ଶ୍ରାବଣର ପ୍ରଥମ ସୋମବାରରେ ଆରଡିଧାମରେ ଭକ୍ତଙ୍କ ସୁଅ

ଶ୍ରାବଣର ପ୍ରଥମ ସୋମବାରରେ ଆରଡିଧାମରେ ଭକ୍ତଙ୍କ ସୁଅ, ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ହଜାର ହଜାର କାଉଡ଼ିଆଆରଡି, ଭଦ୍ରକ: ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଆରଡିଧାମସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରାବଣୀ ଯାତ୍ରାର ଶୁଭାରମ୍ଭ ହୋଇଛି। ରବିବାର ମଧ୍ୟରାତ୍ରରୁ ହିଁ କାଉଡ଼ିଆ ଭକ୍ତମାନେ ଲମ୍ବା ଧାଡ଼ିରେ ଠିଆ ହୋଇ ବାବାଙ୍କ ଉପରେ ପବିତ୍ର ଜଳ ଅର୍ପଣ କରିବା ଆରମ୍ଭ କରିଥିଲେ। ସୋମବାର ସକାଳ ହେବା ସହିତ ସମଗ୍ର ପୀଠ ହର ହର ମହାଦେବ ଓ ବୋଲ ବମ୍ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା। ଚଳିତ ବର୍ଷ ପ୍ରଥମ ସୋମବାରରେ ୧୫ ହଜାରରୁ ଅଧିକ କାଉଡ଼ିଆ ଭକ୍ତ ବାବାଙ୍କୁ ଜଳାଭିଷେକ କରିବା ପାଇଁ ପୀଠରେ ସମବେତ ହୋଇଥିବା ଜଣାପଡ଼ିଛି।ପୀଠରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଶ୍ରାବଣର ପ୍ରଥମ ସୋମବାରର ଜଳାଭିଷେକର ବିଶେଷ ମହତ୍ତ୍ୱ ରହିଛି। ଏହି ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟରୁ ମଧ୍ୟ ଶିବଭକ୍ତମାନେ ଆରଡିଧାମରେ ପହଞ୍ଚିଥିଲେ। ଭକ୍ତମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଏବଂ ସୁଚିନ୍ତିତ ବ୍ୟବସ୍ଥା କରାଯାଇଥିଲା। ଜଳଲାଗିକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ମନ୍ଦିର ଭିତରେ ଓ ବାହାରେ ସ୍ୱତନ୍ତ୍ର ବ୍ୟାରିକେଡ଼, ଅଲଗା ଧାଡ଼ି ବ୍ୟବସ୍ଥା ଏବଂ ପ୍ରଚୁର ଆଲୋକୀକରଣ କରାଯାଇଥିଲା।ଭକ୍ତଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସ୍ଥଳପଥ ଓ ଜଳପଥରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ଗଠନ କରାଯାଇଥିଲା। ପୀଠର ବିଭିନ୍ନ ପ୍ରବେଶ ପଥ, ମନ୍ଦିର ପରିସର, ନଦୀଘାଟ ଏବଂ ଭକ୍ତଙ୍କ ଚଳାଚଳ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଜିଲ୍ଲା ଗୁଇନ୍ଦା ବିଭାଗର ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ସମଗ୍ର ବ୍ୟବସ୍ଥାର ତଦାରଖ କରୁଥିଲେ।ବୈତରଣୀ ଓ ସାଳନ୍ଦୀ ନଦୀରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଥିବାରୁ ଜଳପଥରେ ସୁରକ୍ଷାକୁ ନେଇ ବିଶେଷ ସତର୍କତା ଅବଲମ୍ବନ କରାଯାଇଛି। ନଦୀପଥରେ ଯାତ୍ରୀ ପରିବହନ ଚାଲିଥିବାରୁ ଓଡ୍ରାଫ ଓ ଅଗ୍ନିଶମ ବାହିନୀର ସ୍ୱତନ୍ତ୍ର ଟିମ୍ ସଦସ୍ୟମାନେ ଉଦ୍ଧାର ସାମଗ୍ରୀ ସହ ସଜାଗ ଅବସ୍ଥାରେ ମୁତୟନ ରହିଛନ୍ତି। ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବା ପାଇଁ ସେମାନେ ପଇଁତରା ମାରୁଛନ୍ତି।ପୀଠ ନିକଟସ୍ଥ ଧାନକଣିଆ, ତିନିଥର ଓ ମୁଆ ନଦୀଘାଟର ଉଭୟ ପାର୍ଶ୍ୱରେ ପୁଲିସ ମୁତୟନ ସହ ରାତି ସମୟରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଅସୁବିଧା ନହେବା ସହ ଯେପରି କୌଣସି ଅଘଟଣ ଘଟିବ ନାହିଁ, ସେଥିପାଇଁ ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଉଛି। ଭରା ନଦୀରେ ହିଂସ୍ର କୁମ୍ଭୀରର ଚଳାଚଳ ଥିବାରୁ ଭକ୍ତମାନଙ୍କୁ ନଦୀରେ ଗାଧୋଇବା ଓ ପାଣି ଭରିବା ଉପରେ କଟକଣା ଜାରି କରାଯାଇଛି। ଏନେଇ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା ସୂଚନା ମଧ୍ୟ ପ୍ରଚାର କରାଯାଉଛି।କାଉଡ଼ିଆ ଭକ୍ତଙ୍କ ବିପୁଳ ସମାଗମକୁ ଦୃଷ୍ଟିରେ ରଖି ସନ୍ଧ୍ୟା ୭ଟା ପରେ ନଦୀଘାଟରେ ଯାତ୍ରୀ ପରିବହନ ନିୟନ୍ତ୍ରଣ କରାଯାଇଥିଲା। ମନ୍ଦିର ପ୍ରଶାସନ, ପୁଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସମନ୍ୱିତ ଉଦ୍ୟମରେ ସମଗ୍ର ଜଳଲାଗି କାର୍ଯ୍ୟକ୍ରମ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା।ଶ୍ରାବଣ ମାସ ସାରା ପ୍ରତ୍ୟେକ ସୋମବାରରେ ଆରଡିଧାମରେ ଲକ୍ଷାଧିକ ଶିବଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଛି। ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଓ ଜଳାଭିଷେକ ପାଇଁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ସେବା ଯୋଗାଇବା ପାଇଁ ପ୍ରଶାସନ ସତର୍କ ରହିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *