ରତ୍ନ ସିଂହାସନ
ରତ୍ନ ସିଂହାସନ
( ରାଗ — କଳହଂସ କେଦାର )
🖊️ କବିରତ୍ନ ନୂତନ କୁମାର ବେହେରା
ବିଶ୍ଵ ବ୍ରହ୍ମାଣ୍ଡର ସର୍ବୋଚ୍ଚ ଆସନ
ନାମଟି ତାହାର ରତ୍ନସିଂହାସନ ଯେ,
ଶତଦଳ କମଳ ଉର୍ଦ୍ଧେ ଆସ୍ଥାନ
ଦେବାଦେବୀ ତହିଁ କରନ୍ତି ଜଣାଣ ଯେ।
ପ୍ରଭୁ ସର୍ବବିଧ ଅଳଙ୍କାରେ ସଜ
ନବ ମେଘ ବର୍ଣ୍ଣେ ସର୍ବଦା ବିରାଜ ଯେ,
ଶ୍ରୀବଳଭଦ୍ର ସାଥେ ଭଗ୍ନୀ ସୁଭଦ୍ରା
ବାମେ ସୁଦର୍ଶନ ବିଦ୍ୟମାନ ସଦା ଯେ।
ଶ୍ରୀମନ୍ଦିରେ ରତ୍ନବେଦୀର ଐଶ୍ଵର୍ଯ୍ୟ,
ପୂର୍ବ ଦିଗେ ହୀରା ପଶ୍ଚିମେ ବୈଦୁର୍ଯ୍ୟ ଯେ,
ଦକ୍ଷିଣରେ ମୁକ୍ତା ଉତ୍ତରେ ବିଦ୍ରୁମ
ଶୋଭାକାନ୍ତିର ଝଟକ ଅନୁପମ ଯେ।
ମହାପ୍ରଭୁ ପାଶେ ଅଷ୍ଟ ମଣି ଭରି
ଉଭା ଚାରି କୋଣେ ଜାଗ୍ରତ ପ୍ରହରୀ ଯେ,
ଅଗ୍ନିକୋଣରେ ସ୍ଫଟିକ ଝକଝକ
ବାୟୁକୋଣେ ଚନ୍ଦ୍ରକାନ୍ତ ଚକ ଚକ ଯେ।
ଇଶାନରେ ଇନ୍ଦ୍ରନୀଳ ଶୋଭେ ଆଗ
ନୈରୁତ କୋଣରେ ସ୍ଥିତ ପୁଷ୍ପରାଗ ଯେ,
ମଧ୍ୟଭାଗରେ ବ୍ରହ୍ମହୀରା ଖଚିତ
ରତ୍ନସିଂହାସନ ଏମନ୍ତେ ନିର୍ମିତ ଯେ।
ଦକ୍ଷିଣାବର୍ତ୍ତ ଶଙ୍ଖର ନାଭି ଦେଶେ
ରତ୍ନସିଂହାସନ ବିଦ୍ୟମାନ ଦିଶେ ଯେ,
ବିଶ୍ଵ ବ୍ରହ୍ମାଣ୍ଡର ପବିତ୍ର ଆସ୍ଥାନ
ଭକ୍ତର ମନୋବାଞ୍ଛା କରନ୍ତି ପୂର୍ଣ୍ଣ ଯେ।
କୌଣସି ରତ୍ନରେ ନୁହଁଇ ସଜ୍ଜିତ
ମୁଗୁନି ପଥରରେ ଏହା ନିର୍ମିତ ଯେ,
ସ୍ଵୟଂ ମହାପ୍ରଭୁ ଏଥେ ବିରାଜିତ
ହେବାରୁ ରତ୍ନସିଂହାସନ ନାମିତ ଯେ।
ଜଗନ୍ନାଥ ବଳଭଦ୍ର ମା’ ସୁଭଦ୍ରା
ଶ୍ରୀଦେବୀ ଭୂଦେବୀ ମାଧବ ସର୍ବଦା ଯେ,
ଶ୍ରୀସୁଦର୍ଶନ ସାଥେ ବିରାଜମାନ
ତେଣୁ ତାର ନାମ ରତ୍ନ ସିଂହାସନ ଯେ।
ପ୍ରଭୁ ସଦା ଥାଇ ହୃଦ ସିଂହାସନେ
ଉଦ୍ଧାର କରନ୍ତି ସେ ଭକତ ଜନେ ଯେ,
ମନ ପ୍ରାଣ ଥିଲେ ତାଙ୍କରି ଜଣାଣେ
କୃପା କରି ରଖନ୍ତି ତାଙ୍କ ଶରଣେ ଯେ।
ଜୟ ଜୟ ଦୀନନାଥ କୃପାସିନ୍ଧୁ
ଆରତ ତାରଣେ ତୁମେ ଆର୍ତ୍ତବନ୍ଧୁ ଯେ,
ତୁମ ନାମ କଣ୍ଠେ ମୋର ରହି ଥାଉ
ଦୟାରେ ତୁମର ଦିନ ବିତି ଯାଉ ଯେ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ’ ଇ-ପତ୍ରିକା
କୋହି, ବାରିପଦା, ମୟୂରଭଞ୍ଜ ।
