ସ୍ବପ୍ନ ଥିଲା
ସ୍ବପ୍ନ ଥିଲା
✍🏼କବିରତ୍ନ ନୂତନ କୁମାର ବେହେରା
ସ୍ବପ୍ନ କେବଳ ମୋ ଏକଲା’ର ନଥିଲା
ସ୍ବପ୍ନ ଥିଲା
ମୋତେ ଜନ୍ମ ଦେଇଥିବା
ମୋର ପୂଜ୍ୟ ଜନକ ପୂଜ୍ୟା ଜନନୀର
ଥିଲା ପୁଣି ଆତ୍ମୀୟ ବନ୍ଧୁ ବାନ୍ଧବମାନଙ୍କର
ସାଙ୍ଗ ସାଥୀ ସହଚର ମାନଙ୍କର
ସ୍ବପ୍ନ ଥିଲା ଏ ସମାଜର
ମାତାର ଲାଳନେ ପିତାର ପାଳନେ
ହେବି ଦିନେ ତାଙ୍କର
ଅସହାୟ ଅବସ୍ଥାରେ ସେବକ
ସ୍ବପ୍ନ ଥିଲା
ମା’ ମାଟି ମୋ ଜନ୍ମଭୂମିର
ରଖିବି ତାର ଟେକ
ଅକ୍ଷୁଣ୍ଣ ରଖିବି ତାର ଯଶ ଗୌରବ
ହେବି ଭୂମି ପୁତ୍ରଟିଏ
ଛାଡି ଆଳସ୍ୟ ପଣ ହେବି କର୍ମଠ
ପଢିବି …ଲଢିବି ଜୀବନ ସଂଗ୍ରାମରେ
ଚିହ୍ନିବି ଜାଣିବି ନିଜକୁ
ମୋ ସହିତ ସଂପର୍କରେ ବାନ୍ଧି ହୋଇଥିବା
ସମସ୍ତଙ୍କୁ ଭାବିବି ନିଜ ଆପଣାର
ସ୍ବପ୍ନ ଭରିଥିଲା ଆଖିରେ
ହୃଦୟରେ କରି ନିରପେକ୍ଷ ବିଚାର
ସାରା ବସୁଧାକୁ କରିବି ଏକ କୁଟୁମ୍ବ
ସ୍ବପ୍ନ ଥିଲା
ଶୟନରେ ଜାଗ୍ରତରେ
ଚେତନାରେ ଅବଚେତନାରେ
ଜଟିଳକୁ କରିବି ସରଳ
ସମସ୍ୟାର କରିବି ସମାଧାନ
ଭାବିବି ମୋ ଜୀବନ ପରି ସବୁରି ଜୀବନ
ହାତରେ ହାତ ପାଦରେ ପାଦ ମିଶାଇ
ମୁଣ୍ଡ ଟେକି ଚାଲିବି ସଳଖ ପଥରେ
କାନ୍ଧରେ କାନ୍ଧ ମିଶାଇ
ଭାଇ ଭାଇ ଏକ ମନ ପ୍ରାଣରେ
ବୋହିବା ଜଞ୍ଜାଳର ବୋଝ
ସୁଖ ଶାନ୍ତିରେ ହେବିନି ଆତ୍ମ ବିଭୋର
କି ଦୁଃଖରେ ଭାଙ୍ଗି ପଡିବିନି କେବେ
ସ୍ବପ୍ନ ଥିଲା
ଆଖିରୁ ଲୁହ ପୋଛି ଓଠରେ ଭରିବି ହସ
ହେବିନି କାହାରି ଦାସ
ସମୟକୁ ସମ୍ମାନ ଦେଇ ତାର ମୂଲ୍ୟ ବୁଝି
ଦାୟିତ୍ଵ ସହକାରେ କରିବି କର୍ତ୍ତବ୍ୟ
ଗଢିବି ଏକ ଆଦର୍ଶ ଚରିତ୍ର
ସ୍ବପ୍ନ ଥିଲା
ନିଜ ଦୃଷ୍ଟିରେ ଅନ୍ତର୍ଦୃଷ୍ଟିରେ ଦୂରଦୃଷ୍ଟିରେ
ଅତୀତକୁ ରଖି ସ୍ମରଣରେ
ଆଗକୁ ଆଗ ବଢି ଚାଲୁଥିବି ଏକ ଲକ୍ଷ୍ୟରେ
ବର୍ତ୍ତମାନକୁ ଦେଖି ଭବିଷ୍ୟତ ପାଇଁ
ହୋଇଛି ଆଜି ଯାଏଁ ସାକାର କେତେ
ତର୍ଜମା କରେ ମୁଁ
ସମୀକ୍ଷା କରନ୍ତି ସମସ୍ତେ
ବାସ୍ତବତା ଆଉ ସ୍ବପ୍ନ ମଧ୍ୟରେ
ତଫାତ୍ କେତେ
ସଫଳତା ବିଫଳତାର ହିସାବ ଫର୍ଦ୍ଦ
କହିବ ପଚାରିଲେ ତାକୁ
ସତରେ ମୁଁ ଜିତିଛି କେତେ
ହାରିଛି କେତେ
ମୋ ଅନ୍ତରରେ ମୋ ଅନ୍ତରାଳରେ
ଧ୍ଵନି ପ୍ରତିଧ୍ଵନି ହେଉଛି
ମୋ ଅସ୍ତିତ୍ବରେ
ପୁଣି ପ୍ରତିଧ୍ଵନିତ ହେଉଥିବ ମୋ ଅନ୍ତ ପରେ
ମୋର ଆମର ସମସ୍ତଙ୍କର ଆଖିରେ
ସତରେ କି …ସ୍ବପ୍ନ ଥିଲା।
ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ
ନବସୃଜନ ଇ-ପତ୍ରିକା
କୋହି,ବାରିପଦା,ମୟୂରଭଞ୍ଜ।
