ଜୀବିତ ବଡ଼ ଭାଇକୁ ମୃତ ଦର୍ଶାଇ ସମ୍ପତ୍ତି ହଡ଼ପ

ଜୀବିତ ବଡ଼ ଭାଇକୁ ମୃତ ଦର୍ଶାଇ ସମ୍ପତ୍ତି ହଡ଼ପ ଜୀବିତ ଥାଉ ଥାଉ ବଡ଼ ଭାଇକୁ କାଗଜପତ୍ରରେ ମୃତ ଘୋଷଣା କରି ସମସ୍ତ ଜାଗାବାଡ଼ି ଓ ସମ୍ପତ୍ତି ନିଜ ନାମରେ ହଡ଼ପ କରିନେଇଛି ସାନ ଭାଇ। ଏତିକିରେ ମନ ବୁଝିନି, ଜାଲିଆତି ସମ୍ପର୍କରେ ପଚାରିବାରୁ ବଡ଼ ଭାଇକୁ ଜୀବନରୁ ମାରିଦେବାକୁ ଧମକ ବି ଦେଇଛି। ଏପରି ଏକ ଆଶ୍ଚର୍ଯ୍ୟଜନକ ତଥା ସଂବେଦନଶୀଳ ଘଟଣା ପୁରୀ ଟାଉନ ଥାନା ଅନ୍ତର୍ଗତ କାଳିକାଦେବୀ ସାହି ଅଞ୍ଚଳରେ ଦେଖିବାକୁ ମିଳିଛି।ଅଭିଯୋଗ ଅନୁଯାୟୀ, କାଳିକାଦେବୀ ସାହିର ସୁରେଶ କୁମାର ଦଳେଇଙ୍କୁ ତାଙ୍କ ସମ୍ପର୍କୀୟ ସାନ ଭାଇ (ବଡ଼ବାପା ପୁଅ) ଗୋପାଳ ସାମାନ୍ତରା କାଗଜପତ୍ରରେ ମୃତ ଦର୍ଶାଇ ସମସ୍ତ ପୈତୃକ ଜାଗାବାଡ଼ିକୁ ଚଞ୍ଚକତା କରି ନିଜ ନାମରେ ଅକ୍ତିଆର କରିନେଇଛନ୍ତି। ଏ ସମ୍ପର୍କରେ ବଡ଼ ଭାଇ ସୁରେଶ ଜାଣିବା ପରେ ଯେତେବେଳେ ପ୍ରତିବାଦ କରି ଗୋପାଳଙ୍କୁ ପଚାରିଥିଲେ, ସେତେବେଳେ ଗୋପାଳ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଖୋଲାଖୋଲି ଧମକ ଦେଇଥିଲେ।ଏହି ସମ୍ପତ୍ତି ହଡ଼ପ ଓ ଜୀବନରୁ ମାରିଦେବା ଧମକ ସମ୍ପର୍କରେ ପୀଡ଼ିତ ସୁରେଶ କୁମାର ଦଳେଇ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଅଭିଯୋଗକୁ ୨୦ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ କିମ୍ବା ଅଭିଯୁକ୍ତ ଗୋପାଳ ସାମାନ୍ତରାକୁ ଗିରଫ କରିନାହିଁ। ପୋଲିସର ନିଷ୍କ୍ରିୟତା ଯୋଗୁଁ ନିରୁପାୟ ହୋଇ ଶେଷରେ ନ୍ୟାୟ ପାଇବା ଆଶାରେ ସୁରେଶ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (SP)ଙ୍କୁ ସାକ୍ଷାତ କରି ନିଜର ଦୁଃଖ ଜଣାଇଛନ୍ତି। ଅଭିଯୁକ୍ତ ସାନ ଭାଇ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ଏସପିଙ୍କ ନିକଟରେ ଗୁହାରି କରିଛନ୍ତି।

Leave a Reply

Your email address will not be published. Required fields are marked *