ରାଜ୍ୟର ୨୨୩ଟି କଲେଜର ଅଧ୍ୟକ୍ଷଙ୍କ ଦରମା ବନ୍ଦ କଲା ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ୱର : ରାଜ୍ୟର ୨୨୩ଟି କଲେଜର ଅଧ୍ୟକ୍ଷଙ୍କ ଦରମା ବନ୍ଦ ରଖିଛି ଉଚ୍ଚଶିକ୍ଷା ବିଭାଗ। କର୍ତ୍ତବ୍ୟରେ ଅବହେଳା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଧ୍ୟକ୍ଷଙ୍କ ସହ ମୁଖ୍ୟ କିରାଣି/କିରାଣିଙ୍କ ଦରମା ବନ୍ଦ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ଚିଠିର ଉତ୍ତର ଦେଉ ନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଚର୍ଚ୍ଚା ହେଉଛି। ବିଭିନ୍ନ ସମୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ମାନଙ୍କୁ ନାନା ପ୍ରକାର କାର୍ଯ୍ୟନିତି ତଥା ଆବଶ୍ୟକୀୟ ତଥ୍ୟ ନିମିତ୍ତ ଚିଠି ଆସିଥାଏ, ଯାହାର ପ୍ରତ୍ୟୁତ୍ତର ଉଚ୍ଚଶିକ୍ଷା ବିଭାଗ ନିମନ୍ତେ ଜରୁରୀ ହୋଇଥାଏ। କିନ୍ତୁ ରାଜ୍ୟରେ ଅନେକ କଲେଜର ଅଧ୍ୟକ୍ଷ ତଥା ମୁଖ୍ୟ କିରାଣି/କିରାଣି ଓ ଅନ୍ୟାନ୍ୟ ସହଯୋଗୀ ମାନଙ୍କ ଖାମଖିଆଲୀ ମନୋଭାବ ଯୋଗୁ ଉଚ୍ଚଶିକ୍ଷା ବିଭାଗ ଉପଯୁକ୍ତ ସମୟରେ ଚିଠିଗୁଡିକର ଉତ୍ତର ପାଇପାରୁ ନାହାନ୍ତି, ଫଳରେ ଶିକ୍ଷା ତଥା ଶିକ୍ଷାନୁଷ୍ଠାନ ମାନଙ୍କର ବିକାଶରେ ବ୍ୟାଘାତ ସୃଷ୍ଟି ହେଉଅଛି। ଗତ ଦଶନ୍ଧି ମଧ୍ୟରେ ଓଡିଶାରେ ଶିକ୍ଷା କ୍ଷେତ୍ରରେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ସହିତ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ହୋଇଅଛି।
