ରୁଷିଆରେ ଫସିଛନ୍ତି ଏୟାର ଇଣ୍ଡିଆର ୨୩୨ ଯାତ୍ରୀ

ମସ୍କୋ/ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୮ା୬: ଦିଲ୍ଲୀରୁ ଆମେରିକାର ସାନ୍‌ଫ୍ରାନ୍ସିସ୍କୋ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ରୁଷିଆର ମଗଦାନସ୍ଥିତ ଗୁଲାଗରେ ବିମାନଟି ଜରୁରୀ ଅବତରଣ କରିଛି। ଫଳରେ ଫ୍ଲାଇଟ୍‌ ଏଆଇ୧୭୩ରେ ଥିବା ସମସ୍ତ ୨୧୬ ଯାତ୍ରୀ ଓ ୧୬ କ୍ରିଉ ସେଠାରେ ଫସିରହିଛନ୍ତି। ଟାଟା ଗ୍ରୁପ୍‌ ମାଲିକାନରେ ଥିବା ଘରୋଇ କ୍ୟାରିୟରଟି ଗୁଲାଗ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିବା ମଙ୍ଗଳବାର ରାତିରେ କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ସମସ୍ତ ଯାତ୍ରୀ ବିଦେଶୀ। ସେମାନଙ୍କ ମଧ୍ୟରେ ୪୦ ଆମେରିକୀୟ ଓ କେତେଜଣ କାନାଡା ନାଗରିକ ଥିବା ଏୟାରପୋର୍ଟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିଶେଷଜ୍ଞମାନେ ଉକ୍ତ ବିମାନକୁ ଯାଞ୍ଚ କରିବା ପରେ କହିଛନ୍ତି, ଯାତ୍ରା ଜାରି ରଖିବା ପାଇଁ ଅନ୍ୟ ଏକ ଫ୍ଲାଇଟ୍‌ ଆବଶ୍ୟକ। ଯାତ୍ରୀମାନଙ୍କୁ ମଗଦାନସ୍ଥିତ ଏକ ହୋଟେଲରେ ରଖାଯାଇଛି। ତେବେ ଗୋଟିଏ ରୁମ୍‌ରେ ୨୦ ଜଣ ଯାତ୍ରୀ ବିଶ୍ରାମ ନେଉଥିବା ବେଳର ଫଟୋ ସାମ୍ନାକୁ ଆସିଛି। ଅନ୍ୟପକ୍ଷେ ଏୟାର ଇଣ୍ଡିଆ ବୁଧବାର ଏକ ବିମାନକୁ ମଗଦାନକୁ ପଠାଇଛି। ସେଥିରେ ଯାତ୍ରୀଙ୍କ ପାଇଁ ଆବଶ୍ୟକ ଖାଦ୍ୟ ଓ ଅନ୍ୟ ଜରୁରୀ ସାମଗ୍ରୀ ପଠାଯାଇଛି। ଉକ୍ତ ବୋଲିଂ ୭୭୭ ବିମାନ ସମସ୍ତ ଯାତ୍ରୀଙ୍କୁ ନେଇ ଗୁରୁବାର ସାନ୍‌ଫ୍ରାନ୍ସିସ୍କୋ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଇତିମଧ୍ୟରେ ସ୍ଥିତି ଉପରେ ଓ୍ବାଶିଂଟନ୍‌ର ନଜର ରହିଥିବା ଆମେରିକା ପରରାଷ୍ଟ୍ର ବିଭାଗ ଉପମୁଖପାତ୍ର ବେଦାନ୍ତ ପଟେଲ (ଭାରତୀୟ ବଂଶୋଦ୍ଭବ) ସୂଚନା ଦେଇଛନ୍ତି। ଉତ୍ତରପୂର୍ବ ରୁଷିଆର ଓଖୋସ୍କ ସାଗର ଉପକୂଳରେ ମଗଦାନ ଅବସ୍ଥିତ। ଏହି ବନ୍ଦର ସହର ରାଜଧାନୀ ମସ୍କୋରୁ ୧୦,୧୬୭ କି.ମି. ଦୂରରେ ରହିଛି।

Leave a Reply

Your email address will not be published. Required fields are marked *