ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ
ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତିଦେଶର ମୋଟ୍ ୨୨ ଜଣ ବୁଣାକାରଙ୍କୁ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଏବଂ ଜାତୀୟ ହସ୍ତତନ୍ତ ପୁରସ୍କାର ୨୦୨୫ ପ୍ରଦାନ କଲେ ଶ୍ରୀମତୀ ମୁର୍ମୁବରଗଡ଼ର ବୁଣାକାର ରାମ ମେହେର ଏବଂ ଜଗତସିଂହପୁର ଜିଲ୍ଲାର ବୁଣାକାର ପ୍ରଫୁଲ୍ଲ କୁମାର ସାହୁ ରାଷ୍ଟ୍ରପତିଙ୍କ ଦ୍ୱାରା ହେଲେ ପୁରସ୍କୃତହସ୍ତତନ୍ତ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶ ପାଇଁ ନୂତନ ପ୍ରଯୁକ୍ତିବିଦ୍ୟାର ଉପଯୁକ୍ତ ବ୍ୟବହାର ଜରୁରୀ: ରାଷ୍ଟ୍ରପତି ଯୁବ ଉଦ୍ୟୋଗୀ, ଡିଜାଇନର ଏବଂ ଷ୍ଟାର୍ଟଅପ୍ ଗୁଡ଼ିକ ପାରମ୍ପରିକ ହସ୍ତଶିଳ୍ପକୁ ଆଧୁନିକ ଧାରା, ବ୍ରାଣ୍ଡ ଏବଂ ବିଶ୍ୱ ମୂଲ୍ୟ ଶୃଙ୍ଖଳ ସହିତ ଯୋଡ଼ି ଏହି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିପାରିବେ: ରାଷ୍ଟ୍ରପତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୮ ଅଗଷ୍ଟ, ୨୦୨୬) ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ସମାରୋହରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଏବଂ ୨୦୨୫ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଭାରତର ସମୃଦ୍ଧ ଏବଂ ବିବିଧ ହସ୍ତତନ୍ତ ବୟନ ପରମ୍ପରାକୁ ସମ୍ମାନ ପ୍ରଦର୍ଶନ କରୁଥିବା ୪ଟି ସ୍ମାରକୀ ଡାକଟିକଟ ମଧ୍ୟ ଉନ୍ମୋଚନ କରାଯାଇଥିଲା।ରାଷ୍ଟ୍ରପତି ଏହି ଅବସରରେ ଦେଶର ମୋଟ୍ ୨୨ ଜଣ ବୁଣାକାରଙ୍କୁ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଏବଂ ଜାତୀୟ ହସ୍ତତନ୍ତ ପୁରସ୍କାର ୨୦୨୫ ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରୁ ତିନି ଜଣ ବୁଣାକାର ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ପାଇଛନ୍ତି । କାର୍ଯ୍ୟକ୍ରମରେ ଓଡ଼ିଶାର ଦୁଇ ଜଣ ବୁଣାକାର ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ବରଗଡ଼ ଜିଲ୍ଲାର ଜଣାଶୁଣା ବୁଣାକାର ରାମ ମେହେର ବିଚିତ୍ରପୁରୀ ଖଦୀ ଶାଢ଼ୀ ବୁଣାରେ ଅସାଧାରଣ ଦକ୍ଷତା ନିମନ୍ତେ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ପାଇଛନ୍ତି। ଅତାବିରା ଝିଲିମିଣ୍ଡା ଗ୍ରାମର ବାସିନ୍ଦା ଶ୍ରୀ ମେହରଙ୍କର ବିଚିତ୍ରପୁରୀ ବା ବିଚିଟପର ଶାଢ଼ୀ ବୁଣା କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ସେହିପରି ଜଗତସିଂହପୁର ଜିଲ୍ଲା ବାଇଜଙ୍ଗା ସିଙ୍ଗିପୁର ଅଞ୍ଚଳର ବୁଣାକାର ପ୍ରଫୁଲ୍ଲ କୁମାର ସାହୁ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ହସ୍ତତନ୍ତ ପୁରସ୍କାର ପାଇଛନ୍ତି । ପାରମ୍ପରିକ ଜଗତସିଂହପୁର ଶାଢ଼ୀ ବୁଣା କ୍ଷେତ୍ରରେ ଦୀର୍ଘଦିନର ଅଭିଜ୍ଞତା ଏବଂ ଏହି ପାରମ୍ପରିକ ପଦ୍ଧତିର ପ୍ରୋତ୍ସାହନ ନିମନ୍ତେ ଶ୍ରୀ ସାହୁଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।ଜାତୀୟ ହସ୍ତତନ୍ତ ଦିବସ ସମାରୋହରେ ଉଦବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଶହ ଶହ ବର୍ଷ ଧରି ହସ୍ତତନ୍ତ ଭାରତୀୟ ସଭ୍ୟତାର ବିବର୍ତ୍ତନ ଯାତ୍ରାର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଛି । ଏହା ଆମ ଦେଶର ଅସାଧାରଣ ବିବିଧତାକୁ ପ୍ରତିଫଳିତ କରେ ଏବଂ ଆମର ଆଞ୍ଚଳିକ ସ୍ୱତନ୍ତ୍ରତାକୁ ସଂରକ୍ଷଣ କରିଆସିଛି । ହସ୍ତତନ୍ତ କ୍ଷେତ୍ର ରୋଜଗାର, ମହିଳା ସଶକ୍ତିକରଣ, କଳା ଓ ସଂସ୍କୃତି ଏବଂ ପ୍ରକୃତି ପ୍ରତି ଭଲ ପାଇବାକୁ ପ୍ରୋତ୍ସାହିତ କରେ । ହସ୍ତତନ୍ତକୁ ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଆତ୍ମନିର୍ଭରଶୀଳତା ଭାବନା ସହିତ ମଧ୍ୟ ଯୋଡାଯାଇଛି ।ରାଷ୍ଟ୍ରପତି କହିଛନ୍ତି ଯେ ସ୍ୱଦେଶୀ ଆନ୍ଦୋଳନ ଆନୁଷ୍ଠାନିକ ଭାବରେ ୭ ଅଗଷ୍ଟ, ୧୯୦୫ରେ ଆରମ୍ଭ ହୋଇଥିଲା। ବଙ୍ଗ ବିଭାଜନର ପ୍ରତିବାଦରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନର ଲକ୍ଷ୍ୟ ଥିଲା ସ୍ୱଦେଶୀ ସାମଗ୍ରୀ, ଘରୋଇ ଶିଳ୍ପ ଏବଂ ବିଶେଷକରି ଦେଶର ହସ୍ତତନ୍ତ ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା । ଏହି ଐତିହାସିକ ଘଟଣାର ସ୍ମୃତିରେ ଭାରତ ସରକାର ୨୦୧୫ ମସିହାରୁ ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ପାଳନ କରିଆସୁଛନ୍ତି । ଜାତୀୟ ହସ୍ତତନ୍ତ ଦିବସରେ ହସ୍ତତନ୍ତ କ୍ଷେତ୍ର ସହ ଜଡିତ ସମସ୍ତଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଆମ ଦେଶର ସାଂସ୍କୃତିକ ଏକତାକୁ ପରିଭାଷିତ କରୁଥିବା ବିବିଧତାର ଏକ ଉତ୍ସବ। ଏହା ସରକାର ଏବଂ ବୟନ ସମ୍ପ୍ରଦାୟର ସହଭାଗୀ ପ୍ରୟାସକୁ ସ୍ୱୀକାର କରିବାର ଏକ ଅବସର ଯାହା ଭାରତର ହସ୍ତତନ୍ତ କ୍ଷେତ୍ର ପାଇଁ ଏକ ଶ୍ରେଷ୍ଠ ଗୁଣାତ୍ମକ ପ୍ରତିଛବି ପ୍ରତିଷ୍ଠା କରୁଛି ।ରାଷ୍ଟ୍ରପତି କହିଛନ୍ତି ଯେ ଭାରତର ଗ୍ରାମୀଣ ପ୍ରିମିୟମ୍ ଅର୍ଥବ୍ୟବସ୍ଥାର ଏକ ପ୍ରମୁଖ, ମାନବ-କୈନ୍ଦ୍ରିକ ଉଦାହରଣ ଭାବରେ ଆମର ହସ୍ତତନ୍ତ କ୍ଷେତ୍ରର ଉଭା ହେବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇଛି। ପ୍ରମୁଖ ହସ୍ତତନ୍ତ କ୍ଲଷ୍ଟରଗୁଡ଼ିକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ସମସାମୟିକ ତାଲିମ ପଦ୍ଧତି ସହିତ ସଂଯୋଗ କରାଯାଉଛି। ସରକାର ବୁଣାକାରମାନଙ୍କ ଆୟ ବୃଦ୍ଧି କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି କ୍ଷେତ୍ରକୁ ଏକ ପ୍ରାମାଣିକ ସାଂସ୍କୃତିକ ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ସରକାରଙ୍କ ପ୍ରୟାସ ସହ ଭାରତୀୟ ହସ୍ତତନ୍ତ କ୍ଷେତ୍ରର ଅନ୍ତର୍ଜାତୀୟ ପ୍ରତିଷ୍ଠା ବୃଦ୍ଧି ପାଉଛି ଜାଣି ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ ।ରାଷ୍ଟ୍ରପତି କହିଥିଲେ, ପ୍ରଯୁକ୍ତିବିଦ୍ୟା ଏବଂ ଅଭିନବ ଡିଜାଇନକୁ ନେଇ ଅନେକ ପ୍ରତିଭାବାନ ଯୁବ ଉଦ୍ୟୋଗୀ ଏହି କ୍ଷେତ୍ରରେ ପ୍ରବେଶ କରୁଛନ୍ତି । ସରକାରୀ ଯୋଜନା ଏବଂ ପ୍ରତିଷ୍ଠାନ ମାଧ୍ୟମରେ ଯୁବପିଢ଼ିଙ୍କୁ ସକ୍ରିୟ ଭାବରେ ପ୍ରୋତ୍ସାହନ ଦେବା ଉଚିତ ଯାହା ଦ୍ୱାରା ସେମାନଙ୍କର ଉତ୍ସାହ ଏବଂ ଦକ୍ଷତା ଏହି କ୍ଷେତ୍ରର ଦୀର୍ଘକାଳୀନ ତଥା ବହୁମୁଖୀ ସଫଳତା ସୁନିଶ୍ଚିତ କରିପାରିବ। ଯୁବ ଉଦ୍ୟୋଗୀ, ଡିଜାଇନର୍ ଏବଂ ଷ୍ଟାର୍ଟଅପ୍ ଗୁଡ଼ିକ ପାରମ୍ପରିକ ହସ୍ତଶିଳ୍ପକୁ ଆଧୁନିକ ଧାରା, ବ୍ରାଣ୍ଡ ଏବଂ ବିଶ୍ୱ ମୂଲ୍ୟ ଶୃଙ୍ଖଳ ସହିତ ଯୋଡ଼ି ଏହି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିପାରିବେ। ଭାରତୀୟ ହସ୍ତତନ୍ତ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଏବଂ ବୁଣାକାର ସେବା କେନ୍ଦ୍ରଗୁଡ଼ିକର ତତ୍ତ୍ୱାବଧାନରେ ଡିଜାଇନ୍ ସମ୍ବଳ କେନ୍ଦ୍ରଗୁଡ଼ିକ ଏହି କ୍ଷେତ୍ରରେ ଯୁବପିଢ଼ିଙ୍କୁ ନିୟୋଜିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି ବୋଲି ରାଷ୍ଟ୍ରପତି ଖୁସିର ସହ ଉଲ୍ଲେଖ କରିଥିଲେ ।ରାଷ୍ଟ୍ରପତି କହିଥିଲେ, ଏହି କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶ ପାଇଁ ନୂତନ ପ୍ରଯୁକ୍ତିବିଦ୍ୟାର ଉପଯୁକ୍ତ ବ୍ୟବହାର ଅତ୍ୟନ୍ତ ଜରୁରୀ। ଆଧୁନିକ ଡିଜିଟାଲ ସମାଧାନ ମାଧ୍ୟମରେ ବଜାର ସୁଯୋଗକୁ ଅଧିକ ପ୍ରଭାବଶାଳୀ କରାଯାଇପାରିବ। ଏହା ବ୍ୟତୀତ, ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ବିଶ୍ୱ ବଜାରରେ ଭାରତୀୟ ହସ୍ତତନ୍ତ ଉତ୍ପାଦଗୁଡ଼ିକର ପହଞ୍ଚକୁ ଯଥେଷ୍ଟ ମଜବୁତ କରାଯାଇପାରିବ। ହସ୍ତତନ୍ତ କ୍ଷେତ୍ର ଦେଶର ସମାବେଶୀ ଅଭିବୃଦ୍ଧି ଏବଂ ଆତ୍ମନିର୍ଭରଶୀଳତା ପାଇଁ ଏକ ଦୃଢ଼ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ହସ୍ତତନ୍ତ ବୁଣାକାରମାନଙ୍କ ପାଇଁ ଦେଶର ସର୍ବୋଚ୍ଚ ସମ୍ମାନ । ଏହା ଭାରତର ବୟନ ପରମ୍ପରାକୁ ସଂରକ୍ଷଣ ଓ ପ୍ରୋତ୍ସାହିତ କରିବା ଲାଗି ବୁଣାକାରମାନଙ୍କର ଅସାଧାରଣ କାରିଗରୀ, ଜୀବନବ୍ୟାପୀ ସମର୍ପଣ ଏବଂ ନିରନ୍ତର ଅବଦାନକୁ ସ୍ୱୀକୃତି ଦିଏ। ସେହିପରି ହସ୍ତତନ୍ତ ବୁଣାକାର ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ସମ୍ମାନିତ କରିବା ଲାଗି ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରାଯାଇଥାଏ। ପାରମ୍ପରିକ କୌଶଳ ସଂରକ୍ଷଣ ଏବଂ ଆଧୁନିକ କୌଶଳକୁ ଗ୍ରହଣ କରି ଉତ୍କୃଷ୍ଟ ସୃଜନଶୀଳତା, ଗୁଣବତ୍ତା, ନବସୃଜନ ଏବଂ ଉତ୍କର୍ଷତା ପ୍ରଦର୍ଶନ କରିଥିବା ବୁଣାକାରଙ୍କୁ ଏହି ପୁରସ୍କାର ଦିଆଯାଏ।
