ସୂଚନା କେନ୍ଦ୍ର ପ୍ରୋତ୍ସାହିତ କରୁଛି ଆମ ସଂସ୍କୃତି
ପୁରୀ ୨୧/୭ ରଥଯାତ୍ରା ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରତିଷ୍ଠା ହୋଇଛି ୧୫ ଟି ଅସ୍ଥାୟୀ ସୂଚନା କେନ୍ଦ୍ର।ଏହା ହଜିବା ଖୋଜିବା ଲୋକ ମାନଙ୍କୁ ଏକାଠି କରିବାରେ ସହାୟକ ହେଉଥିବା ବେଳେ ପ୍ରତ୍ୟେକ ସୂଚନା କେନ୍ଦ୍ର ରେ ପାରମ୍ପରିକ ଲୋକ କଳା,ଭଜନ ଓ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରାଯାଉଛି।ପୁରୀ ର ଲୋକ କଳା ଯଥା ପାଲା,ଦାସକାଠିଆ, ଘୁଡୁକି, ଘୋଡ଼ା ନାଚ,ସଂକୀର୍ତ୍ତନ ଇତ୍ୟାଦି ସହ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ଭଜନ, ନୃତ୍ୟ ପରିବେଷଣ କରାଯାଉଛି।ସେହିପରି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ୧୭ ତାରିଖରେ ପ୍ରଶାନ୍ତ ପାଢ଼ୀ ଓ ସାଥୀ ଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା।ସେହିପରି ୧୮ ତାରିଖରେ ଭୁବନେଶ୍ୱର ର ରବୀନ୍ଦ୍ର ସଂଗୀତ ଅନୁଷ୍ଠାନ,୧୯ ତାରିଖରେ ଭୁବନେଶ୍ୱର ର ତରଙ୍ଗ ଅନୁଷ୍ଠାନ ଭଜନ ପରିବେଷଣ କରିଥିଲେ।ଆଜି ୨୦ ତାରିଖ ସୋମବାର ସଂଧ୍ୟାରେ ଭୁବନେଶ୍ୱର ର ନାଦବ୍ରହ୍ମ ଅନୁଷ୍ଠାନ ଶରଧାବାଲି ମଞ୍ଚରେ ଭଜନ ପରିବେଷଣ କରିଥିଲେ।ଆସନ୍ତା କାଲି ୨୧ ତାରିଖରେ ଭୁବନେଶ୍ୱର ର ଶ୍ବେତପଦ୍ମା ସଂଗୀତାଳୟ ଚାରିଟେବୁଲ ଟ୍ରଷ୍ଟ,୨୨ ତାରିଖରେ ପୁରୀ ଅଠରନଳାର କାର୍ତ୍ତିକ ଚନ୍ଦ୍ର ସାହୁ ଓ ସାଥୀ,୨୩ ତାରିଖରେ ଗଜପତି ର ଭକ୍ତି ନୈବେଦ୍ୟ ଅନୁଷ୍ଠାନ ଭଜନ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ପୁରୀ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସୂଚନା ଦେଇଛନ୍ତି।କଳାକାର ମାନେ ସେମାନଙ୍କ ପ୍ରଦର୍ଶନ ମାଧ୍ୟମରେ ଶ୍ରଦ୍ଧାଳୁ ମାନଙ୍କୁ ଆନନ୍ଦ ପ୍ରଦାନ କରିବା ସହ ଆମ ମହାନ ସଂସ୍କୃତି ର ପ୍ରଚାର ପ୍ରସାର ରେ ସହାୟକ ହେଉଛନ୍ତି।
