ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା ବିକଶିତ ଓଡିଶା ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଭୁବନେଶ୍ୱର- ତା.୨୩.୧୦.୨୦୨୬- ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କରିଛନ୍ତି। ଭୁବନେଶ୍ୱରସ୍ଥିତ ସର୍କିଟ ହାଉସ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ମିଶ୍ର ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ପୂର୍ତ୍ତ, ପଞ୍ଚାୟତିରାଜ,ସାମାଜିକ ସୁରକ୍ଷା, କୃଷି, ମତ୍ସ, ପ୍ରାଣୀ ଓ ସମ୍ପଦ,ଗ୍ରାମ ଉନ୍ନୟନ, ଜଳସେଚନ ଆଦି ଉପରେ ଆଲୋଚନା କରିଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ଜିଲ୍ଲାରେ ଜାରି ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପରିବର୍ତ୍ତିତ ଅର୍ଥନୀତି ଓ ସାମାଜିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ଯୋଜନା ଓ ଭିତ୍ତିଭୂମି ବିକାଶର ରୂପରେଖ ପ୍ରସ୍ତୁତ କରିବା ଉପରେ ଶ୍ରୀ ମିଶ୍ର ଆଲୋଚନା କରିଥିଲେ ।

ଜିଲ୍ଲାକୁ ଆବାଣ୍ଟିତ ଅର୍ଥ ଅନୁଦାନକୁ ସଠିକ ସମୟରେ ସୁବିନିଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ । ଅଧିକାରୀ ମାନେ ଏ ଦିଗରେ ଧ୍ୟାନ ଦେବାକୁ ସେ କହିଥିଲେ । ଏଥିସହ ବିକଶିତ ଓଡିଶା@୨୦୩୬ ଲକ୍ଷ୍ୟ ହାସଲ ନିମନ୍ତେ କାର୍ଯ୍ୟ କରିବାକୁ କହିଥିଲେ। ଖୋର୍ଦ୍ଧା ରାଜ୍ୟର ଏକ ପ୍ରମୁଖ ଜିଲ୍ଲା ହୋଇଥିବାରୁ ଏହାର ବିକାଶ ବିଶେଷ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବାର ଆବଶ୍ୟକତା ରହିଛି । ପର୍ଯ୍ୟଟନ,ଜଳ ବିଭାଜିକା ଓ ଉଦ୍ୟାନ କୃଷି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ଥିବାରୁ ଏଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବାକୁ ପଡିବ ବୋଲି ଶ୍ରୀ ମିଶ୍ର ଉଲ୍ଲେଖ କରିଥିଲେ । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଖୋରଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା,ଖୋରଧା ଉପଜିଲ୍ଲାପାଳ ଶ୍ରୀ ସ୍ୱସ୍ତିକ ସଂକଳ୍ପ ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
