୍ଟ ପରିଣାମ ସହିତ ଯୋଡ଼ିବାକୁ ହେବ।ସେହିପରି, ଆର୍ଥିକ ଅନୁଷ୍ଠାନଗୁଡ଼ିକରେ ଭୋଟିଂ କ୍ଷମତା, ନେତୃତ୍ୱ ପଦବୀ ଏବଂ ନୀତିଗତ ପ୍ରାଥମିକତା ଆଜିର ଅର୍ଥନୈତିକ ବାସ୍ତବତା ଅନୁଯାୟୀ ହେବା ଉଚିତ୍। ଯେଉଁ ଦେଶଗୁଡ଼ିକ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିକୁ ବେଗ ଦିଅନ୍ତି, ସେମାନଙ୍କୁ ବୈଶ୍ୱିକ ଅର୍ଥନୀତିକ ଶାସନକୁ ଦିଗଦର୍ଶନ ଦେବାରେ ମଧ୍ୟ ଉଚିତ୍ ଭୂମିକା ମିଳିବା ଉଚିତ୍।ଦ୍ୱିତୀୟ, ପ୍ରତିକ୍ରିୟାଶୀଳତା। ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକ ପ୍ରତି ମାନବତାର ବିଶ୍ୱାସ ସେତେବେଳେ ସୃଷ୍ଟି ହେବ ଯେତେବେଳେ ସେଗୁଡ଼ିକ ସମସ୍ୟାର ପ୍ରଭାବଶାଳୀ ସମାଧାନ କରିବାରେ ସମର୍ଥ ହେବେ। ଆମକୁ ସାମୂହିକ ପ୍ରତିକ୍ରିୟାର ଦ୍ରୁତତା, ପରିସର ଏବଂ ଅନ୍ତିମ ପର୍ଯ୍ୟାୟ ପ୍ରଭାବ ଉପରେ ଧ୍ୟାନ ଦେବାକୁ ହେବ।ସାମୁଦ୍ରିକ ଯାତ୍ରୀ ବା ନାବିକମାନଙ୍କର ବିଶ୍ୱ ବାଣିଜ୍ୟରେ ବହୁତ ବଡ଼ ଯୋଗଦାନ ରହିଛି, କିନ୍ତୁ ପ୍ରାୟତଃ କଷ୍ଟସାଧ୍ୟ ସମୟରେ ସେମାନଙ୍କୁ ସହାୟତାର ଅଭାବ ଅନୁଭୂତ ହୁଏ। ମୋର ପ୍ରସ୍ତାବ ହେଉଛି ଯେ ଆମେ ଏକ ‘ନାବିକ ଜରୁରୀକାଳୀନ ସହାୟତା ନେଟ୍ୱୱର୍କ’ ଗଠନ କରିପାରିବା କି? ଏହା ମାଧ୍ୟମରେ ସମ୍ପୃକ୍ତ ଦେଶଗୁଡ଼ିକର ସାମୁଦ୍ରିକ କର୍ତ୍ତୃପକ୍ଷ ଏବଂ ମିଶନଗୁଡ଼ିକୁ ଯୋଡ଼ାଯିବ। ଫଳରେ ସେମାନଙ୍କୁ ସଙ୍କଟ କାଳୀନ ସୂଚନା, ଚିକିତ୍ସା ସହାୟତା, ପରିବାରକୁ ସୂଚନା ଏବଂ ଉଦ୍ଧାର କାର୍ଯ୍ୟରେ ସହଯୋଗ କରାଯାଇପାରିବ।ଏବଂ ତୃତୀୟ କଥା ମୁଁ ନିୟମ ପ୍ରଣୟନ ସମ୍ବନ୍ଧରେ କହିବାକୁ ଚାହୁଁଛି। ଭବିଷ୍ୟତର ବୈଶ୍ୱିକ ନିୟମ ସ୍ଥିର କରିବାରେ ସମାନ ଭାଗିଦାରୀ ସୁନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଏଆଇ, ସାଇବର ସ୍ପେସ୍, ଆଉଟର ସ୍ପେସ, ବାୟୋଟେକ୍ନୋଲୋଜି ଏବଂ କ୍ରିଟିକାଲ ଟେକ୍ନୋଲୋଜି ପ୍ରଭୃତି ଭବିଷ୍ୟତର ସୁଯୋଗ ସୃଷ୍ଟି ସହିତ ଭବିଷ୍ୟତ ପାଇଁ ନିୟମ ମଧ୍ୟ ସ୍ଥିର କରୁଛନ୍ତି।ଆମେ ଗ୍ଲୋବାଲ ସାଉଥ୍କୁ ନିୟମ ଗ୍ରହୀତାରୁ ନିୟମ ନିର୍ମାତାରେ ପରିଣତ କରିବା ପାଇଁ ପ୍ରଚେଷ୍ଟା କରିବାକୁ ହେବ। ବ୍ରିକ୍ସ ମାଧ୍ୟମରେ ଆମେ ଗ୍ଲୋବାଲ ସାଉଥ୍ ଦେଶଗୁଡ଼ିକର ଯୁବ କୂଟନୀତିଜ୍ଞ ଏବଂ ନୀତି ନିର୍ଦ୍ଧାରକମାନଙ୍କୁ ବୁଝାମଣା ଦକ୍ଷତା, ବ୍ୟବହାରିକ ତାଲିମ ଏବଂ ଆଇନ ବିଶାରଦ ଜ୍ଞାନ ପ୍ରଦାନ କରିପାରିବା।ସୁଖଦ ସଂଯୋଗବଶତଃ ଆଜି ଜାତିସଂଘ ଦକ୍ଷିଣ -ଦକ୍ଷିଣ ସହଯୋଗ ଦିବସ ବା United Nations Day for South-South Cooperation ପାଳନ କରାଯାଉଛି। ଗ୍ଲୋବାଲ ସାଉଥକୁ ସମର୍ପିତ ଏହି ଦିନରେ ଏପରି ନିଷ୍ପତ୍ତି ନିଆଯିବା ବିଶେଷ ମହତ୍ତ୍ୱ ରଖେ। ଭାରତ ଏହି ବିଷୟରେ ଆଗେଇ ଆସି ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛି।ବନ୍ଧୁଗଣ,ଭାରତରେ ଆୟୋଜିତ ଏହି ବ୍ରିକ୍ସ ସମ୍ମିଳନୀର ବାର୍ତ୍ତା ସ୍ପଷ୍ଟ ହେବା ଉଚିତ୍: ଯଦି ଆମର ଭବିଷ୍ୟତ ମିଳିତ ସହଯୋଗ ଉପରେ ଆଧାରିତ, ତେବେ ତାହାର ନିର୍ମାଣର ଅଧିକାର ମଧ୍ୟ ମିଳିତ ହେବା ଉଚିତ୍।‘ସ୍ୱରରୁ ପ୍ରଭାବ’। ‘ବିଶେଷାଧିକାରରୁ ସହଭାଗିତା’।ଏହା ହିଁ ୨୦ ବର୍ଷରେ ବ୍ରିକ୍ସର ସଂକଳ୍ପ ହେଉ।ବହୁତ-ବହୁତ ଧନ୍ୟବାଦ।
