କିଏ ହେବେ ପରବର୍ତ୍ତୀ ଆରଡିଏ ଅଧ୍ୟକ୍ଷ
ଦୀର୍ଘ ଦିନ ଧରି ରାଉରକେଲା ଡେଭଲପମେଣ୍ଟ ଅଥରିଟି ଅଧ୍ୟକ୍ଷ ପଦବୀ ଖାଲି ପଡିଛି l ସାରଦା ନାୟକଙ୍କ ପରେ ପ୍ରାକ୍ତନ ନବୀନ ସରକାର ମଧ୍ୟ୍ୟ କାହାରିଙ୍କୁ ଏହି ଦାୟିତ୍ୱ ଦେଇ ନଥିଲେ l ରାଜ୍ୟରେ ମୋହାନ ସରକାର ଦାୟିତ୍ୱରେ ଆସିବାପରେ ନିଶ୍ଚିତ ଭାବେ ଆରଡିଏ ଅଧ୍ୟକ୍ଷ ପଦବୀରେ ଜଣେ ବରିଷ୍ଠ ବିଜେପି ନେତାଙ୍କୁ ଥଇଥାନ କରିବା କଥା l ତେବେ ସିଧାସଳଖ ଚର୍ଚ୍ଚା କରିବା ଆରଡିଏ ଅଧ୍ୟକ୍ଷ ଦୌଡରେ କିଏ କିଏ ଅଛନ୍ତି lରାଉରକେଲା ବିଜେପି ପାଣିପାଗ ଦେଖିଲେ ସ୍ପଷ୍ଟ ବାରି ହେଉଛି କି ଏଠି ଗୋଷ୍ଠିକନ୍ଦଳ ପ୍ରବଳ l ବିଗତ ସାଧାରଣ ନିର୍ବାଚନ ସମୟରେ ଓ ପରେ ପରେ ଏହି ଗୋଷ୍ଠିକନ୍ଦଳ ଆହୁରି ଅଧିକ ତୀବ୍ରତର ହୋଇଥିବା ଦେଖିବାକୁ ମିଳିଛି l ଗୋଟେ ପଟେ ନିଜ ଭିତରେ ଲଢାଲଢ଼ି ଛାଡି ଏକ ହୋଇଥିବା ବିଜେପି ପୁରୁଣା କର୍ମୀ ଓ ନେତା ଥିବାବେଳେ ଅନ୍ୟ ପଟେ ଦିଲ୍ଲୀପ ରାୟଙ୍କ ସହିତ ପାର୍ଟିରେ ଯୋଡି ହୋଇଥିବା ନୂଆ କର୍ମୀ ଓ ନେତା l ତେବେ ସଦସ୍ୟତା ଅଭିଯାନର ଦାୟିତ୍ୱ କିଏ ନେବ, ସେ ଲଢେଇରେ ଦିଲ୍ଲୀପ ଟିମ ଅପେକ୍ଷା ପାର୍ଟି ଟିମ ଟିକେ ଆଗୁଆ ଥିବା ଦେଖିବାକୁ ମିଳିଥିଲା l ଲତିକା-ଧିରେନ-ଦୁର୍ଗା-ଶଙ୍କର ଟିମ ହାତେଇ ନେଇଥିଲେ ସବୁ ବଡ ବଡ ଦାୟିତ୍ୱ l ମୁଖିଆ ମୁଖିଆ ପଦବୀ ବାଣ୍ଟକୁଣ୍ଟ ହୋଇ ରହିଗଲା ଏହି ଚାରି ଜଣ ନେତାଙ୍କ ପାଖରେ l ଦିଲ୍ଲୀପ ଟିମ ଭାଗରେ ପଡି ନଥିଲା କିଛି l ବିଜେପି ରାଜ୍ୟ ମୁଖପାତ୍ର ଧିରେନ ସେନାପତିଙ୍କ ଅତ୍ୟନ୍ତ୍ୟ ଅନୁଗତ ତଥା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକଙ୍କ ଭାଗରେ ଜିଲ୍ଲା ସଦସ୍ୟତା ପ୍ରଭାରୀ ପଡିଲା ବେଳେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ତାଙ୍କ ଅନୁଗତ ଜିଲ୍ଲା କୋଷାଧକ୍ଷ ମନୋଜ ମାହେଶ୍ୱରୀଙ୍କ ପାଇଁ ରାଉରକେଲା ବିଧାନସଭା କ୍ଷେତ୍ରର ପ୍ରଭାରୀ ପଦ ହାତେଇ ନେଇଥିଲେ l ସେହିପରି ଭାଗବଣ୍ଟାରେ ବିଧାୟକ ଦୁର୍ଗା ଚରଣ ତନ୍ତୀ ତାଙ୍କ ଅନୁଗତ ଅକ୍ଷୟ କୁମାର ଦାସଙ୍କ ପାଇଁ ରଘୁନାଥପାଲ୍ଲୀ ବିଧାନସଭା ପ୍ରଭାରୀ ନେଇଥିବା ବେଳେ ପୂର୍ବତନ ବିଧାୟକ ଶଙ୍କର ଓରାମ ତାଙ୍କ ଅନୁଗତ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଅରୁଣ ପାଣିଗ୍ରାହୀଙ୍କ ପାଇଁ ବୀରମିତ୍ରପୁର ବିଧାନସଭା ପ୍ରଭାରୀ ପଦ ହାତେଇ ନେଇଥିଲେ l କେତେ ସତ୍ୟ ଆମେ ଜାଣିନୁ, ତଥାପି ଶୁଣିବାକୁ ମିଳେ କୁଆଡେ ଏ ଲିଷ୍ଟ ବନିଲା ବେଳେ ଦିଲ୍ଲୀପ ରାୟଙ୍କ ମତାମତ ଲୋଡ଼ିନଥିଲେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ l ଯାହା ଜଣାପଡୁଛି ବୋଧେ ଦିଲ୍ଲୀପ ଟିମ କୁ ବ୍ୟବସ୍ଥାରୁ ସମ୍ପୂର୍ଣ୍ଣ ଆଉଟ ରଖିବା ପାଇଁ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ନେତୃତ୍ୱରେ “ଦୁର୍ଗା ଶଙ୍କର ସେନାପତି” ଗୋଟିଏ ପ୍ଲାଟଫର୍ମରେ ଯୋଡି ହୋଇ ଯାଇଛନ୍ତି l ଆରଡିଏ ଅଧ୍ୟକ୍ଷ ଚୟନ ସମୟରେ ମଧ୍ୟ୍ୟ ଏହି ଲଢେଇ ରହିବା ସ୍ୱାଭାବିକ l ପାର୍ଟି ଟିମରୁ କେହିଜଣେ ଆରଡିଏ ଅଧ୍ୟକ୍ଷ ହେଵା ନେଇ ଚର୍ଚ୍ଚା ଥିବାବେଳେ ଦିଲ୍ଲୀପ ବି ତାଙ୍କ ଟିମରୁ ଜଣକୁ ଆରଡିଏ ଅଧ୍ୟକ୍ଷ କରିବାକୁ ଅଣ୍ଟା ଭିଡ଼ିଛନ୍ତି l ଅବଶ୍ୟ ପୁରୁଣା ପାର୍ଟି ନେତା ଆରଡିଏ ଅଧ୍ୟକ୍ଷ ନହେଲେ ଲତିକା-ଧିରେନ-ଦୁର୍ଗା-ଶଙ୍କର ଟିମ ଯେ ରାଜରାସ୍ତାରେ ତାଣ୍ଡବ ନକରିବେ, ସେକଥା କହି ହେବନି l ଅନ୍ୟ ପଟେ ଦିଲ୍ଲୀପ ବି ଛାଡିବା ଲୋକ ନୁହନ୍ତି, କିଛି ବି ଗଣିତ ଦିଲ୍ଲୀପଙ୍କ ପାଇଁ ସମ୍ଭବ l ତଥାପି ଆସନ୍ତୁ ଦେଖିବା କିଏ କିଏ ଅଛନ୍ତି ଆରଡିଏ ଅଧ୍ୟକ୍ଷ ଦୌଡରେ lପ୍ରଥମେ ପାର୍ଟି ଟିମର ଧିରେନ ସେନାପତି l 2009 ରୁ ରାଉରକେଲା ବିଧାୟକ ଦୌଡରେ ସାମିଲ ଥିବା ସ୍ୱତେ ଆଜିଯାଏ ରାଉରକେଲା ବିଧାୟକ ଟିକଟ ଖଣ୍ଡେ ପାଇବାରେ ଅସମର୍ଥ ହୋଇଛନ୍ତି ଧିରେନ l 2009 ରେ ରମେଶ ଅଗ୍ରୱାଲ ଟିକଟ ହାତେଇ ଥିବାବେଳେ 2014 ରେ ଏୟାର ଡ୍ରପିଙ୍ଗ ମେଥଡ଼ ରେ ଦିଲ୍ଲୀପ ରାୟ ଉଡେଇ ନେଲେ ଟିକଟ l ସେହିପରି 2019 ରେ ହାଲି ହାଲି ପାର୍ଟିରେ ଯୋଡି ହୋଇଥିବା ନିହାର ରାୟ ଟିକଟ ପାଇଥିବା ବେଳେ ପୁଣିଥରେ ରାଉରକେଲା ଟିକଟ ପାଇବାରୁ ବଞ୍ଚିତ ହୋଇଥିଲେ ଧିରେନ l 2024 କଥା ସମସ୍ତଙ୍କୁ ଜଣା, ଉଇକିପିଡିଆ ରେ ଧିରେନ ସେନାପତିଙ୍କ ନାଁ ବାହାରିଲା ପରେ ହଠାତ ପୁଣିଥରେ ଏୟାର ଡ୍ରପିଙ୍ଗ ହେଲା ଦିଲ୍ଲୀପ ରାୟଙ୍କର l ପୁଣି କଟିଲା ଧିରେନଙ୍କ ଟିକଟ l ତଥାପି ଆଜିଯାଏ ସେ କେବେ ଦଳବଦଳ କରିନାଁହାନ୍ତି l ତେଣୁ ଧିରେନ ସେନାପତିଙ୍କୁ ଥଇଥାନ କରିବା ବିଜେପି ପାଇଁ ସର୍ବାଗ୍ରେ ରହିବା କଥା l ସେହିପରି ବିଜେପିର ଆଉ ଜଣେ ଟାଣୁଆ ନେତା ମଧ୍ୟ୍ୟ ଏହି ଆରଡିଏ ଅଧ୍ୟକ୍ଷ ଦୌଡରେ ଅଛନ୍ତି l ବିଗତ ଦିନରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଏକାନ୍ତ ଅନୁଗତ ରମେଶ ଅଗ୍ରୱାଲଙ୍କୁ ବି ପାର୍ଟି ସୁଯୋଗ ଦେଇପାରେ ଆରଡିଏ ଅଧ୍ୟକ୍ଷ ପଦବୀ ପାଇଁ l ବିଗତ ଦିନରେ ରମେଶ ବିଭିନ୍ନ ବଡ ବଡ ସାମାଜିକ ସଙ୍ଗଠନର ଦାୟିତ୍ୱ ନେଇ ସଫଳତାର ସହିତ ନିଜର ଦାୟିତ୍ୱ ନିର୍ବାହ କରିବାର ନଜିର ରହିଛି l ଏକଦା କ୍ଷତିରେ ଚାଲୁଥିବା ରେଗୁଲେଟାରୀ ମାର୍କେଟ କମିଟିର ଦାୟିତ୍ୱ ନେଇ ଆରଏମସି କୁ ଶିଖର ରେ ପଂହଁଚାଇ ନିଜର ଦକ୍ଷତା ପ୍ରତିପାଦନ କରିବାରେ ସଫଳ ହୋଇଥିଲେ ରମେଶ l ତେଣୁ ମେରୁଦଣ୍ଡ ଭାଙ୍ଗି ଯାଇଥିବା ଏହି ଆରଡିଏ ସଂସ୍ଥାକୁ ସଜାଡ଼ିବାରେ ରମେଶ ଅଗ୍ରୱାଲ ସକ୍ଷମ ହୋଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ରହିଛି lପାର୍ଟିର ଏହି ଦୁଇ ଜଣ ନେତାଙ୍କୁ ଛାଡିଲା ପରେ ଦିଲ୍ଲୀପ ରାୟଙ୍କ ଟିମ ମଧ୍ୟ୍ୟ ଆରଡିଏ ଅଧ୍ୟକ୍ଷ ପଦବୀକୁ ନେଇ ଚଳଚଞ୍ଚଳ ରହିଛି l ନିର୍ବାଚନ ହାରିବା ପରେ ପାୱାର କରିଡର ରେ ନିଜର ଅସ୍ତିତ୍ବ ବଜାଇ ରଖିବା ପାଇଁ ଦିଲ୍ଲୀପ ଗୋଟିଏ ସରକାରୀ ବ୍ୟବସ୍ଥା କୁ ହାତେଇବା ପାଇଁ ଚେଷ୍ଟିତ ରହିବା ସ୍ୱାଭାବିକ l ସେହି ପରିକ୍ରମରେ ଆରଡିଏ ଅଧ୍ୟକ୍ଷ ପଦବୀ ପାଇଁ ଦିଲ୍ଲୀପଙ୍କ ଟିମରୁ ସର୍ବାଗ୍ରେ ତାଙ୍କ ଧର୍ମପତ୍ନୀ ପୂଜା ରାୟଙ୍କ ନାଁ ରହିବା ନିଶ୍ଚିତ l ବିଗତ ନିର୍ବାଚନ ସମୟରେ ଏବଂ ପରେ ପରେ ମଧ୍ୟ୍ୟ ପୂଜା ରାୟଙ୍କୁ ବିଭିନ୍ନ ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥାଏ l ସିଧାସଳଖ ରାଜନୀତିରେ ସେ ବେଶ ସକ୍ରିୟ ଅଛନ୍ତି କହିଲେ କିଛି ଅତ୍ୟୁକ୍ତ ହେବନାହିଁ l କେବଳ ଦିଲ୍ଲୀପ ରାୟଙ୍କ ଧର୍ମପତ୍ନୀ ଭାବେ ନୁହେଁ ବରଂ ରାଉରକେଲା ରାଜନୀତିରେ ପୂଜା ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବାରେ ସକ୍ଷମ ହୋଇ ପାରିଛନ୍ତି ଏବଂ ଅଳ୍ପ ଦିନର ରାଜନୀତି ରେ ବି ସେ ସାଧାରଣରେ ବେଶ ଗ୍ରହଣୀୟ ମଧ୍ୟ୍ୟ ହୋଇ ପାରିଛନ୍ତି l ଏବଂ ତାଙ୍କ ଆରଡିଏ ଅଧ୍ୟକ୍ଷା ଦବେଦାରୀ କୁ ଦିଲ୍ଲୀପ କରିଡର ରେ କେହି ବିରୋଧ ମଧ୍ୟ୍ୟ କରି ପାରିବେ ନାହିଁ l ସେହିପରି ଦିଲ୍ଲୀପ ଟିମରୁ ଯଦି ପୂଜା ରାୟଙ୍କ ନାଁ କଟିବ ତେବେ ଦ୍ୱିତୀୟରେ ରାଉରକେଲା ର ବିଶିଷ୍ଟ ବ୍ୟବସାୟୀ ରାଜେଶ ମହାପାତ୍ରଙ୍କ ନାଁ ଆସିବାଟା ଥୟ ଅଛି l ରାଜେଶ ମହାପାତ୍ର ବିଗତ ସାଧାରଣ ନିର୍ବାଚିତ ସମୟରେ ଦିଲ୍ଲୀପ ରାୟଙ୍କ ପାଇଁ ଖୁଲମଖୁଲା କାମ କରିବା ସହିତ ପ୍ରଥମ ଥର ପାଇଁ ରାଉରକେଲା ବିଧାନସଭା କ୍ଷେତ୍ରରେ ବିଜେପିର ପ୍ରଚାର କରିଥିଲେ l ରାଜେଶଙ୍କ ନାଁ ମଧ୍ୟ୍ୟ ଆରଡିଏ ଅଧ୍ୟକ୍ଷ ପଦବୀ ପାଇଁ ବେଶ ଚର୍ଚ୍ଚାରେ ରହିଛି l ପୂଜା ଓ ରାଜେଶଙ୍କ ପରେ ଯଦି କାହା ନାଁ ଚର୍ଚ୍ଚାରେ ଅଛି ସେ ହେଲେ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ଅଙ୍କୁଶ ବର୍ମା l ରାଉରକେଲା ରେ ଅଙ୍କୁଶଙ୍କର ପ୍ରବଳ ସାଙ୍ଗଠନିକ ଦକ୍ଷତା ଥିବା କଥା କେହି ଅସ୍ବୀକାର କରିବେ ନାହିଁ l ଏବଂ ଏଥର ସାଧାରଣ ନିର୍ବାଚନରେ ଦିଲ୍ଲୀପଙ୍କ ପାଇଁ କାମକରି ଦିଲ୍ଲୀପଙ୍କର ବେଶ ପାଖ ଲୋକ ହେବାରେ ସକ୍ଷମ ହୋଇପାରିଛନ୍ତି ଅଙ୍କୁଶ l ରାଜ୍ୟ ଯୁବମୋର୍ଚ୍ଚାରେ ମଧ୍ୟ୍ୟ ବେଶ ପକଡ ରହିଛି ଅଙ୍କୁଶଙ୍କର l ତେଣୁ ତାଙ୍କ ଦବେଦାରୀକୁ ମଧ୍ୟ୍ୟ ଏଡାଇ ଦିଆ ଯାଇ ନପାରେ lସୁନ୍ଦରଗଡ ଜିଲ୍ଲାରେ କିଏ କେଉଁ ସ୍ଥାନରେ ଥଇଥାନ ହେବେ, ତା’ର ନିର୍ଣ୍ଣୟ ଯେ କେବଳ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହମତିରେ ହେବ, ଏଥିରେ କିଛି ଦ୍ବିମତ ନାହିଁ l ତେବେ ଦେଖିବାକୁ ବାକି ରହିଲା, ଜୁଏଲଙ୍କ ହାତୀ କାହା ମୁଣ୍ଡରେ ଢାଳୁଛି ସୁନା କଳସର ପାଣି… ପାର୍ଟି ଟିମର ଧିରେନ-ରମେଶ ନାଁ ଦିଲ୍ଲୀପ ଟିମର ପୂଜା-ରାଜେଶ-ଅଙ୍କୁଶ ନାଁ ଗୋପରେ ବଢୁଥିବା ଆଉ କେହି l
