ନିମାପଡ଼ାରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ।
ନିମାପଡ଼ା : ଓଡ଼ିଶାର ପାରମ୍ପରିକ ପିଠାପଣା ଓ ସଂସ୍କୃତି ସାରା ବିଶ୍ୱରେ ଆମକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଏହି ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ନିମାପଡ଼ା ଓ ଗୋପ ବ୍ଲକ ସୁଭଦ୍ରାଶକ୍ତି ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ଉତ୍କର୍ଷ ନିମାପଡ଼ା ୨.୦ । ଏଥିରେ ଏକ ଭବ୍ୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଏବଂ ମେଳା ଅନୁଷ୍ଠିତ ହୋଇଯାଇଛି । ନିମାପଡ଼ା ବ୍ଲକ କାର୍ଯ୍ୟାଳୟ ସଭାଗୃହ ପରିସରରେ ଗତକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମେଳାରେ ଓଡ଼ିଶାର ପ୍ରସିଦ୍ଧ ଓ ପାରମ୍ପରିକ ପିଠାପଣା ପ୍ରଦର୍ଶିତ କରାଯାଇଥିଲା । ପ୍ରତିଯୋଗିତାରେ ନିମାପଡ଼ା ବ୍ଲକ ଅଧୀନ ୩୨ଟି ଗ୍ରାମପଞ୍ଚାୟତ ଓ ଏନ୍ଏସିର ମିଶନ ଶକ୍ତି ମହିଳା ଦଳ ଏବଂ ଗୋପ ବ୍ଲକର ୧୪ଟି ଗ୍ରାମପଞ୍ଚାୟତର ମହିଳା ଟିମ୍ ପକ୍ଷରୁ ପ୍ରାୟ ୪୦ଟି ଆକର୍ଷଣୀୟ ଷ୍ଟଲ୍ ଖୋଲାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସେଫ୍ ମାଷ୍ଟର ମଞ୍ଜୁ ଓଝା ଏବଂ ଅଞ୍ଜୁ ପ୍ରଧାନ ପୁରୀ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଅଧିକାରିଣୀ ତନୁପ୍ରଭା ବେଉରା, ନିମାପଡ଼ା ତହସିଲଦାର ମନୋଜ କୁମାର ପ୍ରଧାନ ଏବଂ ବିଡିଓ ଡ. ଅଭିଜିତ ଷଡ଼ଙ୍ଗୀ ଏହି ପାରମ୍ପରିକ ଖାଦ୍ୟ ମେଳାରେ ଯୋଗ ଦେଇଥିଲେ । ଆମ ପାରମ୍ପରିକ ପିଠାପଣା ପାଇଁ ଓଡ଼ିଶା ଆଜି ଗର୍ବିତ । ଏହି ହଜିଯାଉଥିବା ସ୍ୱାଦକୁ ଆଗାମୀ ପିଢ଼ି ପାଇଁ ବଞ୍ଚାଇ ରଖିବାରେ ମିଶନ ଶକ୍ତିର ମା’ମାନଙ୍କର ଏହି ପ୍ରୟାସ ପ୍ରଶଂସନୀୟ । ଅତିଥିମାନେ ଷ୍ଟଲ୍ ବୁଲି ଦେଖିବା ସହ ମା’ମାନଙ୍କ ହାତରନ୍ଧା ଭଳିକି ଭଳି ସୁଆଦିଆ ପିଠାର ସ୍ୱାଦ ପରଖି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ଶତାଧିକ ମହିଳା ଉପସ୍ଥିତ ରହି ନିଜର ରନ୍ଧନ କଳା ପ୍ରଦର୍ଶନ କରିଥିଲେ । ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସେମାନଙ୍କ ଭିତରେ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ଦିଗରେ ‘ଉତ୍କର୍ଷ ନିମାପଡ଼ା ୨.୦’ ଏକ ବଡ଼ ମାଧ୍ୟମ ସାଜିଛି ।ନିମାପଡା ବିଡିଓ ତଥା ଉତ୍କର୍ଷ ନିମାପଡାର ପରିଚାଳନା ସମ୍ପାଦକ ଡା. ଅଭିଜିତ୍ ଷଡ଼ଙ୍ଗୀ କହିଛନ୍ତି ଯେ, ଉତ୍କର୍ଷ ନିମାପଡା କନକ୍ଲେଭ ୨.୦ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅନ୍ୟନ୍ୟ ପ୍ରୟାସ । ବିଭିନ୍ନ ଇଭେଣ୍ଟ ଭିତରେ ଅନ୍ୟତମ ହେଉଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟରେ ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା । ପାରମ୍ପପାରିକ ଖାଦ୍ୟକୁ କିପରି ନୂଆ ନୂଆ ଚିନ୍ତାଧାରାରେ ଉପସ୍ଥାପନା କରାଯାଇ ପାରିବ ତାହାକୁ ଉତ୍ସାହିତ କରାଯାଉଛି ।
