ତାଳଚେର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ସର୍ପ ଦିବସ ପାଳିତ

ତାଳଚେର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ସର୍ପ ଦିବସ ପାଳିତ ତାଳଚେର : ବିଶ୍ୱ ସର୍ପ ଦିବସ ଅବସରରେ ତାଳଚେରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରତନ୍ତ୍ର ସମ୍ବାଦପତ୍ର ଓ ପିଏଫଏ ସଂଗଠନର ମିଳିତ ସହଯୋଗରେ ପର୍ଯ୍ୟାବରଣର ସୁରକ୍ଷାରେ ସାପମାନଙ୍କ ଭୂମିକା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ବିଶେଷ କାର୍ଯ୍ୟକ୍ରମରେ ଅତିଥି ଭାବରେ ତାଳଚେର ବନପାଳ ସିଦ୍ଧାର୍ଥ ଅନୁରାଗ ପରିଡା, ବରିଷ୍ଠ ସାମ୍ବାଦିକ ଦେବୀ ମିଶ୍ର, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ଦାସ, ଶିକ୍ଷାବିତ ଦିପ୍ତୀରଂଜନ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ଧୀରମୋହନ ରାୟ, ରାଷ୍ଟରାତନ୍ତ୍ର ଖବର କାଗଜର ସମ୍ପାଦକ ଦେବାଶିଷ ପରିଡା ପ୍ରମୁଖ ଯୋଗଦେଇ ସର୍ପଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ପର୍ଯ୍ୟାବରଣ ସନ୍ତୁଳନରେ ସର୍ପ ବା ସାପର ଭୂମିକା ଅତୁଳନୀୟ। ସେମାନେ ପ୍ରାକୃତିକ ଖାଦ୍ୟ ଶୃଙ୍ଖଳର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେମାନେ ମୂଷା ଓ କୀଟପତଙ୍ଗଙ୍କୁ ଖାଇ ଫସଲକୁ ସୁରକ୍ଷା ଦେଇଥାନ୍ତି ଏବଂ ପ୍ରକୃତିର ସନ୍ତୁଳନ ବଜାୟ ରଖନ୍ତି।ସାପମାନେ ମୂଷା, ମୂଷିକ ଓ କ୍ଷତିକାରକ କୀଟମାନଙ୍କୁ ଖାଆନ୍ତି। ଏହାଦ୍ୱାରା କୃଷି କ୍ଷେତ୍ରରେ ଫସଲ ନଷ୍ଟ ହେବାରୁ ବଞ୍ଚିଯାଏ ଏବଂ ମୂଷାଙ୍କ ଦ୍ୱାରା ବ୍ୟାପୁଥିବା ରୋଗ ନିୟନ୍ତ୍ରଣ ହୋଇଥାଏ। ସାପମାନେ ଉଭୟ ଶିକାରୀ ଏବଂ ଶିକାର ଅଟନ୍ତି। ସେମାନେ ଛୋଟ ଜୀବଙ୍କୁ ଖାଇ ସେମାନଙ୍କ ସଂଖ୍ୟାକୁ ସୀମିତ ରଖନ୍ତି ଏବଂ ନିଜେ ମଧ୍ୟ ଶାଗୁଣା, ଚିଲ, ଓ ବଣଜନ୍ତୁଙ୍କ ଖାଦ୍ୟ ହୋଇଥାନ୍ତି।

ପରିବେଶରେ କିଛି ପରିବର୍ତ୍ତନ, ପ୍ରଦୂଷଣ କିମ୍ବା ଜଙ୍ଗଲ କ୍ଷୟ ହେଲେ ସାପମାନେ ସବୁଠାରୁ ପ୍ରଭାବିତ ହୁଅନ୍ତି। ଏକ ସ୍ଥାନରେ ସାପଙ୍କ ଉପସ୍ଥିତି ସେହି ଅଞ୍ଚଳର ଜୈବ ବିବିଧତା ଏବଂ ପରିବେଶ ସ୍ୱାସ୍ଥ୍ୟକୁ ସୂଚାଏ। ସାପକୁ ଡରିବା ଉଚିତ ନୁହେଁ, ଯଦି ସାପ ଘରେ ପଶିଯାଏ ତେବେ ଗୋଟିଏ ଲମ୍ବା ଝାଡ଼ୁରେ ତାକୁ ଘଉଡ଼ାଇଲେ ଯେଉଁ ରାସ୍ତାରେ ସେ ପ୍ରବେଶ କରିଥାଏ ସେହି ରାସ୍ତା ଦେଇ ବାହାରକୁ ଚାଲି ଯାଏ। ସପକାମୁଡ଼ିଲେ ଭୟଭୀତ ନ ହୋଇ ନିକଟସ୍ଥ ଚିକିତ୍ସାଳୟକୁ ତୁରନ୍ତ ଯିବା ଉଚିତ ଓ କୌଣସି ଗୁଣିଗାରେଡିରେ ବିଶ୍ୱାସ କରିବା ନାହିଁ ଏବଂ ମଶାରୀ ଟାଣି ଶୋଇବା ସମୟରେ ମଶାରୀକୁ ଭଲ ଭାବରେ ବିଛଣା ତଳେ ଖୋସିବା ଜରୁରୀ, କାରଣ ସାପ ଯଦି ଆସେ ତାହା ବିଛଣା ପାର୍ଶ୍ୱଦେଇ ଚାଲି ଯାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଛାତ୍ରୀମାନେ ଯୋଗଦେଇଥିଲେ ଓ ଶିକ୍ଷୟିତ୍ରୀମାନେ ଛାତ୍ରୀମାନଙ୍କ ମଧ୍ୟରେ ଶୃଙ୍ଖଳା ବଜାୟ ରଖିବାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ପିପୁଲ ଫର ଅନିମଲର ସଂଯଯୋକ କୁନା କୁମାର ସାହୁ ପରିଚାଳନା କରିଥିଲେ ଏବଂ ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ମାଝୀ, ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ଆୟୋଜକ ଓ ଅତିଥିମାନଙ୍କୁ ସାଧୁବାଦ ଜ୍ଞାପନ ସହିତ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *