ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ବିଶ୍ୱ ସଂସ୍କୃତ ଦିବସ ସମାରୋହ।
ବ୍ଯାସନଗର ଅଦ୍ଯ ତା ୩୦/୮/୨୦୨୬ ରବିବାର ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ବିଶ୍ୱ ସଂସ୍କୃତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅକ୍ଷୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ସମାରୋହକୁ ମୁଖ୍ୟ ଅତିଥି ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସତ୍ୟନାରାୟଣ ଆଚାର୍ଯ୍ୟ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ ଘାଟନ କରିଥିଲେ। ପ୍ରକାଶ ଥାଉକି ମହାବିଦ୍ୟାଳୟ ର ସଂସ୍କୃତ ବିଭାଗ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ବିଶ୍ୱ ସଂସ୍କୃତ ଦିବସ ପରିପ୍ରେକ୍ଷୀରେ “କିମର୍ଥଂ ସଂସ୍କୃତମ୍” ବିଷୟକୁ ନେଇ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର, ଦଶଦିନାତ୍ମକ ସସ୍କୃତ ସମ୍ଭାଷଣ ଶିବିର ଓ ପ୍ରାକ୍ତନ ଛାତ୍ର ମାନଙ୍କର ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟବକ୍ତା ଭାବରେ ମା ତାରିଣୀ ମହାବିଦ୍ୟାଳୟ, ପାଣିକୋଇଲି ର ସସ୍କୃତ ବିଭାଗ ମୁଖ୍ୟ ଡକ୍ଟର ପ୍ରତାପ ଚନ୍ଦ୍ର ତ୍ରିପାଠୀ ସସ୍କୃତ ଭାରତୀୟ ମାନଙ୍କର ଶିରା ପ୍ରଶିରାରେ ରକ୍ତ ଭଳି ପ୍ରବାହିତ। ସଂସ୍କୃତକୁ ଛାଡି ଭାରତୀୟ ସଂସ୍କୃତିର ପରିଚୟ ନାହିଁ ବୋଲି ମତପ୍ରକାଶ କରିଥିଲେ। ସାରସ୍ୱତ ଅତିଥି ଅମୃତବାଣୀ ସେବା ପ୍ରତିଷ୍ଠାନ ର କାର୍ଯ୍ୟକାରୀ ଅଧ୍ୟକ୍ଷ ଡକ୍ଟର କୁମାର ଚନ୍ଦ୍ର ମିଶ୍ର ସସ୍କୃତ ଓ ସଂସ୍କୃତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କହିଥିଲେ। ସମ୍ମାନିତ ଅତିଥି ଓଡ଼ିଆ ବିଶ୍ୱବିଦ୍ୟାଳୟ, ସତ୍ୟବାଦୀ, ପୁରୀ ର ଓଡ଼ିଆ ବିଭାଗର ଅଧ୍ୟକ୍ଷ ଡକ୍ଟର ରାଧାଗୋବିନ୍ଦ କୁଇଲା ଓଡ଼ିଆ ଭାଷା ର ସୁଦ୍ଧ ଉପସ୍ଥାପନ ପାଇଁ ସଂସ୍କୃତ ଭାଷାକୁ ଜାଣିବା ନିତ୍ୟାନ୍ତ ଆବଶ୍ୟକ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ସଂସ୍କୃତ ବିଭାଗର ମୁଖ୍ୟ କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମର ସବୁଠାରୁ ବଡ଼ ଆକର୍ଷଣ ଥିଲା ବୈଦିକ ପରମ୍ପରା ଅନୁସାରେ ଗୁରୁମାନଙ୍କୁ ପୂଜାର୍ଚ୍ଚନା ପୂର୍ବକ ସମ୍ବର୍ଦ୍ଧିତ କରିବା। ଭାରତର କୋଣାନୁକୋଣରୁ ଆସିଥିବା ଶତାଧିକ ପ୍ରାକ୍ତନ ଛାତ୍ରଛାତ୍ରୀ ଗୁରୁ ପୂଜନ ରେ ସାମିଲ ହୋଇ ତିନିଜଣ ଗୁରୁଙ୍କୁ ପୁଷ୍ପମାଲ୍ୟ ଦେଇ ପୂଜାର୍ଚ୍ଚନା କରିଥିଲେ। ଓଡ଼ିଆ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଡକ୍ଟର ଆଚାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କର ଗୁରୁଭକ୍ତି ଦେଖି ଅଭିଭୂତ ହୋଇଥିଲେ। ସେ ତାଙ୍କ ବକ୍ତବ୍ୟରେ ଓଡ଼ିଆ ଭାଷାର ନବେ ଭାଗ ଶବ୍ଦ ସଂସ୍କୃତ ଭାଷାରୁ ଆସିଛି ଏଣୁ ସଂସ୍କୃତ ବିନା ଓଡ଼ିଆ ଭାଷାର ଅସ୍ତିତ୍ୱ ନାହିଁ ବୋଲି କହିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂସ୍କୃତ ବିଭାଗର ଅଧ୍ୟାପିକା ଡକ୍ଟର ସସ୍ମିତା ସ୍ବାଇଁ ମଞ୍ଚ ନିମନ୍ତ୍ରଣ କରିଥିଲେ। ସଂଯୋଜକ କ୍ଯାପ୍ଟେନ୍ ସ୍ବାଇଁ ମଞ୍ଚ ପରିଚାଳନା କରିଥିଲେ। ଡକ୍ଟର ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ମାନପତ୍ର ପାଠ କରିଥିଲେ। ମୁଖ୍ୟ ଅତିଥି କୁଳପତି ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଡକ୍ଟର ତ୍ରିପାଠୀ ଓ ସାରସ୍ବତ ଅତିଥି ଡକ୍ଟର ମିଶ୍ରଙ୍କୁ ମହାବିଦ୍ୟାଳୟ ତରଫରୁ “ବ୍ଯାସଶ୍ରୀ ସମ୍ମାନ – ୨୦୨୬” ରେ ସମ୍ମାନିତ କରାଯାଇଥିଲା। ଅତିଥି ମାନଙ୍କୁ ପୁଷ୍ପ ବୃକ୍ଷ, ଅଙ୍ଗବସ୍ତ୍ର ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଶିବିରାଧ୍ଯାପକ ରାଷ୍ଟ୍ରୀୟ ସଚିବ ଜୟପ୍ରକାଶ ଶାସ୍ତ୍ରୀ ଓ ଡକ୍ଟର ନାରାୟଣ ସାମାଇ ସୁଚାରୁ ରୂପେ ଶିବିର ପରିଚାଳନା କରି ୧୫୦ ଛାତ୍ରଛାତ୍ରୀ ମାନଙ୍କୁ ସସ୍କୃତ ସମ୍ଭାଷଣ ରେ ଧୁରିଣ କରାଇଥିବାରୁ ଉଭୟ ମହାବିଦ୍ୟାଳୟ ଓ ସରସ୍ୱତୀ ବିଦ୍ୟା ମନ୍ଦିର, ମଧୁସୂଦନ ନଗର ତରଫରୁ ତାଙ୍କୁ ଭୂୟସୀ ପ୍ରଶଂସା କରାଯିବା ସହିତ ଅଙ୍ଗ ବସ୍ତ୍ର, ପୁଷ୍ପ ବୃକ୍ଷ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଦଶଦିନ ଧରି ଚାଲିଥିବା ସସ୍କୃତ ସମ୍ଭାଷଣ ଶିବିର ରେ ଭାଗ ନେଇଥିବା ସମସ୍ତ ୧୫୦ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ଶିବିରରେ ଆୟୋଜିତ ହୋଇଥିବା ସସ୍କୃତ ଭାଷଣ, ଗୀତ, ଶ୍ଳୋକାବୃତ୍ତି, କୁଇଜ୍ ଓ ପ୍ରବନ୍ଧ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ମଧ୍ୟ ଭାଗରେ ଉଭୟ ମହାବିଦ୍ୟାଳୟ ଓ ସରସ୍ୱତୀ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଂସ୍କୃତ ନୃତ୍ୟ, ସଙ୍ଗୀତ ଓ ସଂସ୍କୃତ ଭାଷଣ ପ୍ରଦର୍ଶନ କରାଯାଇଥିଲା। ଶେଷରେ ଅଧ୍ୟାପକ ଅଜୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
