ରଥଯାତ୍ରା-୨୦୨୬ ପୂର୍ବରୁ ପୁରୀ ପୋଲିସ ପକ୍ଷରୁ ଆଚରଣଗତ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ
ରଥଯାତ୍ରା-୨୦୨୬ ପୂର୍ବରୁ ପୁରୀ ପୋଲିସ ପକ୍ଷରୁ ଆଚରଣଗତ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ*ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୬କୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ପୋଲିସ ଲାଇନ କନଫରେନ୍ସ ହଲ୍, ପୁରୀଠାରେ ଏକ ସ୍ୱତନ୍ତ୍ର ଆଚରଣଗତ ପ୍ରଶିକ୍ଷଣ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି କର୍ମଶାଳାର ମୂଳ ଉଦ୍ଦେଶ୍ୟ ଥିଲା ରଥଯାତ୍ରା ଡ୍ୟୁଟିରେ ନିୟୋଜିତ ପୋଲିସ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଜନସାଧାରଣ ଓ ଶ୍ରଦ୍ଧାଳୁମାନଙ୍କ ସହ ଅଧିକ ସୌହାର୍ଦ୍ଦ୍ୟପୂର୍ଣ୍ଣ, ସମ୍ବେଦନଶୀଳ ଏବଂ ସେବାଭାବପୂର୍ଣ୍ଣ ବ୍ୟବହାର କରିବା ସହିତ ବୃହତ୍ ଜନସମାଗମର ସୁଚାରୁ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷିତ କରିବା। ଏହି କର୍ମଶାଳା ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ ଶ୍ରୀ ତପସ ରଞ୍ଜନ ଦାସ, ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ ତଥା ପୂର୍ବତନ ଏସ୍.ପି. ଶ୍ରୀ ଜ୍ଞାନରଞ୍ଜନ ମହାପାତ୍ର, ଏସ୍.ଏସ୍.ଏମ୍.ଏସ୍.ବି.ର ଡେପୁଟି କମାଣ୍ଡାଣ୍ଟ ଶ୍ରୀ କୌଶିକ ନାୟକ, ଦୀପକ ଗଡ଼ନାୟକ, ମିସ ଅନାଖା କେ ବିଜୟାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ, ଏସ୍.ଏସ୍.ଏମ୍.ଏସ୍.ବି. ଅଧିକାରୀ ଏବଂ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ସହ ଜଡିତ ଅଧିକାରୀମାନେ ଉପସ୍ଥିତ ଥିଲେ। କର୍ମଶାଳାରେ ହାଇଟେକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ, ଭୁବନେଶ୍ୱରର ବିଶିଷ୍ଟ ବିଶେଷଜ୍ଞ ଡ଼ଃ ଅମ୍ରିତ ପଟ୍ଟଯୋଶୀ ଏବଂ ଡ଼ଃ ଜ୍ୟୋତି ପ୍ରକାଶ ଆଚାର୍ଯ୍ୟ ରିସୋର୍ସ ପର୍ସନ୍ ଭାବେ ଯୋଗଦେଇଥିଲେ। ସେମାନେ ଜନଗହଳିର ମନସ୍ତତ୍ତ୍ୱ, ଚାପପୂର୍ଣ୍ଣ ପରିସ୍ଥିତିରେ ପୋଲିସର ଭୂମିକା, ଜନସାଧାରଣଙ୍କ ସହ ପ୍ରଭାବଶାଳୀ ଯୋଗାଯୋଗ, ସକାରାତ୍ମକ ବ୍ୟବହାର ଓ ମାନସିକ ସନ୍ତୁଳନ ବଜାୟ ରଖିବା ଭଳି ବିଷୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବିଶେଷକରି ରଥଯାତ୍ରା ଭଳି ବୃହତ୍ ଧାର୍ମିକ ସମାବେଶରେ କିପରି ଧୈର୍ଯ୍ୟ, ସହନଶୀଳତା ଏବଂ ଭଲ ଆଚରଣ ମାଧ୍ୟମରେ ଜନଗହଳିକୁ ସଫଳତାର ସହ ପରିଚାଳନା କରାଯାଇପାରିବ ସେ ସମ୍ପର୍କରେ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ। ସଭାକୁ ସମ୍ବୋଧିତ କରି ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ କହିଥିଲେ ଯେ ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସିଥାନ୍ତି ଏବଂ ସେମାନଙ୍କ ସହ ପୋଲିସର ଆଚରଣ ହିଁ ପୁରୀ ପୋଲିସର ପ୍ରକୃତ ପରିଚୟ ବହନ କରିଥାଏ।

ତେଣୁ ପ୍ରତ୍ୟେକ ପୋଲିସ କର୍ମଚାରୀଙ୍କୁ ଜନବନ୍ଧୁ ପୋଲିସିଂର ମନୋଭାବ ନେଇ କାର୍ଯ୍ୟ କରିବାକୁ ହେବ। ଶ୍ରଦ୍ଧାଳୁମାନଙ୍କ ସମସ୍ୟାକୁ ବୁଝିବା, ସେମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା ଏବଂ ସମ୍ମାନଜନକ ବ୍ୟବହାର ମାଧ୍ୟମରେ ପୁରୀ ପୋଲିସର ସକାରାତ୍ମକ ଭାବମୂର୍ତ୍ତିକୁ ଆହୁରି ସୁଦୃଢ଼ କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।କର୍ମଶାଳାରେ ଜନଗହଳି ନିୟନ୍ତ୍ରଣ, ଜରୁରୀକାଳୀନ ପରିସ୍ଥିତିର ମୁକାବିଲା, ଭିଡ଼ ମଧ୍ୟରେ ହଜିଯାଇଥିବା ବ୍ୟକ୍ତିଙ୍କୁ ସହାୟତା, ବୃଦ୍ଧ, ମହିଳା ଓ ଦିବ୍ୟାଙ୍ଗ ଭକ୍ତଙ୍କ ପ୍ରତି ସମ୍ବେଦନଶୀଳ ବ୍ୟବହାର ଏବଂ ଦର୍ଶନ ବ୍ୟବସ୍ଥାକୁ ସୁଚାରୁ ରଖିବା ସମ୍ପର୍କରେ ବିଭିନ୍ନ ବ୍ୟବହାରିକ ପରାମର୍ଶ ପ୍ରଦାନ କରାଯାଇଥିଲା।ଅବସରପ୍ରାପ୍ତ ପୋଲିସ ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ମହାପାତ୍ର ନିଜ ଦୀର୍ଘ ପ୍ରଶାସନିକ ଅନୁଭୂତି ଆଧାରରେ ରଥଯାତ୍ରା ଭଳି ବିଶାଳ ଧାର୍ମିକ ଉତ୍ସବରେ ଜନସାଧାରଣଙ୍କ ସହ ଉତ୍ତମ ବ୍ୟବହାରର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଭଲ ଆଚରଣ ଓ ମାନବିକ ଦୃଷ୍ଟିଭଙ୍ଗୀ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ଓ ସମ୍ପର୍କକୁ ଆହୁରି ଦୃଢ଼ କରିଥାଏ। ଏହି କର୍ମଶାଳାରେ ପୁରୀ ପୋଲିସ, ଏସ୍.ଏସ୍.ଏମ୍.ଏସ୍.ବି. ର ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀ ରଥଯାତ୍ରା ସମୟରେ ଉତ୍ତମ ଆଚରଣ, ଦକ୍ଷ ଜନଗହଳି ପରିଚାଳନା ଏବଂ ଭକ୍ତମାନଙ୍କୁ ଉନ୍ନତ ସେବା ପ୍ରଦାନ ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ପୁରୀ ପୋଲିସ ଆସନ୍ତା ରଥଯାତ୍ରା ୨୦୨୬କୁ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ, ସୁଶୃଙ୍ଖଳ ଏବଂ ଭକ୍ତମାନଙ୍କ ପାଇଁ ସ୍ମରଣୀୟ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରହିଛି।
