ପୁରୀ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ବୈଠକ

ପୁରୀ ପୋଲିସ କାର୍ଯ୍ୟାଳୟରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନେତୃତ୍ୱରେ ଜିଲ୍ଲାସ୍ତରୀୟ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାର ସମସ୍ତ ସବ୍‌ଡିଭିଜନର ଡିଏସ୍‌ପିମାନେ, ବିଭିନ୍ନ ଥାନାର ଥାନା ଅଧିକାରୀମାନେ, ଫାଣ୍ଡି ଅଧିକାରୀମାନେ ଓ ହେଡକ୍ୱାର୍ଟରର ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଏସ୍ପି ଶ୍ରୀ ସୁଶୀଲ କୁମାର ମିଶ୍ର, ଶ୍ରୀ ଦେବୀ ପ୍ରତାପ, ଶ୍ରୀ ସଚିନ ପଟେଲ, ଶ୍ରୀ ସୌମ୍ୟରଞ୍ଜନ ମଲ୍ଲିକ ଓ ମିସ ଅନଖା କେ ବିଜୟ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।ବୈଠକର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା, ବିଭିନ୍ନ ଅପରାଧିକ ମାମଲାର ତ୍ୱରିତ ତଦନ୍ତ ଓ ସମାଧାନ, ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ପୋଲିସର କାର୍ଯ୍ୟକଳାପକୁ ଆହୁରି ଦୃଶ୍ୟମାନ ଓ ବିଶ୍ୱାସଯୋଗ୍ୟ କରିବା। ଏସ୍ପି ପୁରୀ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ କେସ୍‌ଗୁଡିକର ନିୟମିତ ଓ ପ୍ରଭାବଶାଳୀ ମନିଟରିଂ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ଯେଉଁ କେସ୍‌ଗୁଡିକ ଦୀର୍ଘଦିନ ଧରି ଅଛି, ସେଗୁଡିକର ଶୀଘ୍ର ସମାଧାନ ପାଇଁ ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଥିଲା। ତଦନ୍ତରେ ପ୍ରଯୁକ୍ତିର ବ୍ୟବହାର, ସାଇବର ସମ୍ବନ୍ଧୀୟ ଅପରାଧ ଉପରେ ସଚେତନତା ଓ ମହିଳା ଏବଂ ବୃଦ୍ଧଙ୍କ ସୁରକ୍ଷା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।ବୈଠକରେ ଗ୍ରାମାଞ୍ଚଳରେ ଦୀର୍ଘଦିନ ଧରି ଚାଲୁଥିବା କ୍ରୋନିକ୍ ଡିସ୍ପ୍ୟୁଟ୍‌ଗୁଡିକ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ଜମିଜମା, ପାରିବାରିକ ବିବାଦ, ଗାଁ ସ୍ତରର ଦ୍ଵନ୍ଦ ଓ ଅନ୍ୟାନ୍ୟ ସାମାଜିକ ଦ୍ଵନ୍ଦ କିପରି ଶାନ୍ତିପୂର୍ଣ୍ଣ ଓ ଆଇନସମ୍ମତ ଭାବରେ ସମାଧାନ କରାଯାଇପାରିବ, ସେଥିପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ସ୍ଥାନୀୟ ସ୍ତରରେ ନିୟମିତ ଶାନ୍ତି କମିଟି ବୈଠକ କରିବାକୁ ପରାମର୍ଶ ଦିଆଯାଇଥିଲା।ଏହା ସହିତ ଆଗାମୀ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ଭକ୍ତମାନଙ୍କ ସୁବିଧାକୁ ନଜରରେ ରଖି ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ରଥଯାତ୍ରା ସମୟରେ ପୁରୀ ଜିଲ୍ଲାକୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେଉଥିବାରୁ ସମସ୍ତ ପୋଲିସ ଅଧିକାରୀଙ୍କୁ ଉଚ୍ଚ ସତର୍କତାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ସମୁଦ୍ର ବେଳାଭୂମି, ଶ୍ରୀମନ୍ଦିର ପରିସର, ବଡ଼ଦାଣ୍ଡ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ଅତିରିକ୍ତ ପେଟ୍ରୋଲିଂ, ନଜରଦାରୀ, କ୍ୱିକ୍ ରିସ୍ପନ୍ସ ଟିମ୍ ଓ ସହାୟତା କେନ୍ଦ୍ର ମାଧ୍ୟମରେ ସୁରକ୍ଷାକୁ ଆହୁରି ସୁଦୃଢ କରିବା ପାଇଁ ଯୋଜନା ନେଇ ଆଲୋଚନା କରାଯାଇଥିଲା। ଏସ୍ପି ପୁରୀ ଏହି ବୈଠକରେ ସମସ୍ତ ଅଧିକାରୀଙ୍କୁ ସାଧାରଣ ଲୋକଙ୍କ ସହିତ ଭଲ ସମ୍ପର୍କ ରଖିବା, ସମସ୍ୟାଗୁଡିକୁ ସମ୍ବେଦନଶୀଳତାର ସହିତ ଶୁଣିବା ଓ ଲୋକମାନଙ୍କ ମଧ୍ୟରେ ପୋଲିସ ପ୍ରତି ବିଶ୍ୱାସ ବୃଦ୍ଧି କରିବାକୁ ଆହ୍ୱାନ ଜଣାଇଥିଲେ।ଶେଷରେ ସମସ୍ତ ଅଧିକାରୀ ଆଗାମୀ ଦିନଗୁଡିକରେ ଜିଲ୍ଲାରେ ଶାନ୍ତି, ସୁରକ୍ଷା ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସମନ୍ୱୟ ରଖି କାମ କରିବାକୁ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *