ପୁରୀର ପଞ୍ଚତୀର୍ଥ ପୁଷ୍କରିଣୀର ଜଳ ପ୍ରଦୂଷିତ !

ପ୍ରଦୂଷିତ ହୋଇପଡ଼ିଛି ପୁରୀର ପଞ୍ଚତୀର୍ଥ ପୁଷ୍କରିଣୀର ଜଳ । ପ୍ରଦୂଷଣର ସ୍ତର ଏଭଳି ସ୍ଥିତିରେ ପହଞ୍ଚିଛି ଯେ, ତୀର୍ଥ ପୁଷ୍କରିଣୀରେ ଗାଧୋଇବା ପାଇଁ ଜଳ ସମ୍ପୂର୍ଣ୍ଣ ଅନୁପଯୁକ୍ତ ହୋଇପଡ଼ିଛି । ଯଦି କେହି ଏଠାରେ ସ୍ନାନ କରେ ତାଙ୍କୁ ବିଭିନ୍ନ ରୋଗ ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅନ୍ତର୍ଗତ ଜାତୀୟ ଜଳ ଗୁଣବତ୍ତା ନିରୀକ୍ଷଣ ସଂସ୍ଥାର ରିପୋର୍ଟରୁ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ।ତେବେ ଜାତୀୟ ଜଳ ଗୁଣବତ୍ତା ନିରୀକ୍ଷଣ ସଂସ୍ଥାର ରିପୋର୍ଟ ଅନୁସାରେ, ପୁରୀର ନରେନ୍ଦ୍ର ପୁଷ୍କରିଣୀ ଜଳରେ ଫେକାଲ୍ କାଲିଫର୍ମ (ମଳର ପରିମାଣ) ବହୁତ ଅଧିକ ରହୁଛି । ପ୍ରତି ଶହେ ମିଲିମିଟର ପାଣିରେ ମଳ ପ୍ରଦୂଷଣ ମାତ୍ରା ୪ ହଜାର ୯ ଶହ ପର୍ଯ୍ୟନ୍ତ ରହୁଛି । ଏହାର ଅର୍ଥ ହେଉଛି ପୋଖରୀ ଜଳରେ ସିଧାସଳଖ ନର୍ଦ୍ଦମା ପାଣି ପଶୁଛି । କିନ୍ତୁ ତୀର୍ଥ ପୁଷ୍କରିଣୀର ଜଳକୁ ବିଶୋଧନ କରିବାରେ ପ୍ରଶାସନ ପକ୍ଷରୁ କୌଣସି ଉଦ୍ୟମ ହେଉନାହିଁ।ମଳ ମିଶ୍ରିତ ଜଳରେ ଇ-କୋଲାଇ ଭଳି ବିପଦଜନକ ବ୍ୟାକ୍ଟେରିଆ ରହୁଥିବାରୁ ଏହା ମଣିଷ ବ୍ୟବହାର ପାଇଁ ବିପଦଜନକ । ଏହି ପ୍ରଦୂଷିତ ଜଳକୁ ମଣିଷମାନେ ବ୍ୟବହାର କଲେ ଡାଇରିଆ, ଟାଇଫଏଡ ସହିତ ବିଭିନ୍ନ ଚର୍ମ ରୋଗ ହେବାର ଆଶଙ୍କା ରହିଛି । ତେବେ ଜଳ ଗୁଣବତ୍ତା ନିରୀକ୍ଷଣ ସଂସ୍ଥାର ରିପୋର୍ଟ ଅନୁସାରେ, କେବଳ ନରେନ୍ଦ୍ର ପୁଷ୍କରିଣୀ ନୁହେଁ, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ, ଶ୍ବେତ ଗଙ୍ଗା ଏବଂ ଲୋକନାଥ ମନ୍ଦିରର ପାର୍ବତୀ ସାଗର ଜଳ ସମ୍ପୂର୍ଣ୍ଣ ମଣିଷ ବ୍ୟବହାର ପାଇଁ ଅନୁପଯୋଗୀ ।ମାର୍କଣ୍ଡ ପୁଷ୍କରିଣୀରେ ପ୍ରତି ଶହେ ମିଲିମିଟର ପାଣିରେ ମଳ ପ୍ରଦୂଷଣ ମାତ୍ରା ୭ ହଜାର ୯ ଶହଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ୧୩ ହଜାରଶ୍ବେତଗଙ୍ଗାରେ ୨୩୦୦‌ପାର୍ବତୀ ସାଗରରେ ଏହା ୨୨୦୦ରେ ପହଞ୍ଚିଛିତେବେ ଜଳ ପ୍ରଦୂଷଣ ଆଧାର ଅନୁସାରେ, ପାଣିରେ ମଳ ଜନିତ ପ୍ରଦୂଷଣ ମାତ୍ରା ୫ ଶହ ଟପିଲେ ଏଥିରେ ଗାଧୋଇବା ଉଚିତ ନୁହଁ । ଏପରି କି ଏଥିରେ ମାଛ ଚାଷ କରିବା ପାଇଁ ମଧ୍ୟ ମନା । ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ଶ୍ରଦ୍ଧାଳୁ ଆସୁଥିବା ବେଳେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ଶ୍ରଦ୍ଧାଳୁମାନେ ଏହି ପଞ୍ଚତୀର୍ଥ ପୁଷ୍କରିଣୀକୁ ଯାଇ ପିଣ୍ଡଦାନ କର୍ମ କରିବା ସହ ସ୍ନାନ ମଧ୍ୟ କରିଥାନ୍ତି । ଏଣୁ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ଯଥାଶୀଘ୍ର ତୀର୍ଥ ପୁଷ୍କରିଣୀର ଜଳକୁ ସମ୍ପୂର୍ଣ୍ଣ ବିଶୋଧନ କରିବାକୁ ଦାବି ହୋଇଛି l

Leave a Reply

Your email address will not be published. Required fields are marked *